ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ତୀବ୍ର ନିନ୍ଦା କଲା ବିଜେଡି

ଓସିଏ ନିର୍ବାଚନରେ ଭୋଟ‌ ଦେବେ ବବି ଦାସ: କ୍ଲବ୍‌ ବଦଳାଇଲେ ଆଶୀର୍ବାଦ, ଓଜିପି ଭୋଟରଙ୍କୁ ନେଇ ପୁଣି ବିବାଦ

ଭୁ‌ବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ୩ୟ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ନେଇ ବିଜେଡି ନିନ୍ଦା କରିଛି। ଏହି ଘଟଣାକୁ ପ୍ରଣବ ପ୍ରକାଶ ଦାସ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଅଭିଯୁକ୍ତଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନିଆଯିବ।  ଆଇନ ଅନୁଯାଇ ପଦକ୍ଷେପ ନିଆଯିବ। ପୁଲିସ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଶ୍ରୀ ଦାସ କହିଛନ୍ତି।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ଟୁଇଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି,  ପ୍ରଶାସନର ଦାୟିତ୍ୱ ହେଉଛି ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା । ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନୀ ହିଂସା ଏବଂ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣକୁ ଗୁରୁତ୍ୱର ସହ ନେଇ କଠୋର ପଦକ୍ଷେପ ନିଅନ୍ତୁ । ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ନିର୍ବାଚନୀ ପରିଚାଳନା, ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସୂଚନାଯୋଗ୍ୟ, ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ କୋରେଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରାଯିବା ସହ ମତଦାନ କେନ୍ଦ୍ର ଆଗରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ କୋରେଇ ବିଡିଓଙ୍କୁ ଆକ୍ରମଣ କରିଛନ୍ତି। ଏହାଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଠାରେ ଥିବା ୮,୯,୧୦ଓ୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି।

ସେହିପରି ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି। ଏଠାରେ କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଛି। ଦୁର୍ବୃତ୍ତମାନେ ଭୋଟ ବାକ୍ସଟିକୁ ପୋଖରୀରେ ଫିଙ୍ଗି ପଳାଇଥିବା ଜଣାଯାଇଛି। ଅର୍ଗସ୍ ନିଉଜର ସାମ୍ବାଦିକଙ୍କୁ ଅପହରଣ କରି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe