ବୌଦ୍ଧ ଜିଲ୍ଲାରେ ଖୋଲିଲା ମଣ୍ଡି, ଆରମ୍ଭ ହେଲା ଧାନ କିଣା

ବୌଦ୍ଧ ଜିଲ୍ଲାରେ ଖୋଲିଲା ମଣ୍ଡି, ଆରମ୍ଭ ହେଲା ଧାନ କିଣା

ବୌଦ୍ଧ/ମନମୁଣ୍ଡା: ବୌଦ୍ଧ ଜିଲ୍ଲାରେ ଖୋଲିଲା ଚଳିତବର୍ଷର ଖରିଫ ଧାନ ମଣ୍ଡି। ଜିଲ୍ଲା ପ୍ରଶାସନ ତଥା ଯୋଗାଣ ବିଭାଗ ପକ୍ଷରୁ କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲ୍ଲାସ୍ତରୀୟ ପ୍ରଥମ ଖରିଫ ଧାନକ୍ରୟ କେନ୍ଦ୍ର ଆରମ୍ଭ କରାଯାଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ମଣ୍ଡିକୁ ଏଫ୍‌ଏକ୍ୟୁ ମାନର ଧାନ ଆଣିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଉପସ୍ଥିତ ଚାଷୀମାନଙ୍କ ମାର୍ଗ ଦର୍ଶନ କରିଥିଲେ। ବୌଦ୍ଧ ପିଡ଼ି ଡିଆରଡିଏ ଶଶାଙ୍କ ଶେଖର ଦାଶ ମଣ୍ଡିରେ ଚାଷୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବା ସହିତ ଶୀଘ୍ର ଧାନବିକ୍ରି ଅର୍ଥ ପାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ମଣ୍ଡିରେ ଅବ୍ୟବସ୍ଥା ହେଲେ ତୁରନ୍ତ ଜିଲ୍ଲାପାଳ କିମ୍ବା ପିଡିଙ୍କୁ ଫୋନ ମାଧ୍ୟମରେ ଜଣାଇବାକୁ ଉପସ୍ଥିତ ଚାଷୀଙ୍କୁ କୁହାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସିଏସ୍‌ଓ ବିଭୁ ପ୍ରସାଦ ଆଚାର୍ଯ୍ୟ, ଏଆର୍‌ସିଏସ ଭୀମସେନ ସାହୁ, ଏସିଏସ୍‌ଓ ବିଷ୍ଣୁ ପ୍ରସାଦ ପ୍ରଧାନ, ଆର୍‌ଏମ୍‌ସି ସମ୍ପାଦକ ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ତେବେ ଗତ ବର୍ଷ ମଣ୍ଡିରେ ଆଲୁଅ, ପାନୀୟ ଜଳ କିମ୍ବା ବିଶ୍ରାମ ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ ହଇରାଣ ହୋଇଥିଲେ। ଚଳିତବର୍ଷ ଏହାର ପୁନରାବୃତ୍ତି ନହେବା ପାଇଁ ଗୌର ପଟ୍ଟନାୟକ, ଗୁନା ଦାନୀ, ମନୋଜ ଅଗ୍ରୱାଲ, ଗୌର ପ୍ରଧାନ, ଅଦିତ୍ୟେଶ୍ୱର ମିଶ୍ର ପ୍ରମୁଖ ଚାଷୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅପରପକ୍ଷେ ଚଳିତ ଖରିଫରେ ବୌଦ୍ଧ ଜିଲ୍ଲାର ମୋଟ୍‌ ୩୪,୩୫୦ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଂଜିକୃତ ହୋଇଛନ୍ତି। ୪୨ ଟି ପେକ୍ସ ମାଧ୍ୟମରେ ୫୯ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ପଂଜିକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୦ଲକ୍ଷ ୮୦ହଜାର କ୍ବିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆଜି ପ୍ରଥମ ଦିନରେ ୨ ଜଣ ଚାଷୀଙ୍କଠାରୁ ୧୨୯. ୨୮ କ୍ବିଣ୍ଟାଲ ଧାନ କିଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe