ନବୀନଙ୍କ ବାରିପଦା ଗସ୍ତ ପରେ ଜିଲ୍ଲା ରାଜନୀତିରେ ହଲଚଲ: ୧୬ ଦଫା ଦାବି ନେଇ ବିଜେପି ପକ୍ଷରୁ ସୋମବାର ଜିଲ୍ଲା ବନ୍ଦ ଡାକରା

Advertisment
ନବୀନଙ୍କ ବାରିପଦା ଗସ୍ତ ପରେ ଜିଲ୍ଲା ରାଜନୀତିରେ ହଲଚଲ: ୧୬ ଦଫା ଦାବି ନେଇ ବିଜେପି ପକ୍ଷରୁ ସୋମବାର ଜିଲ୍ଲା ବନ୍ଦ ଡାକରା

ବାରିପଦା: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ପରେ ଜିଲ୍ଲା ରାଜନୀତିରେ ହଲଚଲ ଦେଖାଦେଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବେଶ୍ ତତ୍ପରତା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକାର୍ଡ ମାଧ୍ୟମରେ ବିଜେଡି ଜିଲ୍ଲାର ପ୍ରତ୍ୟେକ ବ୍ଲକ୍, ପୌରାଞ୍ଚଳର ତୃଣମୂଳସ୍ତରକୁ ପହଞ୍ଚି ସମର୍ଥନ ଜୁଟାଉଛି ବିଜେଡି। ଜିଲ୍ଲାରେ ଏକାଧିକ ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଉପସ୍ଥିତ ରହି ସ୍ମାର୍ଟ ହେଲଥ କାର୍ଡ ବାଣ୍ଟୁଛନ୍ତି। ଯାହାକି ପୁରା ମୟୂରଭଞ୍ଜରେ ବିଜେଡିର ପ୍ରତ୍ୟେକ ବର୍ଗର ନେତା, କର୍ମୀଙ୍କୁ ଚଳଚଞ୍ଚଳ କରି ରଖିଛି। ଏହି ଅବସରରେ ବିଜେଡି ପଞ୍ଚାୟତରୁ ଆରମ୍ଭ କରି ୱାର୍ଡ ସ୍ତର ପର୍ଯ୍ୟନ୍ତ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଜିଲ୍ଲାର ନେତା, କର୍ମୀଙ୍କୁ ଉତ୍ସାହିତ କରିଛି। ଏପରିକି ରାଜ୍ୟର ଏକାଧିକ ମନ୍ତ୍ରୀ, ବିଧାୟକ, ନିଗମ ଅଧ୍ୟକ୍ଷ ଜିଲ୍ଲାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ରହି ସିଧାସଳଖ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିବେ। ଯାହାକି ଜିଲ୍ଲାରେ ଏକ ବିପ୍ଳବ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ବିଜେଡି ପକ୍ଷରୁ ପ୍ରକାଶ। ସେହିପରି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭା ପରେ ବିଜେଡି କର୍ମକର୍ତ୍ତାଙ୍କ ଆକ୍ରମଣର ଶିକାର ହୋଇଥିଲେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତ୍ତା। ଏହାକୁ ଏକ ରାଜନୈତିକ ପ୍ରସଙ୍ଗ କରି ବିଜେଡିକୁ ଅକଳରେ ପକାଇବା ସ୍ଥିତିରେ ଅଛି ବିଜେପି।

୧୬ ଦଫା ଦାବିସମୂହକୁ ନେଇ ବିଜେପି ପକ୍ଷରୁ ଆସନ୍ତା ୨୫ ତାରିଖ ସୋମବାର ଦିନ ୧୨ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି ବିଜେପି। ଏକ୍ଷେତ୍ରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମଧ୍ୟ ପଛରେ ପଡ଼ିନି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ଜେଏମଏମର ଜଣେ ନେତା ମଧ୍ୟ ବିଜେଡି କର୍ମକର୍ତ୍ତାଙ୍କ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଗତ କିଛି ମାସ ହେବ ଜିଲ୍ଲାରେ ରାଜନୈତିକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିଛି ଦଳ। ଆଜି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଜେଏମଏମର ପ୍ରତିଷ୍ଠାତା ତଥା ସୁପ୍ରିମୋ ଶିବୁ ସୋରେନ୍ଙ୍କୁ ସାକ୍ଷାତ କରି ଜିଲ୍ଲାରେ ରାଜନୈତିକ ଗତିବିଧିକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି ଜିଲ୍ଲାର ନେତୃମଣ୍ଡଳୀ। ସେହିପରି କଂଗ୍ରେସ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଆନ୍ଦୋଳନ କରୁଛି। ଜିଲ୍ଲାରେ ଏପରି ରାଜନୈତିକ ପାଣିପାଗ ସୂଚାଉଛି ଯେ ଆଗକୁ ପଞ୍ଚାୟତ ନିର୍ବାଚନ ବେଶ୍ ସରଗରମ ହେବ।

ସେହିପରି ବିଜେପି କହିଛି ଯେ ଜିଲ୍ଲାରେ ଏମିତି କୌଣସି ଡାକ୍ତରଖାନା ନାହିଁ ଯେଉଁଠି ପୂର୍ଣ୍ଣସଂଖ୍ୟକ ଡାକ୍ତର ପଦବୀ ପୂରଣ ହୋଇଛି। ମୟୂରଭଞ୍ଜରେ ନାରୀ ସୁରକ୍ଷା କଥା ନକହିବା ଭଲ। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଏବେବି ସ୍ବଚ୍ଛ ପାନୀୟ ଜଳ ସ୍ବପ୍ନ। ଜିଲ୍ଲାରେ ଛଉ ଏକାଡେମୀ, ଇକୋ ଟୁରିଜିମ୍ ପ୍ରତିଷ୍ଠା, ବନ୍ଦ ପଡ଼ିଥିବା ଶିଳ୍ପାନୁଷ୍ଠାନର ପୁନରୁଦ୍ଧାର ଯେପରି ସ୍ବପ୍ନ ହୋଇପଡ଼ିଛି। ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି କେବଳ ବାକ୍ୟବାଣ। ଉତ୍ତର ଓଡ଼ିଶାର ଏକମାତ୍ର ମୟୂରଭଞ୍ଜ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ହୋମିଓ ପ୍ୟାଥିକ କଲେଜ ବନ୍ଦ ହୋଇ ପଡିଛି । ଏହାକୁ ସରକାର ହାତକୁ ନେଇ କାର୍ଯ୍ୟକ୍ଷମ କରାଯିବ ବୋଲି ବାରିପଦାଠାରେ ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରେ ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ କରିନାହାନ୍ତି। ଏପରି ପୁଳା ପୁଳା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ବିଜେପି। ସେହିପରି ଜିଲ୍ଲାର ବିକାଶ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଜିଲ୍ଲାର ବିକାଶ କରିବା ପରିବର୍ତ୍ତେ ରାଜ୍ୟ ସରକାର ମୟୂରଭଞ୍ଜବାସୀଙ୍କ ସହିତ ମୁଖ୍ୟମନ୍ତ୍ରୀ ପ୍ରତାରଣା କରିଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି କାନ୍ଦ୍ରା ସୋରେନ୍। ସେହିପରି ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭା ପରେ ବିଜେଡି କର୍ମୀମାନେ ଯେପରି ଢଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରି ଗୁରୁତର କରିଛନ୍ତି ତାହା ନିନ୍ଦନୀୟ। ସେହିପରି ଦାଗି ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ରାଜ୍ୟ ସରକାର ନାରୀ ସୁରକ୍ଷା କଥା କହିବା ବେଶ୍ ଦୁର୍ଭାଗ୍ୟଜନକ। ଜିଲ୍ଲାରେ ମଧ୍ୟ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡ଼ିଛି।

୨୨ ବର୍ଷ ଧରି ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ଭାରତୀୟ ଜନତା ପାର୍ଟି ଆସନ୍ତା ୨୫ (ସୋମବାର) ଦିନ ସକାଳ ୬ ରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଜିଲ୍ଲା ବନ୍ଦ ଡାକରା ଦେଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍। ଏନେଇ ଜିଲ୍ଲା ପ୍ରଶାସନକୁ ବିଦ୍ଧିବଧ ସୂଚନା ଦିଆଯାଇଛି। ଏନେଇ ଆଜି ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାନ୍ଦ୍ରା ସୋରେନ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ପ୍ରକାଶ ସୋରେନ୍, ଭାସ୍କର ମଢ଼େଇ, ବୁଢ଼ାନ ମୁର୍ମୁ, ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, କବି ବିଷ୍ଣୁ ଶତପଥୀ, ପରେଶ ଚନ୍ଦ୍ର ମହାନ୍ତ, ପ୍ରଦୀପ କୁମାର ମହାନ୍ତି, ବିଜୟ କୁମାର ଦାସ, ପ୍ରବୀଣ ପାତ୍ର, ଲକ୍ଷ୍ମୀଧର ହାବଡ଼ା, କୌଶଲ୍ୟା ନାୟକ, ଶୋଭାବତୀ ଓତା, ହେମଲତା ଦାସ, ପାୟଲ ରାୟ, ଦୀନେଶ ଦାସ, ଦେବବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଜିଲ୍ଲା ବନ୍ଦ ଜରିଆରେ ବିଜେପି ପୁରା ଜିଲ୍ଲାରେ ରାଜନୈତିକ କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ଜୋର୍ ଧରିଛି। ଅନ୍ୟପଟେ ବିଜେପିକୁ କାଉଣ୍ଟର କରି ବିଜେଡି କହିଛି ଯେ ମୟୂରଭଞ୍ଜରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟା ହେଲା ଦିନରୁ ଔଷଧ ବିକଳରେ ତାଟିଆ କାମୁଡ଼ୁଛି ବିଜେପି।

ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପୁଳ ଲୋକପ୍ରିୟତାକୁ ସହିପାରୁନି ଦଳ। ତେଣୁ ଅଯଥାରେ ବିଳାପ କରୁଛି ଗେରୁଆ ଦଳ। ବିଜେଡି ନୁହେଁ ବିଜେପି ହିଁ ଲୋକଙ୍କୁ ଭକୁଆ କରୁଛିବୋଲି ଆରୋପ ଲଗାଇଛନ୍ତି ପୂର୍ବତନ ଏସ୍ଡିସି ଅଧ୍ୟକ୍ଷ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାଶିଷ ମାର୍ଣ୍ଡି। ବିଜେପିର ୧୨ ଘଣ୍ଟିଆ ଜିଲ୍ଲାବନ୍ଦକୁ ଡାକରାକୁ ମୟୂରଭଞ୍ଜବାସୀ ଆଦୌ ଗ୍ରହଣ କରିବେ ନାହିଁ। ଜନସାଧାରଣ ଏହାକୁ କେବେ ମଧ୍ୟ କ୍ଷମା କରିବେ ନାହିଁ ବୋଲି ଶ୍ରୀ ମାର୍ଣ୍ଡି ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟ ସେବା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟ ହେଲ୍ଥ କାର୍ଡ ସବୁଠି ଗ୍ରହଣୀୟ ହେଉଛି। ଯାହାକୁ ନେଇ ବିରୋଧୀ ଅସହିଷ୍ଣୁ ହୋଇପଡ଼ିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ ପ୍ରଥମେ ବିଜେପି କାର୍ଯ୍ୟକର୍ତ୍ତାମାନେ ହିଁ ବ୍ୟାରିକେଡ୍ ଭାଙ୍ଗି ଆଇନ ଭାଙ୍ଗିଛନ୍ତି। ଜଣେ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ବର୍ତ୍ତମାନ ସମୟରେ କେନ୍ଦ୍ରରେ ଥିବା ବିଜେପି ସରକାର ଦରଦାମକୁ ନିୟନ୍ତ୍ରଣ କରିପାରୁନାହିଁ। ତେଣୁ ଶସ୍ତା ଲୋକପ୍ରିୟତା ପାଇଁ ବିଜେପି କାମ ନକରି ଲୋକଙ୍କ ହିତ ପାଇଁ କାମ କରୁ ବୋଲି ଶ୍ରୀ ମାର୍ଣ୍ଡି ବିଜେପି ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ଜିଲ୍ଲା ବନ୍ଦକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ବାକଯୁଦ୍ଧ ବେଶ୍ ରୋଚକ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe