କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବୁହାଳୋ ପଞ୍ଚାୟତରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏମପିଲାଡ୍ ଫଣ୍ଡରୁ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ନେଇ ବିଜେଡ଼ି ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ବିଜେଡ଼ି ନିଶ୍ଚିନ୍ତ କୋଇଲି ବ୍ଲକ୍ ସଭାପତି ଓ ପଞ୍ଚାୟତ ସମିତି ଅଧ୍ୟକ୍ଷା ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ କାର୍ଯ୍ୟକ୍ରମକୁ ବାତିଲ କରିବା ପାଇଁ କଟକ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଥିବା ବେଳେ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ଉଦ୍ଘାଟନ ହେବା ଜରୁରି ଦର୍ଶାଇ ବୁହାଳ ସରପଞ୍ଚ ଏହାର ବ୍ୟବସ୍ଥା ପାଇଁ ପ୍ରଶାସନକୁ ଚିଠି ଲେଖିଛନ୍ତି। ଏହିପରି ପରସ୍ଥିିତିରେ ଆଜି ସାଂସଦ ଶ୍ରୀ ପଣ୍ଡା ବୁହାଳ ଯାଇ ପ୍ରକଳ୍ପ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେଡ଼ି ନେତ୍ରୀ ତଥା ବ୍ଲକ୍ ଅଧ୍ୟକ୍ଷାଙ୍କ ନେତୃତ୍ୱରେ କେତେକ ମହିଳା ସାଂସଦଙ୍କୁ ବିରୋଧ କରି ନିରବ ଧାରଣା ଦେଇଛନ୍ତି। ନିଶ୍ଚିନ୍ତକୋଇଲିରେ ସାଂସଦଙ୍କୁ ବିରୋଧ କରି ବିଜେଡିର ଏକ ଗୋଷ୍ଠୀ ନିରବ ପ୍ରତିବାଦ କରୁଥିବା ବେଳେ ବୁହାଲୋ ଗ୍ରାମବାସୀ ସାଂସଦଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି। ତେବେ ଏ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସେଠାରେ ୫ ପ୍ଲାଟୁନ୍ ଫୋର୍ସ ମୂତୟନ କରାଯାଇଛି।
ନିଶ୍ଚିନ୍ତକୋଇଲି: ପାନୀୟ ଜଳ ପ୍ରକଳ୍ପ ପୂର୍ବରୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିରୋଧ କରି ବିଜେଡିର ନିରବ ଧାରଣା
Advertisment
Follow Us