ପରାଜୟ ପ୍ରତିଷୋଧ ଲକ୍ଷ୍ୟରେ ବିଜେଡ଼ି: ଗୁଣପୁର-ବିଷମକଟକର ୧୬ ଜୋନ୍ ପାଇଁ ସ୍ବତନ୍ତ୍ର ରଣନୀତି

ଗତ ପଞ୍ଚାୟତ ନିର୍ବାଚନରେ ୯ ଆସନ ପୋଛି ନେଇଥିଲା କଂଗ୍ରେସ

ପରାଜୟ ପ୍ରତିଷୋଧ ଲକ୍ଷ୍ୟରେ ବିଜେଡ଼ି: ଗୁଣପୁର-ବିଷମକଟକର ୧୬ ଜୋନ୍ ପାଇଁ ସ୍ବତନ୍ତ୍ର ରଣନୀତି

ରାୟଗଡ଼ା: ୨୦୨୨ ପଞ୍ଚାୟତ ନିର୍ବାଚନରେ ଗଡ଼ ଫେରି ପାଇବାକୁ ରଣନୀତି ଚଳାଇଛି ବିଜେଡ଼ି। ବିରୋଧୀଙ୍କୁ ଚକ୍କମା ଦେଇ ୨୦୧୭ ନିର୍ବାଚନ ପରାଜୟର ପ୍ରତିଷୋଧ ନେବାକୁ ଦଳ ଗୁଣପୁର, ବିଷମକଟକ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୧୬ ଜୋନକୁ ଫୋକସ୍ କରିଛି। ତୃଣମୂଳସ୍ତରରେ ଥିବା ବିବାଦକୁ ଦୂର କରିବା ସହ କର୍ମୀଙ୍କୁ ସଂଗଠିତ କରି ନିର୍ବାଚନ ଲଢ଼ିବାକୁ ଗାଁରୁ ଗାଁକୁ ବୁଲୁଛନ୍ତି ନେତା। ଯାହାର ମଙ୍ଗ ଧରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଓ ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା।

ଏକଦା କଂଗ୍ରେସର ଗଡ଼ ଥିଲା ଗୁଣପୁର ଓ ବିଷମକଟକ ନିର୍ବାଚନ ମଣ୍ଡଳୀ। ବିଷମକଟକ ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକା, ଗୁଣପୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗଙ୍କ ଗୋଟି ଚାଳନାରେ ନିର୍ବାଚନ ପରିଚାଳନା ହେଉଥିଲା। କଂଗ୍ରେସ ଗଡ଼ରେ କ୍ଷମତାକୁ ଫେରିବା ପାଇଁ ଶାସକ ବିଜେଡ଼ିକୁ ବହୁ କଷ୍ଟ ସ୍ବୀକାର କରିବାକୁ ପଡିଛି। ସାଧାରଣ ନିର୍ବାଚନରେ କଂଗ୍ରେସକୁ ନିଜ ଗଡ଼ରେ ପରାଜୟ ସ୍ବାଦ ଚଖାଇବାରେ ସଫଳ ବିଜେଡ଼ି ନେତୃବୃନ୍ଦ ପଞ୍ଚାୟତ ନିର୍ବାଚନରେ କିନ୍ତୁ ଫେଲ୍ ମାରି ଆସୁଛନ୍ତି। କ୍ରମାଗତ ଭାବେ ଏହି ଦୁଇ ନିର୍ବାଚନ ମଣ୍ଡଳୀର ସର୍ବାଧିକ ଜିଲ୍ଲା ପରିଷଦ ଆସନ କଂଗ୍ରେସ ସପକ୍ଷରେ ହିଁ ଯାଉଥିବାରୁ ୨୦୨୨ ପଞ୍ଚାୟତ ନିର୍ବାଚନ ଫଳାଫଳ ବିଜେଡ଼ି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।

ଦୁଇ ନିର୍ବାଚନ ମଣ୍ଡଳୀର ୧୬ ଆସନରୁ ଅଧିକାଂଶ ଆସନରେ ବିଜେଡ଼ି ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିଛି। ଗୁଣପୁର ‘କ’ ଜୋନରୁ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡ଼ି ନେତା ଅଶ୍ବିନୀ ଗମାଙ୍ଗ, ରାମନାଗୁଡା ‘କ’ ଜୋନରୁ ବିଜେଡ଼ି ଜିଲ୍ଲା ଉପସଭାପତି ଗଗନ ଆଚାର୍ଯ୍ୟ, ପଦ୍ମପୁର ‘ଖ’ ଜୋନରୁ ବ୍ଲକ୍ ବିଜେଡ଼ି ସଭାପତି ମଣ୍ଟୁ ଆଚାର୍ଯ୍ୟ, ବିଷମକଟକ ଖ ଜୋନରୁ ବିଷମକଟକ ବ୍ଲକ୍ ଅଧ୍ୟକ୍ଷ ବିଜୟ ଶାନ୍ତି କୁମୁରିକା, ବିଷମକଟକ ‘କ’ ଜୋନରୁ ହାଟମୁନିଗୁଡ଼ା ସରପଞ୍ଚ ସୁଜାତା କାଡ୍ରକା, ଚନ୍ଦ୍ରପୁର ଜେନାରୁ ଚନ୍ଦ୍ରପୁର ସରପଞ୍ଚ ସୁଜିତ୍ ବେଡ୍ରେକା, କୋଲନରା ‘କ’ ଜୋନରୁ କଂଗ୍ରେସ ଶିବିର ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ଇପିଲି ଧବଳେଶ୍ବର ନାଇଡ଼ୁ, କଲ୍ୟାଣସିଂହପୁର ‘କ’ ଜୋନରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବି. ୱାରା ପ୍ରସାଦ ରାଓକୁ ପ୍ରାର୍ଥୀ କରିଛି ଦଳ। ବିଶେଷ କରି ଏହି ସବୁ ଜୋନ୍ ଗୁଡ଼ିକରେ ବିଜେଡ଼ି ଚଳିତ ନିର୍ବାଚନରେ କଡ୍ଡା ଟକ୍କରର ସମ୍ମୁଖୀନ ହେବ। ଯେଉଁଥି ପାଇଁ ଦିନ ରାତିକୁ ଏକ କରି ମନ୍ତ୍ରୀ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ଛାତ୍ର ସଭାପତି ଲାଗି ପଡିଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳର ପୁନରାବୃତ୍ତି ଯେପରି ନ ହେବ ସେ ଦିଗରେ ସଭିଁଏ ତତ୍ପର ହେବାକୁ ଜିଲ୍ଲା ସଭାପତି ଶ୍ରୀ ଦାଶ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି।

୨୦୧୭ ପଞ୍ଚାୟତ ନିର୍ବାଚନରେ ଗୁଣପୁର, ବିଷମକଟକ ନିର୍ବାଚନ ମଣ୍ଡଳୀର ୧୬ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡ଼ି ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା। ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୮ ଆସନରୁ ବିଜେଡ଼ି ଗୋଟିଏରେ ଜିତିଥିଲା। ଗୁଣପୁର ଖ ଜୋନକୁ ଛାଡ଼ିଲେ ପଦ୍ମପୁରର ୨, ରାମନାଗୁଡ଼ାର ୨, ଗୁଡ଼ାରିର ଗୋଟିଏ, ଗୁଣପୁରର ଗୋଟିଏ, ଚନ୍ଦ୍ରପୁରର ଗୋଟିଏ ଆସନକୁ ମିଶାଇ ୭ ଜୋନରେ ବିଜେଡ଼ି ହାରିଥିଲା। ବିଷମକଟକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ୍ ଅବସ୍ଥା ହୋଇଥିଲା। ନିର୍ବାଚନ ମଣ୍ଡଳୀର ୪ ବ୍ଲକ୍ ଅଧୀନରେ ଥିବା ୮ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ମାତ୍ର ୨ଟିରେ ବିଜୟୀ ହୋଇଥିଲା। ବଳକା ୬ ଆସନରୁ କଂଗ୍ରେସ ୫ଟି, ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଥିଲା। ଏପରି ଭାବେ ୧୬ ଜିଲ୍ଲା ପରିଷଦ ଜୋନରୁ ବିଜେଡ଼ି ୩ଟି, କଂଗ୍ରେସ ୯ଟି, ବିଜେପି ୪ଟି ଆସନରେ ବିଜୟୀ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe