କଂଗ୍ରେସ ସାଂସଦ ଧୀରଜ ସାହୁର କୁଶପୁତ୍ତଳିକା ଦାହ କଲା ବିଜେପି

Advertisment
କଂଗ୍ରେସ ସାଂସଦ ଧୀରଜ ସାହୁର କୁଶପୁତ୍ତଳିକା ଦାହ କଲା ବିଜେପି

ଭଦ୍ରକ: ରାଜ୍ୟରେ ସଂପ୍ରତି ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି। ବିଜେଡ଼ି ସରକାର ସମୟରେ ମାଫିଆରାଜର ବୃଦ୍ଧି ଘଟିଛି। ଯନ୍ତ୍ରୀ, ମନ୍ତ୍ରୀ, ଠିକାଦାର, ମଦବେପାରୀଙ୍କ ପାଖରେ ରହିଛି ଶହ ଶହ କୋଟି ଟଙ୍କା। ଜଣେ ମଦ ବ୍ୟବସାୟୀ ଘରୁ ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ଏକ ଛୋଟିଆ କଥା ନୁହେଁ। ମଦ ବ୍ୟବସାୟ କରି ଜଣେ କୋଟିପତି ହୋଇ ପାରେ, ମାତ୍ର ଏଭଳି ଶହଶହ କୋଟି ଟଙ୍କା ଘରେ ସାଇତି ରଖିବା ଏକ ଅସମ୍ଭବ ଭଳି ମନେ ହୁଏ। ଏହା ନିଶ୍ଚିତ ଆଗାମୀ ନିର୍ବାଚନ ପାଇଁ ବିଜେଡ଼ିର ଗଚ୍ଛିତ ଅର୍ଥ ବୋଲି ବିଜେପି ଆରୋପ କରିଛି। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ନେତୃତ୍ଵରେ ଡିଆଇବି ଅଫିସ ସମ୍ମୁଖ କଚେରୀ ବଜାରଠାରେ ଏକ ପ୍ରତିବାଦ ସଭା କରାଯିବା ସାଙ୍ଗକୁ ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଜେପି ଅଭିଯୋଗ କରିଛି ଯେ ଆଗାମୀ ଆଉ କେଇମାସ ମଧ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟରେ ବଦନାମ ହୋଇସାରିଥିବା ବିଜେଡ଼ି ସରକାର ପୁଣି କ୍ଷମତାକୁ ଫେରିବା ପାଇଁ କଳ, ବଳ, ଅର୍ଥ ସବୁକିଛି ପ୍ରୟୋଗ କରିବ। ଏଥିଲାଗି ବିଜେଡ଼ି ପକ୍ଷରୁ ବିପୁଳ ପରିମାଣର ଅର୍ଥ ଏବେଠାରୁ ବିଭିନ୍ନ ମାଫିଆମାନଙ୍କ ପାଖରେ ଜମା ରଖାଯାଇଛି।

ଯାହାର ମାତ୍ର ଗୋଟିଏ ନମୁନା ଏବେ ସାମ୍ନାକୁ ଆସିଛି। ମଦ ବ୍ୟବସାୟୀ ଆଉ ମ୍ୟାନେଜରଙ୍କ ଘରୁ ବାହାରିଛି ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଏଇଥିରୁ ସାଧାରଣ ଜନତା ବେଶ୍ ଜାଣିସାରିଲେଣି ବିଜେଡ଼ି ସରକାରର ସ୍ବଚ୍ଛତା କେତେ? ଜଣେ ମଦ ବେପାରୀ ଯିଏ କି ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଳାରେ ୨୦୦୦ ମସିହାରୁ ମହୁଲୀ ମଦର ଟେଣ୍ଡର ନେଇ ବ୍ୟବସାୟ କରୁଛି। ସରକାର ଲଟେରୀ ସିଷ୍ଟମରେ ମଦ ଲାଇସେନ୍ସ ଦେଉଥିବାବେଳେ ଧୀରଜ ସାହୁ ଦୀର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ବ କିପରି ନିରବଚ୍ଛିନ୍ନ ଲାଇସେନ୍ସ ପାଇପାରୁଛି ବୋଲି ବିଜେପି ପ୍ରଶ୍ନ କରିଛି।

ଏଥି ସହିତ ଚଢ଼ାଉ ବେଳେ ଜବତ ହୋଇଥିବା ଡାଏରୀ ଖୋଲାଯିବା ଏବଂ ସେଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାର ଖୁଲାସା କରାଯାଉ। ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତିଙ୍କ ସମେତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ ନାୟକ, ମନୋରଞ୍ଜନ ମଲ୍ଲିକ, ଉପସଭାପତି ଶ୍ରୀହର୍ଷ ସ୍ବାଇଁ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନା, ଅଶୋକ ପରିଜା, ଜଗନ୍ନାଥ ଦାସ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe