ଷ୍ଟ୍ରଙ୍ଗ ରୁମ୍‌ ସମ୍ମୁଖରେ ଦିନରାତି ଜଗି ରହିଛନ୍ତି ବିଜେପି ନେତା, ବ୍ୟବସ୍ଥା ଉପରେ ନାହିଁ ଭରସା

Advertisment
ଷ୍ଟ୍ରଙ୍ଗ ରୁମ୍‌ ସମ୍ମୁଖରେ ଦିନରାତି ଜଗି ରହିଛନ୍ତି ବିଜେପି ନେତା, ବ୍ୟବସ୍ଥା ଉପରେ ନାହିଁ ଭରସା

Sambad

ବେତନଟୀ: ବ୍ୟବସ୍ଥା ଉପରେ ବିଶ୍ବାସ କରିପାରୁ ନାହିଁ ବିଜେପି। ଅଭିଯୋଗ ଆସୁଛି, ବିରୋଧୀ ଦଳର ନେତା ଓ କର୍ମୀମାନେ ଅସାଧୁ ଉପାୟ ଅବଲମ୍ବନ କରି ଦଳୀୟ ତଥା ଦଳ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ଜିତାଇବା ଲକ୍ଷ୍ୟରେ ଅଛନ୍ତି। ଏପରି ସନ୍ଦେହ କରି ବିଜେପିର ବିଧାୟକ ତଥା ନେତା ଓ କର୍ମୀମାନେ ଷ୍ଟ୍ରଙ୍ଗ୍‌ରୁମ୍‌ ଆଗରେ ଦିନରାତି ଜଗି ରହିଛନ୍ତି। ଏହି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌‌ରେ। ବେତନଟୀରେ ୧୮ ତାରିଖ ଦିନ ଦ୍ବିତୀୟ ପର୍ଯ୍ୟାୟ ମତଦାନ ସରିଛି। ୩୫, ୩୬ ଓ ୩୭ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ଆସନ ସହ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ପାଇଁ ଭୋଟର ମତସାବ୍ୟସ୍ତ କରିଛନ୍ତି। ତେବେ ମତଦାନ ବେଳେ ନିର୍ବାଚନ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ଆସିଥିଲା। ପୋଲିଂ ସରିବା ପରେ ପ୍ରିଜାଇଡିଂ ଅଫିସରମାନେ ପୋଲିଂ ଏଜେଣ୍ଟମାନଙ୍କୁ ବାଲଟ୍‌ ବାବଦ ତଥ୍ୟ ଦେବା କଥା। ହେଲେ ବେତନଟୀର ବିଭିନ୍ନ ବୁଥ୍‌ରେ ସେପରି ହୋଇ ନ ଥିଲା। ଫଳରେ ବିଜେପି ନେତୃବୃନ୍ଦ ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନିର୍ବାଚନ କମିଶନ ନିୟମକୁ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା ପାଳନ ହୋଇ ନାହିଁ।

ଫଳରେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସହ ବେତନଟୀ ବ୍ଲକ୍‌ ଅଧ୍ୟକ୍ଷ କାଳୀଚରଣ ସୋରେନ, ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡ଼ା, ଜଗବନ୍ଧୁ ପଣ୍ଡା, କେଶବ ନାଥ, ଖଗେନ୍ଦ୍ର ସାହୁ, କୁନା ମହାନ୍ତ ପ୍ରମୁଖ ସୁରକ୍ଷା ବ୍ୟବସ୍ଥା ଉପରେ ସନ୍ଦେହ ପ୍ରକାଶ କରି ବେତନଟୀ କଲେଜରେ ହୋଇଥିବା ଟ୍ରଙ୍ଗ୍‌ରୁମ୍‌ ଆଗରେ ଦିନରାତି ଜଗି ରହିଛନ୍ତି। ଷ୍ଟ୍ରଙ୍ଗ୍‌ରୁମ୍‌ ଆଗରେ ବିଜେପିର ଏପରି କ୍ୟାମ୍ପ୍‌ କରାଯିବା ଖବର ପାଇ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ବେତନଟୀ କଲେଜ ପରିସରରେ ପହଞ୍ଚି ବିଧାୟକ ଶ୍ରୀ ବିଜୁଳି ଏବଂ ଅନ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାରେ ୨୨ ଓ ୨୪ ତାରିଖ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି। ଉକ୍ତ ଦୁଇଟି ତାରିଖରେ ମତଦାନ ସରିଲେ ୨୬ ତାରିଖ ଦିନ ବେତନଟୀ ବ୍ଲକ୍‌ର ୩୫ ନମ୍ବର ଜୋନ୍‌, ୨୭ ତାରିଖ ଦିନ ୩୬ ନମ୍ବର ଜୋନ୍‌ ଏବଂ ୨୮ ତାରିଖ ଦିନ ୩୭ ନମ୍ବର ଜୋନ୍‌ର ଫଳାଫଳ ପାଇଁ ଭୋଟ୍‌ ଗଣତି ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe