ଶବ ହୋଇ ଫେରିଲେ ଦାଦନ ଶ୍ରମିକ; କାଦୁଅ ରାସ୍ତା ଯୋଗୁଁ ଗାଁକୁ ଗଲାନି ଶବବୁହା ଗାଡ଼ି, ଖଟିଆରେ ବୁହାହେଲା ମୃତଦେହ

Advertisment
 ଶବ ହୋଇ ଫେରିଲେ ଦାଦନ ଶ୍ରମିକ; କାଦୁଅ ରାସ୍ତା ଯୋଗୁଁ ଗାଁକୁ ଗଲାନି ଶବବୁହା ଗାଡ଼ି, ଖଟିଆରେ ବୁହାହେଲା ମୃତଦେହ

ଦେଓଗାଁ/ଗୁଡ଼ଭେଲା: ପରିବାର ସଦସ୍ୟଙ୍କ ପେଟକୁ ଦାନା ମୁଠାଏ ଦେବା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିଲେ। ଏବେ ଶବ ହୋଇ ଗାଁକୁ ଫେରିଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ବିରାମୁଣ୍ଡା ପଞ୍ଚାୟତ ସନ୍ଧିସରା ଗାଁର ରାଜେଶ ବାଗ (୧୯ବର୍ଷ)। ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁସାରେ, ସନ୍ଧିସରା ଗାଁର ଶୁକ୍ରୁ ବାଗଙ୍କ ପୁଅ ରାଜେଶ ଗତ ୮ମାସ ତଳେ ଗୁଜରାଟର ଭୌଥାନକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଘର ନିର୍ମାଣ କାମରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ଗତ ସୋମବାର ସନ୍ଧ୍ୟାରେ କାମସାରି ଏକ ବିଦ୍ୟୁତ୍‌ ତାର ରଖିବାକୁ ଯାଇଥିବା ସମୟରେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ। ଏନେଇ ସାଥୀ ଶ୍ରମିକମାନେ ତାଙ୍କ ପରିବାର  ଲୋକଙ୍କୁ ଖବର ଦେଇଥିଲେ।

ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସ ୫୦ ହଜାର ଟଙ୍କାରେ ଭଡ଼ାକରି ଗାଁକୁ ଶବ ଆଣିଥିଲେ। ହେଲେ ଗାଁଠାରୁ ପ୍ରାୟ ୧.୫ କିମି ରାସ୍ତା ଏବେ କାଦୁଅରେ ଭର୍ତ୍ତି ହୋଇଛି। ଫଳରେ ଆମ୍ବୁଲାନ୍ସ ଆଉ ଆଗକୁ ଯାଇପାରି ନଥିଲା। ପରିବାର ଲୋକେ ଏକ ଖଟିଆରେ ଶବକୁ ବୋହି ଘରକୁ ନେଇଥିଲେ। ଅନ୍ୟପକ୍ଷରେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇଥିବାରୁ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ତେଣୁ ସରକାର ନିୟମ ଅନୁଯାୟୀ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ରାସ୍ତା ସମସ୍ୟା ସଂପର୍କରେ ବିରାମୁଣ୍ଡା ସରପଞ୍ଚ ସନୋଷିନୀ ପଧାନଙ୍କୁ ପଚରାଯିବାରୁ ବର୍ତ୍ତମାନ ପଞ୍ଚାୟତରେ ରାସ୍ତା ମରାମତି ପାଇଁ ପାଣ୍ଠି ନାହିଁ, ଅନୁଦାନ ଆସିଲେ ମରାମତି କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe