‘ମିଗଜୋମ’ ବାତ୍ୟା: ଅଦିନିଆ ବର୍ଷା, ଉଜାଡ଼ି ଦେଲା ଫସଲ

Advertisment
‘ମିଗଜୋମ’ ବାତ୍ୟା: ଅଦିନିଆ ବର୍ଷା, ଉଜାଡ଼ି ଦେଲା ଫସଲ

ବୌଦ୍ଧ/ହରଭଙ୍ଗା/ଲକ୍ଷ୍ମୀପ୍ରସାଦ/ବାଉଁଶୁଣି/ଜହ୍ନାପଙ୍କ: ‘ମିଗଜୋମ’ ବାତ୍ୟା ଯୋଗୁଁ ମଙ୍ଗଳବାର ରାତିରୁ ବୌଦ୍ଧ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବର୍ଷା ପରିମାଣ କମ୍‌ ଥିଲେ ସୁଦ୍ଧା ଅମଳକ୍ଷମ ଫସଲ ପାଇଁ କାଳ ସାଜିଛି। ବୌଦ୍ଧ ବ୍ଲକ୍‌ରେ ସର୍ବାଧିକ ୬ ମିମି ବର୍ଷା ହୋଇଥିବା ବେଳେ କଣ୍ଟାମାଳ ବ୍ଲକରେ ୪.୪ ମିମି ଓ ହରଭଙ୍ଗା ବ୍ଲକରେ ୨ ମିମି ବୃଷ୍ଟିପାତ ହୋଇଛି। ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ଧାନ ପାକଳ ହୋଇ କାଟିବା ଅବସ୍ଥାରେ ରହିଛି। ଅଧିକାଂଶ ସ୍ଥାନରେ କାଟିବା ଆରମ୍ଭ ହୋଇଛି। କଟା ହୋଇ ନଥିବା ଧାନ କିଛି ମାତ୍ରାରେ ରକ୍ଷା ପାଇ ଯାଇଛି। ହେଲେ କଟା ଧାନକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛି। ବଡ଼ ଚାଷୀ ​ମେସିନ ଲଗାଇ ଧାନ ଅମଳ କରୁଥିବା ବେଳେ ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି। ଜମିରେ ପଡ଼ିଥିବା ପେଟା ଓଦା ହୋଇଯାଇଛି। ଏଭଳି ପାଗ କିଛି ଦିନ ରହିଲେ ଓଦା ଧାନ ଗଜା ହୋଇଯିବା ଆଶଙ୍କା ରହିଛି।

publive-image

ଜିଲ୍ଲାର ହରଭଙ୍ଗାରୁ ଆରମ୍ଭ କରି କଣ୍ଟାମାଳ ପର୍ଯ୍ୟନ୍ତ ସବୁ ଅଞ୍ଚଳରେ ସମାନ ସ୍ଥିତି ରହିଛି। ଧାନ ପରେ ଜିଲ୍ଲା ଅର୍ଥକାରୀ ଫସଲ ହେଉଛି ପନିପରିବା ଚାଷ। ବୌଦ୍ଧ ବ୍ଲକ୍‌ର ଅଧିକାଂଶ ଚାଷୀ ପରିବା ଚାଷ କରନ୍ତି। ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ, ଖୁଣ୍ଟବନ୍ଧ, ତେଲିବନ୍ଧ, ପଦ୍ମନପୁର, ମୁଣ୍ଡାପଡ଼ା, ବ୍ରାହ୍ମଣୀପାଲି, ବାଉଶୁଣି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଛି। ବର୍ଷାସାରା ପରିବା ଚାଷରେ ସେମାନଙ୍କ ପରିବାର ଚଳେ। ବର୍ଷାରେ ଓଦା ହୋଇ ଫୁଲକୋବି, ଟମାଟୋ, ବନ୍ଧାକୋବି, ବାଇଗଣ, ମୂଳା, ଧନିଆଁ, ଶାଗ ଆଦି ନଷ୍ଟ ହୋଇଯାଇଛି। ବର୍ଷା ସହ କୋହଲା ପାଗ ଯୋଗୁଁ ଫୁଲକୋବିର ରଙ୍ଗ କଳା ହୋଇଯାଇଛି। ଫଳରେ ବାଧ୍ୟ ହୋଇ କମ ଦରରେ ବିକ୍ରି କରିବା ପରିସ୍ଥିତି ଦେଖା ଦେଇଛି। ସେହିପରି ଜିଲ୍ଲାର ତୃତୀୟ ଅର୍ଥକାରୀ ଚାଷ ହେଉଛି କପା।

ଜିଲ୍ଲାର କଣ୍ଟାମାଳ ବ୍ଲକରେ ବ୍ୟାପକ ପରିମାଣରେ କପାଚାଷ ହୋଇଛି। ଏଥି ସହିତ ବୌଦ୍ଧ ବ୍ଲକ୍‌ ବଘିଆପଡ଼ା, କମ୍ପରା, ରାମପୁର, କମିରା, ରଙ୍ଗମାଟିଆ, ଖଲିଆପାଲି ଆଦି ଅଞ୍ଚଳର ଆଟରେ କପା ଚାଷ ହୋଇଛି। କପାର ପ୍ରଥମ ଅମଳ ଏବେ ଆରମ୍ଭ ହୋଇଛି। ସବୁ କିଆରିରେ କପା ବାହାରି ଧଳା ଦେଖା ଯାଉଛି। ଫୁଟିଲା କପା ବର୍ଷାରେ ଓଦା ହୋଇଯିବାରୁ ଚାଷୀ ଚିନ୍ତାରେ ପଡ଼ିଛି। ଏବେ ବି ଟାଣ ଖରା ହେଲେ ଅଳ୍ପ କିଛିର ରଙ୍ଗ କଳା ହୋଇ ନଷ୍ଟ ହେବା ଆଶା ରହିଛି। ଦୁଇ ତିନି ଦିନ ବର୍ଷା ସହ କୋହଲା ପାଗ ରହିଲେ ଜିଲ୍ଲାରେ ଚଳିତ ବର୍ଷ ହୋଇଥିବା ୫୯୩୦ ହେକ୍ଟରର ସମ୍ପୂର୍ଣ୍ଣ କପା ଚାଷ ନଷ୍ଟ ହେବା ଆଶଙ୍କା ରହିଛି। ସମସ୍ତ ଡାଲିଜାତୀୟ ଫସଲ ହରଡ଼, ମୁଗ, ବିରି, ସୋରିଷ, କୋଳଥରେ ଫୁଲ ଆସିବା ଆରମ୍ଭ ହୋଇଛି। ବର୍ଷା ଓ ପବନ ଯୋଗୁଁ ଫୁଲ ଝଡ଼ି ଯାଉଥିବାରୁ ଚାଷୀମାନେ ବିହନ ଫେରି ପାଇବା ନେଇ ସନ୍ଦେହ ପ୍ରକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe