ନଳକୂଅ ଦାବିରେ ଜାତୀୟ ରାଜପଥ ଅବରୋଧ

Advertisment
ନଳକୂଅ ଦାବିରେ ଜାତୀୟ ରାଜପଥ ଅବରୋଧ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଜହ୍ନାପଙ୍କ ଗ୍ରାମରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ବଢ଼ିବାରେ ଲାଗିଛି। ପାନୀୟ ଜଳ ପାଇଁ ଗାଁରେ ସ୍ୱଜଳ ଧାରା ପ୍ରକଳ୍ପ ଅଛି। ହେଲେ ଏହି ପ୍ରକଳ୍ପ ଗତ ୧୧ ମାସ ହେବ ବନ୍ଦ ହୋଇ ପଡ଼ିଛି। ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ପାଣି ବୁହାଇଲା ପରି ଖର୍ଚ୍ଚ ହେଉଛି। ଫଳ କିନ୍ତୁ ଶୂନ। ପାନୀୟ ଜଳ ପାଇଁ ଲୋକେ ଅନ୍ୟ ଗାଁ ଉପରେ ନିର୍ଭର କରି ବର୍ଷ ତମାମ ଚଳୁଛନ୍ତି। ଗାଁକୁ ପାଣି ଟେଙ୍କର ଯୋଗେ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆ ଯାଉଛି। କିନ୍ତୁ ଏହାର ସୁଷମ ବଣ୍ଟନ ହେଉନଥିବା ଯୋଗୁଁ ଗାଁର ୬୦ ପ୍ରତିଶତ ଲୋକ ପାଉ ନାହାନ୍ତି। ଗାଁର କୁମ୍ଭାର ସାହିରେ ୪ ବର୍ଷ ହେଲା ଏକ ନଳକୂଅ ବସାଇବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଠାରେ ନଳକୂପ ଖୋଳା ଯାଉ ନାହିଁ। ଏପରିକି ସ୍ୱଜଳ ଧାରା ପ୍ରକଳ୍ପକୁ ମରାମତି ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇ ନାହିଁ।

ଫଳରେ ଶୁକ୍ରବାର ସକାଳ ୬ ଟାରେ ୫୦ରୁ ଅଧିକ ମହିଳା ଗରିଆ, ବାଲ୍‌ଟି ଧରି ବୌଦ୍ଧ-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ଜହ୍ନାପଙ୍କ ଗାଁ ମୁଣ୍ଡରେ ୨ ଘଣ୍ଟା ଅବରୋଧ କରିଥିଲେ। ଜହ୍ନାପଙ୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯେତେ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ନିଜ ଜିଦ୍‌ରେ ଅଟଳ ଥିଲେ। ପରେ ଆରଡବ୍ଲୁଏସ୍‌ଏସ୍‌ର ସହକାରୀ ଯନ୍ତ୍ରୀ ମାନସ ରଂଜନ ପରିଡ଼ା ଓ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରା ମହିଳାମାନଙ୍କ ସହିତ ବୁଝାମଣା କରି ଆସନ୍ତା ୮ ଦିନ ମଧ୍ୟରେ କୁମ୍ଭାର ସାହିଠାରେ ଏକ ନଳକୂଅ ଖୋଳିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲେ। ରାସ୍ତାରେକ ଯୋଗୁଁ ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିବା ଯୋଗୁଁ ଦୁରଦୂରାନ୍ତକୁ ଯିବାକୁ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe