ବେଳାଭୂମି ରାସ୍ତାରୁ ନିଖୋଜ ଯୁବକଙ୍କ ପତ୍ତା ମିଳୁନି: ସିଡିଆର୍‌ ରିପୋର୍ଟରୁ ଯାଞ୍ଚ, ସନ୍ଦେହରେ ଯୁବକଙ୍କୁ ପଚରାଉଚରା

Advertisment
ବେଳାଭୂମି ରାସ୍ତାରୁ ନିଖୋଜ ଯୁବକଙ୍କ ପତ୍ତା ମିଳୁନି: ସିଡିଆର୍‌ ରିପୋର୍ଟରୁ ଯାଞ୍ଚ, ସନ୍ଦେହରେ ଯୁବକଙ୍କୁ ପଚରାଉଚରା

ଜଗତସିଂହପୁର: ଗତ ୩ ତାରିଖରୁ ଅଭୟଚାନ୍ଦପୁର ଥାନା ଅଧୀନ ଗଡ଼କୁଜଙ୍ଗ ପଞ୍ଚାୟତର ଭୂୟାଁପାଳ ଗାଁର ସୁଶାନ୍ତ ଦାସଙ୍କର ପତ୍ତା ମିଳୁ ନାହିଁ। ପାରାଦୀପ ବେଳାଭୂମି ରାସ୍ତା ସାଇନସ୍ ପାର୍କ ନିକଟରେ ଥିବା ମୂର୍ତ୍ତି ବିସର୍ଜନ ପୋଖରୀ ନିକଟରେ ସେ ଚଳାଉଥିବା ଟାଟା ଏସିଇ ଅଟୋ ରହିଥିବା ବେଳେ ‌ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଏବେ ତଦନ୍ତକୁ ଜୋରଦାର କରିଛି। ପ୍ରାଥମିକ ତଦନ୍ତ ସ୍ବରୁପ ସୁଶାନ୍ତଙ୍କ କଲ୍ ଡିଟେଲସ୍ ରିପୋର୍ଟ (ସିଡିଆର)ରୁ ସେମିତି କିଛି ସନ୍ଦେହ ଜନକ ତଥ୍ୟ ମିଳିନଥିବା ଜଣାପଡ଼ିଛି। ଯାହାକି ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି। ମାତ୍ର ତଦନ୍ତରୁ ଜଣେ ଯୁବକଙ୍କ ଠାରୁ ସୁଶାନ୍ତ କିଛି ଟଙ୍କା ଉଧାର ଆଣି ଥିବା ଜାଣି ପୁଲିସ ସନ୍ଦେହରେ ସେହି ଯୁବକଙ୍କୁ ଆଜି ଥାନାକୁ ଡାକି ପଚରାଉଚରା କରିଥିଲା। ଅନ୍ୟପଟେ ପରିବାର ଲୋକ ଏତେ ଦିନ ଧରି ସୁଶାନ୍ତଙ୍କ ପତ୍ତା ମିଳୁନଥିବାରୁ ବ୍ୟସ୍ତ ହୋଇପଡ଼ିଛନ୍ତି। ପୁଲିସ ତଦନ୍ତକୁ ଆହୁରି ଜୋରଦାର କରିବା ଆବଶ୍ୟକ ବୋଲି ସୁଶାନ୍ତଙ୍କ ଭାଇ ନାରାୟଣ କହିଛନ୍ତି। ନାରାୟଣ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମଧ୍ୟ ଦେଇଛନ୍ତି।

ତାଙ୍କ କହିବା ମୁତାବକ, ସୁଶାନ୍ତଙ୍କ ମୋବାଇଲ୍‌ ବେଳେ ବେଳେ ଅନ୍ ହେଉଛି। କାରଣ ହ୍ବାଟସ୍ଆପ୍‌କୁ ଯାହା ମେସେଜ ପଠାଯାଉଛି ତାହା କେହି ଦେଖୁଥିବା ଚିହ୍ନ ଆସୁଛି। ସୁଶାନ୍ତଙ୍କ ନମ୍ବରଟି ଅଧିକାଂଶ ସମୟ ସୁଇଚ୍‌ଡ ଅଫ୍ ରହୁଛି। ମାତ୍ର ବେଳେବେଳେ ଅନ୍ କରି କେହି ମେସେଜ୍ ଦେଖୁଛି ବୋଲି ନାରାୟଣ କହିଛନ୍ତି। ଏଣୁ ସୁଶାନ୍ତ ନିଜେ ଏମିତି କରୁଛି ନା ତାକୁ ଅପହରଣ କରାଯାଇ ତା ମୋବାଇଲ୍‌କୁ ଆଉ କେହି ‌ବ୍ୟବହାର କରୁଛି ଆମେ ଜାଣିପାରୁ ନାହୁଁ ବୋଲି ନାରାୟଣ କହିଛନ୍ତି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିମାଇଁ ଚରଣ ସେଠୀ ଗାଁରେ ପହଞ୍ଚି କିଛି ଯୁବକଙ୍କୁ ପଚରା‌ଉଚରା କରିଛନ୍ତି। ପ୍ରକାଶ ଥାଉ କି, ସୁଶାନ୍ତ ନିଜେ ଏକ ଅଟୋ (ଓଡି୦୫ବିସି୬୫୬୦) କିଣିଥିଲେ। ସେଥିପାଇଁ ଗାଁରେ ଥିବା ଗୋଷ୍ଠୀରୁ ସେ ଟଙ୍କା ଋଣ ଆକାରରେ ନେଇଥିଲେ। ସେ ଦିନ ଗୋଷ୍ଠୀରୁ ନେଇଥିବା ଋଣ ଟଙ୍କା ଫେରସ୍ତ କରିବାର ଥିଲା। ଭାଇମାନଙ୍କ ସହ ସେ କଥା ହୋଇ ଟଙ୍କା ଯୋଗାଡ଼ କରିବାକୁ ପାରାଦୀପ ଆସିଥିଲେ। ପାରାଦୀପରେ ତାଙ୍କୁ ଜଣେ ଟଙ୍କା ଦେବାର ଅଛି ବୋଲି ସେ ଘରେ କହିଥିଲେ। ଗତ ୩ ତାରିଖରେ ସନ୍ଧ୍ୟା ୫ଟା ୪୫ରେ ସେ ତାଙ୍କ ଭାଇ ନାରାୟଣଙ୍କୁ ଫୋନ୍ କରି ଟଙ୍କା ଯୋଗାଡ଼ ହୋଇଗଲା ବୋଲି କହିଥିଲେ। ଖୁବଶୀଘ୍ର ଘରେ ପହଞ୍ଚି ଗୋଷ୍ଠୀର ବୈଠକରେ ଟଙ୍କା ଫେରସ୍ତ କରିବି ବୋଲି କହିଥିଲେ। ମାତ୍ର ସେହି ଦିନୁ ସେ ଘରେ ପହଞ୍ଚି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe