ସହରରେ ସିରିଜ୍ ବାଇକ୍ ଚୋରି   

Advertisment
ସହରରେ ସିରିଜ୍ ବାଇକ୍ ଚୋରି   

symbolic photo

 ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ଏବେ ସିରିଜ୍ ବାଇକ୍‌ ଚୋରି ଚାଲିଛି । ଦୁଇଦିନ ତଳେ ଏକାସାଙ୍ଗରେ ୩ଟି ବାଇକ୍‌ ଚୋରି ହେବା ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁଲିସ୍‌ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି। ତେବେ ଏହି ଅଭିଯୁକ୍ତଙ୍କୁ ଧରିବା ଭିତରେ ସହରରୁ ଆଉ ୬ଟି ବାଇକ୍‌ ଚୋରି ହୋଇସାରିଥିବା ଏବେ ଅଭିଯୋଗ ହୋଇଛି। ଏନେଇ ଝାରସୁଗୁଡ଼ା ପୁଲିସ୍‌ ଭିନ୍ନ ଭିନ୍ନ ୬ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ୧୧ ତାରିଖ ରାତିରେ ସରବାହାଲର ଶୁଭାଶିଷ ମହାପାତ୍ର ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌ ରଖି ଡ୍ୟୁଟିକୁ ଯାଇଥିବା ବେଳେ ଫେରିବାବେଳକୁ ତାଙ୍କ ବାଇକ୍‌ ଚୋରି ହୋଇସାରିଥିଲା। ୧୦ ତାରିଖ ସନ୍ଧ୍ୟାରେ ସରବାହାଲ ଫ୍ଲାଇଓଭର ନିକଟରୁ ସୁଧାଂଶୁ କୁମାର ଦାଶଙ୍କ ଆକ୍ଟିଭାକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ସେହି ରାତିରେ ସମାନ ସ୍ଥାନରୁ ବିଟିଏମ୍‌ କଲୋନିର ନିହାର ମହାନ୍ତିଙ୍କ ବାଇକ୍‌, ଲଇକେରାର କବିର ବାଗଙ୍କ ପଲସର, ୧୧ ତାରିଖ ସକାଳୁ ଝଣ୍ଡା ଛକର ଗେଣ୍ଡୁରାମ ଯାଦବଙ୍କ ଆକ୍ଟିଭା, ୮ ତାରିଖ ରାତିରେ ବିଶାଳ ମେଗା ମାର୍ଟ ସାମ୍ନାରୁ ଜୟନ୍ତ କୁମାର ଦାମୁଣ୍ଡାଙ୍କ ପଲସର ଚୋରି ହୋଇଥିବା ଅଭିଯୋଗ ହୋଇଛି। ବାଇକ୍‌ ଚୋରି କରୁଥିବା ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଗାଡ଼ିର ଲକ୍‌ ଭାଙ୍ଗି ତାକୁ ଷ୍ଟାର୍ଟ କରି ନେଇ ଯାଉଥିବାର ଚିତ୍ର ମଧ୍ୟ ଏବେ ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe