Sambad
ଖୁଣ୍ଟୁଣୀ: ସିନିୟର୍ ଛାତ୍ରୀଙ୍କ ରୢାଗିଂର ଶିକାର ହୋଇ ମୃତ୍ୟୁବରଣ କରିଥିଲେ ଭୁବନେଶ୍ବରସ୍ଥିତ ବିଜେବି କଲେଜର +୩ କଳା ଛାତ୍ରୀ କଟକ ଜିଲ୍ଲା ଆଠଗଡ଼ ନିର୍ବାଚନମଣ୍ଡଳୀ ଅଧୀନ କଖଡ଼ି ଗ୍ରାମର ରୁଚିକା ମହାନ୍ତି। ଏହି ଘଟଣାକୁ ତିନିଦିନ ବିତି ଗଲାଣି। ସେବେଠାରୁ ରୁଚିକାଙ୍କ ଗାଁ କଖଡ଼ିରେ ଶୋକାକୁଳ ପରିବେଶ ଜାରି ରହିଛି। ରୁଚିକାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗ୍ରାମବାସୀ, ସାଙ୍ଗସାଥୀ, ବନ୍ଧୁ ଓ ପରିବାର। ସେବେଠାରୁ ପରିବାର ଆଖିରୁ ଲୁହ ଶୁଖୁ ନାହିଁ। ସେହିପରି ଝିଅକୁ ନ୍ୟାୟ ପ୍ରଦାନ ପାଇଁ ପରିବାର ଓ ଆତ୍ମୀୟସ୍ବଜନ ବିଜେବି କଲେଜ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ରୁଚିକା ଥିଲେ ଭଦ୍ର, ନମ୍ର,ମେଳାପୀ ଓ ମେଧାବୀ ଛାତ୍ରୀ। କଖଡ଼ି ହାଇସ୍କୁଲ୍ରୁ ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ସେ। ଏହାପରେ ଗୁରୁଡ଼ିଝାଟିଆସ୍ଥିତ ସମ୍ପର୍କୀୟଙ୍କ ଘରେ ରହି ଧବଳେଶ୍ବର ମହାବିଦ୍ୟାଳୟରେ +୨ କଳାରେ ଅଧ୍ୟୟନ କରିଥିଲେ। +୨ରେ ସେ ୮୬ପ୍ରତିଶତ ନମ୍ବର ରଖିଥିଲେ। ଏହାପରେ ରୁଚିକା ବିଜେବି କଲେଜରେ ଅଧ୍ୟୟନ ଆରମ୍ଭ କରିଥିଲେ। ଇଂରାଜୀରେ ତାଙ୍କର ପ୍ରଗାଢ଼ ଜ୍ଞାନ ରହିଥିଲା। ପ୍ରତ୍ୟହ ଖବରକାଗଜ ପଢ଼ୁଥିଲେ। କରେଣ୍ଟ ଆଫେୟାର୍ସ ଓ ସାଧାରଣ ଜ୍ଞାନରେ ମଧ୍ୟ ସେ ନିପୁଣା ଥିଲା। କଲେଜ ପାଠପଢ଼ା ବ୍ୟତୀତ ପ୍ରତ୍ୟହ ସେ ୭ରୁ ୮ଘଣ୍ଟା ଅଧ୍ୟୟନରେ ମନୋନିବେଶ କରୁଥିଲେ। ଆଇଏଏସ୍ ଓ ଆଇପିଏସ୍ ହେବା ପାଇଁ ସ୍ୱପ୍ନ ଦେଖୁଥିବା ରୁଚିକାଙ୍କର ସିଭିଲ୍ ସର୍ଭିସ୍ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା।
ନିଜ ଘର କଖଡ଼ିରେ ଥିବା ଷ୍ଟଡ଼ି ରୁମ୍ରେ ଭାରତର ଖ୍ୟାତନାମା ସିଭିଲ୍ ସର୍ଭ୍ୟାଣ୍ଟମାନଙ୍କର ଫଟୋକୁ ସେ ଫ୍ରେମ କରି ରଖିଥିବା ଦେଖିବାକୁ ମିଳିଛି। ୟୁପିଏସ୍ସି ପରୀକ୍ଷା ପାଇଁ ଅନ୍ଲାଇନ୍ରେ କୋଚିଂ ମଧ୍ୟ ନେଉଥିଲେ। ଏଥିପାଇଁ ମାସକୁ ୧୧ ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ବୋଲି ବାଷ୍ପରୁଦ୍ଧ କଣ୍ଠରେ କହିଛନ୍ତି ବାପା ଗଣେଶ୍ୱର। ବାପା ଗଣେଶ୍ୱର ମହାନ୍ତି ତିଗିରିଆ କଲେଜର ଇଂରାଜୀ ଅଧ୍ୟାପକ ଥିଲା ବେଳେ ମା’ ବିଦ୍ୟୁଲତା ଜଣେ ଗୃହିଣୀ। ତାଙ୍କର ସାନ ଭଉଣୀ ସୁଚିତ୍ରା ଏବେ କଖଡ଼ି ହାଇସ୍କୁଲ୍ରେ ନବମ ଶ୍ରେଣୀରେ ପଢ଼ୁଛନ୍ତି। ରୁଚିକାଙ୍କ ମୃତ୍ୟୁ ଖବର ମିଳିବା ପରଠାରୁ ଏହି ପରିବାର ଆଖିରୁ ଲୁହ ଶୁଖୁନାହିଁ। ଶନିବାର ରାତିରେ ରୁଚିକାଙ୍କ ମୃତଦେହ ଗାଁରେ ପହଞ୍ଚିଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏବେ ବି’ ସାଙ୍ଗସାଥୀ ଓ ଗ୍ରାମବାସୀ ରୁଚିକାଙ୍କୁ ଝୁରି ହେଉଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଓ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରବିବାର ସନ୍ଧ୍ୟାରେ କଖଡ଼ି ଗ୍ରାମର ଶତାଧିକ ଛାତ୍ରଛାତ୍ରୀ ମହମବତି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ରୁଚିକାଙ୍କୁ ନ୍ୟାୟ ନ ମିଳିଲେ ରାଜରାସ୍ତା ଅବରୋଧ ସହ ବିଧାନସଭା ଘେରାଉ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପଟେ, ଝିଅର ମୃତ୍ୟୁ ଘଟଣାରେ ସମସ୍ତ ଦୋଷୀଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରାଯିବା ସହିତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ବାପା ଗଣେଶ୍ୱର। ଏହାଦ୍ବାରା ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଛନ୍ତି।
Follow Us