କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି:ଉଡ଼ିଗଲା ଚାଳ ଛପର, ୬ ଆହତ

Advertisment
କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି:ଉଡ଼ିଗଲା ଚାଳ ଛପର, ୬ ଆହତ

ବିନିକା/ସେଲେଡ଼ି: ବିନିକା ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ବିନିକା ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ସର୍କଲ ଗାଁଗୁଡ଼ିକରେ ବହୁ କ୍ଷୟକ୍ଷତି ଘଟିଛି। ବିନିକା ତହସିଲ ଅଫିସ୍‌ରୁ ମିଳିଥିବା ସୂଚନା ଅନୁସାରେ, ସେଲେଡ଼ି ଆର୍‌ଆଇ ସର୍କଲ ଅଧୀନରେ ୨୦ କଉଡ଼ିଆମୁଣ୍ଡା ଆର୍‌ଆଇ ସର୍କଲ ଅଧୀନରେ ୨୦, ମହଦା ଆର୍‌ଆଇ ସର୍କଲ ଅଧୀନରେ ୧୬୦, ମେଘେଳା ଆର୍‌ଆଇ ସର୍କଲ ଅଧୀନରେ ଅଧୀନରେ ୬୦ ଘର ଭାଙ୍ଗିବା ସହ ଚାଳ ଛପର ଉଡ଼ି ଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବିନିକା ତହସିଲଦାର ଅଲେଖ ଘୁଟା ପ୍ରକାଶ କରିଛନ୍ତି। ମହଦା ଆର୍‌ଆଇ ସର୍କଲର ବାବୁପାଲି ଗାଁରେ ଘର ଭାଙ୍ଗି ଯିବାରୁ ରିତା ସାହୁ (୧୭), ପପୁନ ସହୁ (୧୦), ବେଣୁଧର ସାହୁ (୩୬) ଓ ବୃନ୍ଦାବନ ସାହୁ ଆହତ ହୋଇଛନ୍ତି। ସେମାନଙ୍କୁ ସରପଞ୍ଚ ସୌଦାମିନୀ ସେଠୀଙ୍କ ସହାୟତାରେ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା।

ସେହିପରି କଉଡ଼ିଆମୁଣ୍ଡା ଆର୍‌ଆଇ ସର୍କଲ ବାଉଁଶୁଣିର ଉର୍ମିଲା ସେଠ୍‌ (୪୧) ବିଲରୁ ଫେରୁଥିଲା ବେଳେ ଗୋଡ଼ରେ ଗଛ ପଡ଼ିବାରୁ ତାଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ପ୍ରଥମେ ସୋନପୁର ଡାକ୍ତରଖାନା ଓ ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ସେହିପରି ଗଙ୍ଗା ଖମାରୀ ପୋଖରୀରୁ ସ୍ନାନ ସାରି ଫେରୁଥିଲା ବେଳେ ବାଟରେ ଗଛ ପଡ଼ିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।। ସେମାନେ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ବୁଧବାର ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ଓ ବିନିକା ସରପଞ୍ଚ ସଂଘ ସଭାପତି ଲକ୍ଷ୍ମଣ ସାହୁ ବାବୁପାଲି ଯାଇ ଆହତଙ୍କୁ ଭେଟିଥିଲେ। ସେହିପରି କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କ ସହ ସେମାନେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe