ମାଲିକକୁ ଖୋଜୁଛି ଦନ୍ତା! ବନ ବିଭାଗ ଘଉଡ଼ାଉଛି, ଜଙ୍ଗଲକୁ ଡରି ରାସ୍ତାରେ ବୁଲୁଛି ହାତୀ

Advertisment
ମାଲିକକୁ ଖୋଜୁଛି ଦନ୍ତା! ବନ ବିଭାଗ ଘଉଡ଼ାଉଛି, ଜଙ୍ଗଲକୁ ଡରି ରାସ୍ତାରେ ବୁଲୁଛି ହାତୀ

ବୌଦ୍ଧ: ପିଲାଦିନରୁ ମଣିଷ ଗହଣରେ ରହିଛି। ଶିଶୁ ହାତୀ ମାଲିକ ସହ ନଖରାମି କରିଛି। ମାଲିକ ଯାହା ଦେଇଛି ଖାଇଛି। ମାଲିକର ସ୍ନେହ ପାଇଛି। ଜଙ୍ଗଲ ଓ ଜଙ୍ଗଲୀ ହାତୀଙ୍କ ପାଇଁ ସେ ଅପରିଚିତ। ରାସ୍ତାରେ ଚାଲିବା ଅଭ୍ୟାସ ଥିବାରୁ ଜଙ୍ଗଲ ଦେଖିଲେ ଡରୁଛି। ହେଲେ ବୌଦ୍ଧ ବନ ବିଭାଗ ପୋଷା ହାତୀଟିକୁ ଥଇଥାନ କରିବା ପରିବର୍ତ୍ତେ ଜଙ୍ଗଲକୁ ଘଉଡ଼ାଇବାରେ ଲାଗିଛି। ଯେତେ ଥର ଘଉଡ଼ାଇଲେ ପୁଣି ଗାଁମୁହାଁ ହେଉଛି।

ସୂଚନା ଅନୁସାରେ ବୁଧବାର ହାତୀଟି ସୁବର୍ଣ୍ଣପୁର ପଟରୁ ତଡ଼ାଖାଇ ମହନଦୀ ପାର ହୋଇ ବୌଦ୍ଧ ଜିଲ୍ଲାକୁ ପ୍ରବେଶ କରିଥିଲା। ୫୭ ନମ୍ବର ଜାତୀୟ ରାଜପଥରେ ଆସି ବୌଦ୍ଧ ସହର ନିକଟ ବଲାସିଙ୍ଗା ଗାଁକୁ ପଶିଥିଲା। ଲୋକେ ଗାଁ ଦାଣ୍ଡରେ ଦନ୍ତା ହାତୀକୁ ଦେଖି ଆତଙ୍କିତ ହୋଇ ପଡ଼ିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଆସି ଘଉଡ଼ାଇଥିଲେ। ହାତୀଟି ଶାନ୍ତ ସ୍ବଭାବର ହୋଇଥିବାରୁ କାହାକୁ ଆକ୍ରମଣ କରିନାହିଁ। ବରଂ ଲୋକଙ୍କ ଚିତ୍କାର, ନିଆଁହୁଳା ଦେଖି ଭୟରେ ଆଗକୁ ବଢ଼ିଥିଲା। ରବିବାର ମଧ୍ୟାହ୍ନରେ ହାତୀଟି ବୌଦ୍ଧ ରେଞ୍ଜ ବଘିଆପଡ଼ା ସେକ୍ସନ ଦମଣ୍ଡା ଗାଁ ନିକଟରେ ବୁଲୁଥିଲା। ଫସଲ ନଷ୍ଟ କରିବା ବଦଳରେ ହାତୀଟି ଗାଁମୁହାଁ ହୋଇଥିଲା। ପୁଣି ଖେଦାଖାଇ ସୋମବାର ସକାଳେ ବରପଦର ଗାଁ ଓ ସନ୍ଧ୍ୟାରେ ଜଗଦଲା ଗାଁ ନିକଟରେ ରହିଥିବା ଜଣାଯାଇଛି। ହାତୀଟିର ଶୁଣ୍ଢର ଉପର ଭାଗରେ ସିନ୍ଦୂର ବୋଳା ହୋଇଛି। ଲୋକେ ପାଖକୁ ଗଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଖାଉନାହିଁ। ଜଙ୍ଗଲ ପରିବେଶ ସହ ଅଭ୍ୟସ୍ତ ନଥିବାରୁ ଯେତେ ଥର ଜଙ୍ଗଲ ମଧ୍ୟକୁ ଘଉଡ଼ାଇଲେ ପୁଣି ଜନବସତି ଆଡ଼କୁ ଆସୁଛି।

ସେପଟେ ହାତୀର ସୁରକ୍ଷା ନେଇ ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି। ସମଗ୍ର ବୌଦ୍ଧ ବନଖଣ୍ଡ ଶିକାରୀଙ୍କ କବ୍‌ଜାରେ ରହିଥିବାରୁ ଜଙ୍ଗଲକୁ ପଶିଲେ ଦାନ୍ତ ପାଇଁ ହତ୍ୟା ହେବା ଆଶଙ୍କା ରହିଛି। ତେଣୁ ଯୁବ ଦନ୍ତାଟିକୁ ସୁରକ୍ଷିତ ଭାବରେ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି। ସେପଟେ ହାତୀକୁ ନେଇ ସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି। ପଶ୍ଚିମ ଓଡ଼ିଶାର କୌଣସି ଏକ ଉତ୍ସବ ପାଇଁ ହାତୀଟି ଆସିଥିଲା। ମାହୁନ୍ତ ପାଖରେ ଗଞ୍ଜେଇ ଥିବାରୁ ଏବେ ସେ ଜେଲ୍‌ରେ ରହିଛି। ହାତୀଟି ବେସାହାରା ହୋଇ ମାଲିକକୁ ଖୋଜି ବୁଲୁଛି। ହାତୀର ସୁରକ୍ଷା ବିଷୟରେ ଜାଣିବା ପାଇଁ ଡିଏଫ୍‌ଓ ଦେବପ୍ରିୟ କମ୍ପଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ଗ୍ରହଣ କରିନଥିଲେ। ଏସିଏଫ୍‌ ଆଶିଷ କହଁରଙ୍କୁ ହାବଭାବରୁ ଏହା ପୋଷାହାତୀ ବୋଲି ଚିହ୍ନଟ କରାଯାଇଛି, ତାକୁ ସୁରକ୍ଷିତ ଭାବେ ନନ୍ଦନକାନନ ପଠାଇବା ପାଇଁ ଉପରିସ୍ଥ ଅଧିକାରୀଙ୍କ ସହ ​ଯୋଗାଯୋଗ କରିବେ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe