ବିଜେଡି ହାତରୁ ଖସିଲା ୩ ବ୍ଲକ୍, ବିଦ୍ରୋହୀଙ୍କ ବାଜିମାତ୍

Advertisment
ଏପ୍ରିଲ ୩ରେ ହେବ ହିନ୍ଦୋଳ ଓ ଅତାବିରା ଏନ୍‌ଏସିରେ ‌ଭୋଟ୍‌ ଗ୍ରହଣ

ରାୟଗଡ଼ା: ଜିଲ୍ଲା ପରିଷଦ ନିର୍ବାଚନରେ ବାଜିମାତ୍ କରିଥିବା ଶାସକ ବିଜେଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ କଡା ଟକ୍କରର ସମ୍ମୁଖୀନ ହୋଇଛି। ଦଳୀୟ କନ୍ଦଳ ପାଇଁ ଗୁଣପୁର, ରାମନାଗୁଡ଼ା, କାଶୀପୁର ବ୍ଲକ୍ ବିଜେଡି ହାତରୁ ଖସି ବିଦ୍ରୋହୀଙ୍କ କବଜାକୁ ଯାଇଛି। ବିଷମକଟକ, କଲ୍ୟାଣସିଂହପୁର, ମୁନିଗୁଡ଼ା, ଚନ୍ଦ୍ରପୁରରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ହୋଇଥିବା ବେଳେ ୪ ବ୍ଲକ ପଦ୍ମପୁର, କୋଲନରା, ଗୁଡାରି, ରାୟଗଡ଼ା‌ରେ ବିଜେଡିକୁ ପ୍ରତିଦ୍ବନ୍ଦିତା କରିବାକୁ ପଡିଛି। ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନକୁ ନେଇ ଜିଲ୍ଲାର ୫ଟି ବ୍ଲକ୍ (ଗୁଣପୁର, ରାମନାଗୁଡା, କାଶୀପୁର, ପଦ୍ମପୁର, ଗୁଡାରି) ଚର୍ଚ୍ଚାରେ ରହିଥିଲା। ଶାସକ ଦଳ ଅପେକ୍ଷା ବିଦ୍ରୋହୀଙ୍କ ଦବଦବା ଏହି ବ୍ଲକ୍ ଗୁଡ଼ିକରେ ଅଧିକା ରହିଥିବାରୁ ନିର୍ବାଚନ ସରିବା ପରଠୁ ଶାସକ ଦଳର ନଜର ବିଦ୍ରୋହୀ ନେତାଙ୍କ ଉପରେ ରହିଥିଲା। ତଥାପି ୫ ବ୍ଲକ ମଧ୍ୟରୁ ୩ ବ୍ଲକ୍ ଗୁଣପୁର, ରାମନାଗୁଡ଼ା, କାଶୀପୁରର ଅଧିକାଂଶ ସମିତିସଭ୍ୟାଙ୍କୁ ନିର୍ବାଚନ ପରେ ପରେ ହିଁ ଅଜ୍ଞାତବାସରେ ନେବାରେ ସକ୍ଷମ ହୋଇଥିଲେ ବିଦ୍ରୋହୀ। ବହୁ ଉଦ୍ୟମ ପରେ ବି ବିଦ୍ରୋହୀ ଶିବିରରୁ ସମିତିସଭ୍ୟାଙ୍କୁ ଫେରାଇ ଆଣିବାରେ ବିଜେଡି ସଫଳ ନ ହେବା କାରଣରୁ ଉକ୍ତ ୩ ବ୍ଲକ୍ ବିଦ୍ରୋହୀଙ୍କ କବଜାକୁ ଯାଇଛି। ପଦ୍ମପୁର, ଗୁଡାରିରେ ଦଳୀୟ ଅନ୍ତଃକନ୍ଦଳ ଚରମ ସୀମାରେ ପହଞ୍ଚିଥିବାରୁ ଆପୋଷ ବୁଝାମଣା ମାଧ୍ୟମରେ ଅସନ୍ତୁଷ୍ଟ ନେତାଙ୍କୁ ମନାଇଥିଲେ ବିଜେଡିର ତୁଙ୍ଗ ନେତା। ନଚେତ୍ ଏହି ଦୁଇ ବ୍ଲକ ମଧ୍ୟ ବିଜେଡି ହାତରୁ ଖସିବାର ଯଥେଷ୍ଟ ସମ୍ଭାବନା ଥିଲା। ବିଦ୍ରୋହୀଙ୍କ କବଜାକୁ ଯାଇଥିବା ଗୁଣପୁର ବ୍ଲକର ଅଧ୍ୟକ୍ଷା ଭାବେ ଝିଲି ଶବର ନିର୍ବାଚିତ ହୋଇଛନ୍ତି। ବିଦ୍ରୋହୀଙ୍କ ପକ୍ଷରୁ ଡମ୍ବସରା ସମିତିସଭ୍ୟା ଝିଲି, ବିଜେଡି ପକ୍ଷରୁ ଚିନାସାରି ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ସିନେମି ଶବର ନିର୍ବାଚନ ଲଢ଼ିଥିଲେ। ଭୋଟ ଗଣତି ପରେ ଝିଲିଙ୍କ ସପକ୍ଷରେ ୧୫ଟି, ସିନେମିଙ୍କ ସପକ୍ଷରେ ୪ଟି ଭୋଟ ପଡିଥିଲା। ନିର୍ବାଚନ ଅଧିକାରୀ ଝିଲିଙ୍କୁ ବିଜୟୀ ଘୋଷଣା କରିଥିଲେ।

ସେହିପରି ରାମନାଗୁଡା ବ୍ଲକରେ ମଧ୍ୟ ବିଜେପି-କଂଗ୍ରେସର ସମର୍ଥନରେ ଅଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ରବି ଗମାଙ୍ଗ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷା ନିର୍ବାଚନରେ କଂଗ୍ରେସ ପକ୍ଷରୁ ରବି, ବିଜେଡି ସମର୍ଥନରେ ପାରିଖିତି ସମିତିସଭ୍ୟା ଲକ୍ଷ୍ମୀ କାଡ୍ରକା ନିର୍ବାଚନ ଲଢ଼ିଥିଲେ। ଭୋଟ ଗଣତି ପରେ ରବିଙ୍କ ସପକ୍ଷରେ ୮ଟି ଏବଂ ଲକ୍ଷ୍ମୀଙ୍କ ସପକ୍ଷରେ ୪ଟି ଭୋଟ ଯାଇଥିଲା। ନିର୍ବାଚନ ଅଧିକାରୀ ରବି ଗମାଙ୍ଗଙ୍କୁ ବିଜୟୀ ଘୋଷଣା କରିଥିଲେ। କାଶୀପୁର ବ୍ଲକରେ ମଧ୍ୟ ସ୍ଥିତି ସମାନ ହୋଇଥିଲା। ୨୮ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ବିଦ୍ରୋହୀ ପ୍ରାର୍ଥୀଙ୍କ ରଣନୀତି ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଥିଲା। ବିଦ୍ରୋହୀଙ୍କ ପକ୍ଷରୁ ଟିକିରି ସମିତିସଭ୍ୟା କଣ୍ଠେଶ୍ବର ମାଝି, ବିଜେଡି ପକ୍ଷରୁ ନକଟିଗୁଡା ସମିତିସଭ୍ୟା ପାତିଡି ମାଝି ଅଧ୍ୟକ୍ଷା ପଦବି ପାଇଁ ନିର୍ବାଚନ ଲଢ଼ିଥିଲେ। ଭୋଟ ଗଣତି ପରେ କଣ୍ଠେଶ୍ବରଙ୍କ ସପକ୍ଷରେ ୧୩ଟି ‌ଭୋଟ, ପାତିଡିଙ୍କ ସପକ୍ଷରେ ୯ଟି ଭୋଟ ଯାଇଥିବା ବେଳେ ୨ଟି ଭୋଟ ନାକଚ ହୋଇଥିଲା। ନିର୍ବାଚନ ଅଧିକାରୀ କଣ୍ଠେଶ୍ବର ମାଝିଙ୍କୁ ବ୍ଲକ୍ ଅଧ୍ୟକ୍ଷ ଭାବେ ‌ବିଜୟୀ ଘୋଷଣା କରିଥିଲେ। ବିଜେଡି ସମର୍ଥନରେ ରାୟଗଡ଼ା ବ୍ଲକ୍ ଅଧ୍ୟକ୍ଷା ଭାବେ ଟୁନି ହୁଇକା, କୋଲନରା ବ୍ଲକ୍ ଅଧ୍ୟକ୍ଷା ଭାବେ ସଂଯୁକ୍ତା କୁଲେସିକା, ପଦ୍ମପୁର ବ୍ଲକ୍ ଅଧ୍ୟକ୍ଷା ଭାବେ ମଣିମାଳା ଶବର, ଗୁଡାରି ବ୍ଲକ୍ ଅଧ୍ୟକ୍ଷା ଭାବେ ଲକ୍ଷ୍ମୀ ଶବର, ମୁନିଗୁଡ଼ା ବ୍ଲକ୍ ଅଧ୍ୟକ୍ଷା ଭାବେ ଦୁଖିନୀ ନୁଣ୍ଡ୍ରୁକା (ଅପ୍ରତିଦ୍ବନ୍ଦୀ), ବିଷମକଟକ ବ୍ଲକ୍ ଅଧ୍ୟକ୍ଷା ଭାବେ ଯଶୋଦା ହୁଇକା (ଅପ୍ରତିଦ୍ବନ୍ଦୀ), କଲ୍ୟାଣସିଂହପୁର ବ୍ଲକ୍ ଅଧ୍ୟକ୍ଷା ଭାବେ ଅମ୍ରିତା କାଡ୍ରକା (ଅପ୍ରତିଦ୍ବନ୍ଦୀ), ଚନ୍ଦ୍ରପୁର ବ୍ଲକ୍ ଅଧ୍ୟକ୍ଷା ଭାବେ କୋଇନୁ କିମାକା (ଅପ୍ରତିଦ୍ବନ୍ଦୀ) ବିଜୟୀ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe