ନବମ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

Advertisment
ନବମ ଶ୍ରେଣୀ ଛାତ୍ରୀଙ୍କୁ ଟେକି ନେଇ ଗଣଦୁଷ୍କର୍ମ

Photo by : india.com

କଣ୍ଟାମାଳ/ଘଣ୍ଟାପଡ଼ା,ରାଇରଙ୍ଗପୁର/ ଝରାଡ଼ିହି : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଡ଼ିବାହାଲି ଗାଁରେ କୁନ୍ଦୁଲି ଘଟଣାର ପୁନରାବୃତ୍ତି ଘଟିଛି। ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ ହୋଇଥିବା ପୁଲିସରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଗତ ୨୭ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ହୋଇଛି। ପୁଲିସ୍‌ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ ହେଁ, ଉଭୟ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, କଣ୍ଟାମାଳ ଥାନା ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ଖମଣମୁଣ୍ଡା ପଞ୍ଚାୟତ ଅଞ୍ଚଳର ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକା କୋଡ଼ିବାହାଲିସ୍ଥିତ ତାଙ୍କ ମାମୁ ଘରକୁ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ଗତ ଶନିବାର ସନ୍ଧ୍ୟାରେ ଛାତ୍ରୀ ଜଣକ ତାଙ୍କ ଜଣେ ପିଉସୀଙ୍କ ସହିତ କୁଡ଼ିବାହାଲି ଆଶ୍ରମ ପଟକୁ ଶୌଚ ପାଇଁ ଯାଇଥିଲେ। ଆଶ୍ରମ ପାଖ ନଳକୂଅରେ ସେମାନେ ପାଣି ମାରୁଥିବା ବେଳେ ସେହି ଗାଁର ପରମା ଭୋଇ ଏବଂ ତା’ର ସାଥୀ ସେଠାରୁ ନାବାଳିକାଙ୍କୁ ବଳପୂର୍ବକ ଜଙ୍ଗଲ ପଟକୁ ଟେକି ନେଇଥିଲେ। ପିଉସୀ ପାଟି କରିଥିଲେ ହେଁ ସେ ଦୁହେଁ ଭୃକ୍ଷେପ କରି ନଥିଲେ। ପୀଡ଼ିତା ପାଟି କରିବାରୁ ତାଙ୍କ ମୁହଁରେ କପଡ଼ା ପୂରାଇ ଦେଇଥିଲେ। ଜଙ୍ଗଲ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା କଣ୍ଟାମାଳ ଥାନାରେ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି।

ପିଉସୀଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ପହଞ୍ଚିବାରୁ ଅଭିଯୁକ୍ତ ଦ୍ୱୟ ଫେରାର ହୋଇ ଯାଇଥିଲେ। ରବିବାର ପୀଡ଼ିତା ତାଙ୍କ ଗାଁକୁ ଆସି ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ପରିବାର ଲୋକେ ଅଭିଯୁକ୍ତଙ୍କ ଘରେ ଏହି କଥା ଜଣାଇବାରୁ ସେମାନେ ଓଲଟା ଧମକ ଦେଇଥିଲେ। ପୀଡ଼ିତାଙ୍କ ପରିବାର ଥାନାରେ ଦେଇଥିବା ଏତଲା ଅନୁସାରେ କେସ ନଂ ୧୯/୨୦୧୮ରେ ଏକ ମାମଲା ରୁଜୁ ହୋଇଛି ବୋଲି ଥାନାଧିକାରୀ ନରେଶ ପ୍ରଧାନ ପ୍ରକାଶ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ୍‌ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ବଡ଼କେଡମ୍‌ ଗ୍ରାମର ଆଶିଷ କୁମାର ପୃଷ୍ଟି(୨୦) ଓ ସେହି ଗ୍ରାମର ଗଣେଶ ବେହେରା(୨୨)। ଆଶିଷ ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ଗଣେଶ ପୀଡ଼ିତାଙ୍କ ପରିବାରକୁ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।

ଗତ ୨୭ ତାରିଖ ପୂର୍ବାହ୍ନ ୧୦ଟା ବେଳେ ଦିବ୍ୟାଙ୍ଗ ଯୁବତୀ ଜଣକ ପୋଖରୀରେ ବାସନ ମାଜୁଥିଲେ। ଏତିକିବେଳେ ଆଶିଷ ଯୁବତୀଙ୍କୁ ଘର ଭିତରକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀଙ୍କ ପାଟିତୁଣ୍ଡ ଶୁଣି ତାଙ୍କ ପରିବାର ସଦସ୍ୟ ଘରକୁ ଆସି ଯାଇଥିଲେ। ଭୟରେ ଯୁବକ ଜଣକ ଛାଡ଼ି ପଳାଇଥିଲା। ଏନେଇ ଯୁବତୀଙ୍କ ପରିବାର ସଦସ୍ୟ ସେହି ଦିନ ଝରାଡିହି ଫାଣ୍ଡିରେ ଅଭିଯୋଗ କରିବାକୁ ଯାଇଥିଲେ। ପୁଲିସ୍‌ରେ ଅଭିଯୋଗ ନକରିବା ପାଇଁ ଅଭିଯୁକ୍ତ ଆଶିଷଙ୍କ ସହ ଗଣେଶ ତାଙ୍କ ଘରକୁ ଯାଇ ଧମକଚମକ ଦେଇଥିଲେ। ଏନେଇ ଯୁବତୀଙ୍କ ପରିବାର ସଦସ୍ୟ ତିରିଂ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପାଇ ଦଫା ୩୭୬, ୫୧୧, ୫୦୬, ୩୪ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe