ବାରିପଦା : ଗତକାଲି ଜଣେ ଅଟୋ ଚାଳକ ଜଣେ ମହିଳାଙ୍କୁ ବେହୋସ ଅବସ୍ଥାରେ ଫିଙ୍ଗିଦେଇ ଚାଲିଯିବା ଘଟଣାକୁ ନେଇ ତାତିଛି ବିଜେପି ମହିଳା ମୋର୍ଚ୍ଚା। ଆଜି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ପିଆରଏମ ହସ୍ପିଟାଲରେ ପୀଡ଼ିତା ମହିଳା ପ୍ରଭାତୀ ମହାନ୍ତଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏପରିକି ପୀଡ଼ିତାଙ୍କୁ ଚିକିତ୍ସା ନିମନ୍ତେ ଶଯ୍ୟା ମିଳିନଥିବାରୁ ଉଦ୍ବେଗ ପ୍ରକାଶ କରିଥିଲା ଦଳ। ଏନେଇ ପିଆରଏମ ଅଧୀକ୍ଷକଙ୍କୁ ଭେଟି ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଦାବି କରିଥିଲେ।
ପରେ ସଦର ଥାନା ଆଇଆଇସିଙ୍କୁ ଭେଟି ଅଭିଯୁକ୍ତ ଅଟୋ ଡ୍ରାଇଭର ସମ୍ପର୍କରେ ସନ୍ଧାନ ମିଳିବା ନେଇ ଆଲୋଚନା କରିଥିଲେ। ଏପର୍ଯ୍ୟନ୍ତ ଅଟୋ ଡ୍ରାଇଭର୍ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବା ପୁଲିସ୍ ସୂତ୍ରରୁ ପ୍ରକାଶ। ଏପରି ସମ୍ବେଦନହୀନ ଘଟଣା ସମ୍ପର୍କରେ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି ହୋଇଛି।
ପୀଡ଼ିତା ମହିଳାଙ୍କ ଶ୍ବଶୁର ଘର ମୋରଡ଼ା ବ୍ଲକ୍ ନୂଆଗାଁ ପଞ୍ଚାୟତ ଅନ୍ତର୍ଗତ ଛୋଟରାୟପୁର ବୋଲି ଜଣାପଡ଼ିଛି। ନିଜ ବାପ ଘର ଜାମଶୁଳିକୁ ଆସି ଶାଶୁ ଘରକୁ ଅଟୋରେ ଫେରୁଥିବାବେଳ ବାରିପଦା ସଦର ଥାନା ବାଘୁଆଶୋଳ ପ୍ରିନ୍ସ କଲେଜ୍ ନିକଟରେ ତାଙ୍କୁ ଅଟୋ ଡ୍ରାଇଭର ବେହୋସ ଅବସ୍ଥାରେ ଛାଡ଼ି ଦେଇ ପଳାଇଥିବା ଅଭିଯୋଗ ହୋଇଛି । ବିଜେପି ମହିଳା ମୋର୍ଚ୍ଚା ଟିମ୍ରେ ରାଜ୍ୟ ସମ୍ପାଦିକ କୌଶଲ୍ୟା ନାୟକ, ଜିଲ୍ଲା ସଭାନେତ୍ରୀ ସରୋଜିନୀ କିସ୍କୁ, ଉପସଭାନେତ୍ରୀ ସ୍ବର୍ଣ୍ଣଲତା ମହାନ୍ତି, ସୁଜାତା ଷଡ଼ଙ୍ଗୀ, ହେମଲତା ଦାସ, ଅମ୍ବିକା ବାରିକ ପ୍ରମୁଖ ସାମିଲ ଥିଲେ।
Follow Us