ଯୁବକଙ୍କ ବଦାନ୍ୟତା: ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ

Advertisment
ଯୁବକଙ୍କ ବଦାନ୍ୟତା: ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଂଚାଇଲେ

Sambad

ଜୟପୁର: ରକ୍ତଭଣ୍ଡାରରେ ଗତ କିଛି ମାସ ହେବ ରକ୍ତର ଅଭାବ ଲାଗି ରହିଛି। ରୋଗୀଙ୍କ ସଂପର୍କୀୟ ମାନେ ଅଦଳବଦଳ କଲେ ଯାଇ ହିଁ ରୋଗୀଙ୍କୁ ରକ୍ତ ଦିଆଯାଉଛି। ନଚେତ ସ୍ବେଚ୍ଛାସେବୀ ମାନଙ୍କ ସହଯୋଗରେ ରକ୍ତ ଯୋଗାଡ଼ କଲେ ରୋଗୀଙ୍କୁ ମିଳି ପାରୁଛି। ବିରଳ ନେଗେଟିଭ୍ ଗ୍ରୁପର ରକ୍ତ ବହୁ ସମୟରେ ମିଳିବା କଷ୍ଟସାଧ୍ୟ ହୋଇ ପଡ଼ିଛି। ବହୁ ଜରୁରୀ ରୋଗୀଙ୍କୁ ବି ଗୋଟିଏ ୟୁନିଟ୍ ବି ଯୋଗାଇ ଦେବା ସମ୍ଭବ ପର ହେଉନି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଜଣେ ଗର୍ଭବତୀ ମହିଳାଙ୍କୁ ବିରଳ ‘‘ଏ-ନେଗେଟିଭ୍ ’’ ଗ୍ରୁପର ରକ୍ତର ଆବଶ୍ୟକତା ପଡ଼ିଥିଲା।

ଏସଂପର୍କରେ ସୂଚନା ପାଇବା ପରେ ଜଣେ ଯୁବକ ସ୍ବେଚ୍ଛାକୃତ ରକ୍ତଦାନ କରି ନିଜ ମହାନତାର ପରିଚୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ଜୟପୁର ବ୍ଲକର ଖଡ଼ଫା ଗାଁର ଅଭି ଭତରାଙ୍କ ପତ୍ନୀ ଜେମା ଭତରା (୨୩) ନାମକ ଗର୍ଭବତୀ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଜେମା ରକ୍ତହୀନତାର ଶୀକାର ହେବା ସହ ହିମୋଗ୍ଲୋବିନ୍ ୫.୩ ଗ୍ରାମ ରହିଥିଲା। ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ତୁରନ୍ତ ‘‘ଏ-ନେଗେଟିଭ୍ ’’ଗ୍ରୁପର ରକ୍ତ ଯୋଗାଡ଼ କରିବାକୁ କହିଥିଲେ। ଜେମାଙ୍କ ପରିବାରବର୍ଗ ଜୟପୁର ରକ୍ତଭଣ୍ଡାରକୁ ରକ୍ତ ପାଇଁ ଯାଇଥିଲେ। ତେବେ ରକ୍ତଭଣ୍ଡାରରେ ବିରଳ ତଥା ନେଗେଟିଭ ଗ୍ରୁପର ରକ୍ତ ନଥିବାରୁ ପରିବାରବର୍ଗ କଣ କରିବେ ଚିନ୍ତାରେ ପଡ଼ିଥିଲେ।

ଏମାନେ ବହୁ ଖୋଜାଖୋଜି କରିଥିଲେ ହେଁ ପାଇ ନଥିଲେ। ରାଜୀବ ନାମକ ଜଣେ ଯୁବକ ଜୟପୁର ରକ୍ତଦାନ ଗ୍ରୁପରେ ଏ ନେଇ ପୋଷ୍ଟ କରିଥିଲେ। ଏହାକୁ ଦେଖି ଆଜି ବାରିଣୀପୁଟର ରିଙ୍କୁ ପଣ୍ଡା ଜୟପୁର ରକ୍ତଭଣ୍ଡାରକୁ ଆସି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଜୟପୁର ରକ୍ତଦାନ ଗ୍ରୁପର ମନହର ତ୍ରିପାଠୀ ଅଭିଙ୍କୁ ସେହି ରକ୍ତ ଦିଲେଇବାରେ ସହଯୋଗ କରିଥିଲେ। ରିଙ୍କୁ ଏହା ପୂର୍ବରୁ ଜଣେ କରୋନା ସଂକ୍ରମିତ ଗର୍ଭବତୀଙ୍କୁ ବି ରକ୍ତଦାନ କରି ତାଙ୍କ ଜୀବନ ବଂଚାଇଥିଲେ। ଜରୁରୀ ସମୟରେ ରିଙ୍କୁଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ଶ୍ରୀ ତ୍ରିପାଠୀ ପ୍ରଶଂସା କରିଛନ୍ତି। ରକ୍ତଦାନ ମହା ପୁଣ୍ୟ। ଗୋଟିଏ ୟୁନିଟ୍ ରକ୍ତରେ ଯଦି ଜଣେ ଗର୍ଭବତୀ ମହିଳାଙ୍କର ଜୀବନ ବଂଚୁଛି ତା ଠାରୁ ବଡ଼ କଥା ଆଉ କିଛି ନୁହେଁ । ଯୁବ ବର୍ଗ ଭୟଭୀତ ନ ହୋଇ ରକ୍ତଦାନ କରି ଆମ ଭଳି ଅନ୍ୟ ମଣିଷଙ୍କ ଜୀବନ ବଂଚାନ୍ତୁ ବୋଲି କହିଛନ୍ତି ରିଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe