ଭୁଶୁଡ଼ିଲା ଇବ୍ ନଦୀ ବାଲି ବନ୍ଧ, ପାଣିରେ ବୁଡ଼ି ବାଳକ ମୃତ

ଭୁଶୁଡ଼ିଲା ଇବ୍ ନଦୀ ବାଲି ବନ୍ଧ, ପାଣିରେ ବୁଡ଼ି ବାଳକ ମୃତ

Sambad

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର କଡ଼ ଦେଇ ଯାଇଥିବା ଇବନଦୀରେ ଖରାଦିନିଆ ପାଣି ସଂରକ୍ଷିତ ରଖିବାକୁ ତିଆରି ବାଲି ବନ୍ଧ ଶୁକ୍ରବାର ସକାଳେ ଭୁଶୁଡ଼ି ପଡ଼ିଥିଲା। ଫଳରେ ବନ୍ୟା ପାଣି ମାଡ଼ି ଗଲା ଭଳି ତଳକୁ ପାଣି ବହି ଯାଇଥିଲା। ତେବେ ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଥିଲା। ନଦୀକୁ ଗାଧୋଇବାକୁ ଯାଇଥିବା ସୁନ୍ଦରଗଡ଼ ସହର ଭିତିରିଆପଡ଼ାର ଶିବମ ସାହୁ (୭) ନାମକ ଜଣେ ବାଳକ ଭରା ପାଣିରେ ବୁଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ଖରାଦିନେ ଇବ୍ ନଦୀ ଶୁଖିଲା ପଡ଼େ। ନଦୀ ଉପରେ ଭରସା କରିଥିବା ସୁନ୍ଦରଗଡ଼ରେ ଜଳ ସଂକଟ ବଢ଼ିଯାଏ। ତାକୁ ଦୃଷ୍ଟିରେ ରଖି ନଦୀରେ ପ୍ରତିବର୍ଷ ପୌରପାଳିକା ପକ୍ଷରୁ ବାଲି ବନ୍ଧ ତିଆରି କରି ପାଣି ସଂରକ୍ଷିତ ରଖାଯାଏ। କିନ୍ତୁ ଏଥର ପୌର ନିର୍ବାଚନ ପାଇଁ ପୌରପରିଷଦ ବ୍ୟସ୍ତ ରହି ବାଲି ବନ୍ଧ କଥା ଭୁଲି ଯାଇଥିଲା। ଲୋକଙ୍କ ଦାବି ପରେ ସୁନ୍ଦରଗଡ଼ ସଦର ବ୍ଲକ୍ ପକ୍ଷରୁ ୫ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ମାସେ ତଳେ ବାଲି ବନ୍ଧ ତିଆରି କରାଯାଇଥିଲା।

publive-image Sambad

ତେବେ ଶୁକ୍ରବାର ସକାଳେ ବନ୍ଧଟି ଭାଙ୍ଗି ଯାଇଥିଲା ଓ ପାଣି ତଳକୁ ମାଡ଼ି ଯାଇଥିଲା। ଠିକ୍ ଏହି ସମୟରେ ବାଳକ ଶିବମ ଗାଧୋଇବାକୁ ନଦୀକୁ ଯାଇ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବାଳକଙ୍କ ପରିବାରକୁ ପ୍ରଶାସନ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଦାବି ହେଉଛି। ପ୍ରକାଶଯୋଗ୍ୟ, ମୌସୁମୀ ବିଳମ୍ବ ଥିବା ବେଳେ ବନ୍ଧ ଭାଙ୍ଗି ଇବନଦୀର ସଂରକ୍ଷିତ ପାଣି ଚାଲି ଯାଇଥିବାରୁ ନଦୀ ଏବେ ଶୁଖିଲା ରହିବ। ଏସ୍ଥିତିରେ ସୁନ୍ଦରଗଡ଼ ସହର ଓ ପାର୍ଶ୍ବବର୍ତ୍ତୀ ବ୍ଲକର ଗାଁଗୁଡ଼ିକ ପାଇଁ ଜଳ ସଂକଟ ଉତ୍କଟ ହେବାର ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe