ଭୁବନେଶ୍ୱର-କଟକରୁ ୧୩୯୯ ଗାଡ଼ି ଜବତ, ଝାରସୁଗୁଡ଼ାରେ ଦିନକରେ ଅଢ଼େଇ ଶହ ବାଇକ ଜବତ

ଅମାନିଆଙ୍କ ବାଇକ୍‌ ହେଲା ଜବତ, ୧୪ ତାରିଖ ପରେ ମିଳିବ

ଭୁବନେଶ୍ୱର-କଟକରୁ ୧୩୯୯ ଗାଡ଼ି ଜବତ, ଝାରସୁଗୁଡ଼ାରେ  ଦିନକରେ ଅଢ଼େଇ ଶହ ବାଇକ ଜବତ

ଭୁବନେଶ୍ୱର/କଟକ/ଝାରସୁଗୁଡ଼ା: ରାଜଧାନୀ ଭୁବନେଶ୍ୱର ଓ କଟକରୁ ଆଜି ୧୩୯୯ଟି ଗାଡ଼ି ଜବତ ହୋଇଛି । ପୁଲିସ ଭୁବନେଶ୍ୱରରୁ ୭୨୧ଟି ଓ କଟକରୁ ୬୭୮ଟି ଗାଡ଼ି ଜବତ କରିଛି । ସେହିଭଳି ବ୍ରହ୍ମପୁରରୁ ୨୦୭ଟି ଗାଡ଼ି ଜବତ ହୋଇଥିବା ବେଳେ ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଯେତେ ପ୍ରକାର କଡ଼ା ଆଇନ ପ୍ରଣୟନ କଲେ ବି କିଛି ଅମାନିଆ ଏହାକୁ ଫୁ କରି ମାନବ ସମାଜକୁ ବିପଦ ମୁହଁକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ସହରରେ ଗତକାଲି ଦିନ ତମାମ ଡାକବାଜି ଯନ୍ତ୍ର ସାହାଯ୍ୟରେ ବାଇକ ଓ କାର୍‌ ଚଳାଚଳକୁ ନିଷିଦ୍ଧ କରାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଥିଲା। ଅତ୍ୟାବଶ୍ୟକୀୟ ସାମଗ୍ରୀ ଘର ପାଖ ଦୋକାନରୁ ଚାଲିକି ଯାଇ କିଣି ଆଣିବା ପାଇଁ କୁହାଯାଇଥିଲା।

ଲକ୍‌ଡାଉନ୍‌ ସମୟରେ ପୂର୍ବରୁ ସକାଳ ୬ ଟାରୁ ଦିନ ୧୧ ଟାପର୍ଯ୍ୟନ୍ତ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଛାଡ଼ କରାଯାଇଥିଲା। ଆଜି ଠାରୁ ଏହି ନିୟମକୁ ପରିବର୍ତ୍ତନ କରାଯାଇ ସକାଳ ୬ ଟାରୁ ୧୦ ଟା ପରାଯାଇଥିଲା। ତେବେ ଏହି ନିୟମକୁ ଫୁ କରି ଶତାଧିକ ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ବାହାନାରେ ବାହାରି ବାଇକରେ ଘିରି ଘିରି ବୁଲୁଥିବା ବେଳେ ପୁଲିସ ବିଭିନ୍ନ ଛକରେ ଏହି ଅମାନିଆଙ୍କୁ ଅଟକାଇ ବାଇକ ଜବତ କରି ନେଇଥିଲା।

publive-image

ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ବିଭିନ୍ନ ଛକରେ ୨୨୦ ରୁ ଅଧିକ ବାଇକ ଓ ୪ ଗୋଟି କାର୍‌ ଜବତ କରାଯାଇଥିବା ବେଳେ ବଡ଼ମାଲ ଥାନା ପକ୍ଷରୁ ୪୦ ଗୋଟି ବାଇକ ଜବତ କରାଯାଇଛି।  ଏହି ବାଇକ ଗୁଡ଼ିକ ଜବତ କରାଯାଇ କଣ୍ଟେନର ଯୋଗେ ନେଇ ପୁଲିସ ହେପାଜତରେ ରଖାଯାଇଛି। ଲକ୍‌ଡାଉନ୍‌ ପରେ ଏହି ବାଇକ୍‌ ସେମାନଙ୍କୁ ଫେରାଇ ଦିଆଯିବା ବୋଲି ଆଇଆଇସି ସାବିତ୍ରୀ ବଳ କହିଛନ୍ତି। ଏହି ଜବତ ବେଳେ ମାଜିଷ୍ଟ୍ରେଟ୍‌ ଗୋଲକ ବିହାରୀ ମଙ୍ଗରାଜ, ମାଜିଷ୍ଟ୍ରେଟ୍‌ ପ୍ରସନ୍ନ ପାଣ୍ଡେ, ଇନ୍‌‌ସପେକ୍ଟର ପବିତ୍ର କିସାନ ପ୍ରମୁଖଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe