ବାଳ ସୁଧାର ଗୃହର ୧୪ଜଣ ଅନ୍ତେବାସୀ ପୁଣି କରୋନା ଆକ୍ରାନ୍ତ; ପଜିଟିଭ ସଂଖ୍ୟା ୬୪କୁ ବୃଦ୍ଧି

Advertisment
ବାଳ ସୁଧାର ଗୃହର ୧୪ଜଣ ଅନ୍ତେବାସୀ ପୁଣି କରୋନା ଆକ୍ରାନ୍ତ; ପଜିଟିଭ ସଂଖ୍ୟା ୬୪କୁ ବୃଦ୍ଧି

ବ୍ରହ୍ମପୁର: ବ୍ରହ୍ମପୁର ବାଳ ସୁଧାର ଗୃହର ୧୪ଜଣ ଅନ୍ତେବାସୀ ପୁଣିଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ଜାରିି କରାଯାଇଥିବା ପଜିଟିଭ୍‌ ତାଲିକାରେ ଏହିି ସୂଚନା ଦିଆଯାଇଛି। କିନ୍ତୁ ସୁଧାର ଗୃହ କର୍ତ୍ତୃପକ୍ଷଙ୍କ ନିକଟରୁ ଏ ନେଇ ବିଧିବଦ୍ଧ ରିପୋର୍ଟ ଆସି ନଥିବା ଅଧୀକ୍ଷକ ପି.କେ ହର ସୂଚନା ଦେଇଛନ୍ତି।

ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ସୁଧାର ଗୃହର ୫୦ଜଣ ଅନ୍ତେବାସୀ ପଜିଟିଭ୍‌ ହୋଇଥିଲେ। ପୁଣି ୧୪ଜଣ ଆକ୍ରାନ୍ତ ହେବା ପରେ ପଜିଟିଭ୍‌ ସଂଖ୍ୟା ବର୍ତ୍ତମାନ ୬୪ରେ ପହଞ୍ଚିଛି। ଅନ୍ତେବାସୀଙ୍କ ପଜିଟିଭ୍‌ ପରେ କିଛି କର୍ମଚାରୀଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ସେମାନଙ୍କ ରିପୋର୍ଟ ଆସି ନଥିବା ସୂଚନା ମିଳିଛି।

ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ସୁଧାର ଗୃହ (ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଆବାସ)ରୁ ଗତ ୧ତାରିଖରେ ୪୫ଜଣ ଅନ୍ତେବାସୀ ପଜିଟିଭ୍‌ ହୋଇଥିଲେ। ଜଣେ ଅନ୍ତେବାସୀଙ୍କୁ ଥଣ୍ଡା, ଜ୍ୱର ହେବାରୁ ମୋଟ ୭୫ଜଣ ନାବାଳକ ଅନ୍ତେବାସୀଙ୍କ ସ୍ୱାବ୍‌ ନମୁନା ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୪୫ଜଣ ଓ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୁଧାର ଗୃହ ପରିସରରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀ ଦଳ ସେଠାକୁ ଯାଇ ନାବାଳକଙ୍କ ଚିକିତ୍ସା କରିଥିଲେ। ବର୍ତ୍ତମାନ ସେମାନେ ସୁସ୍ଥ ହୋଇ ସାରିଥିବା ଜଣାପଡ଼ିଛି।

publive-image

ଗତ କିଛିଦିନ ତଳେ ପୁଣି କିଛି ନାବାଳକଙ୍କୁ ଥଣ୍ଡା, ଜ୍ୱର ହେବାରୁ ମୋଟ ୫୩ଜଣଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା। ଗତକାଲି ୧୪ଜଣ ନାବାଳକଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ବିଏମ୍‌ସି ତରଫରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ସେମାନଙ୍କୁ ମଧ୍ୟ ସୁଧାର ଗୃହରେ ଚିକିତ୍ସା କରାଯିବ ବୋଲି ଜଣାପଡ଼ିଛି।

ଓଡ଼ିଶାର ୧୨ଟି ଜିଲ୍ଲାରୁ ଏଠାକୁ ନାବାଳକ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଥାଏ। ବିଭିନ୍ନ ଜିଲ୍ଲାରୁ ଆସୁଥିବା ନାବାଳକମାନେ ବାହାରୁ ସଂକ୍ରମିତ ହୋଇ ଆସୁଥିବା ଅନୁମାନ କରାଯାଉଛି। ଏଠାକୁ ଆସିବା ପରେ ଅନ୍ୟମାନଙ୍କ ସହିତ ମିଳାମିଶା କରିବାରୁ ପଜିଟିଭ୍‌ ସଂଖ୍ୟା ବୃଦ୍ଧି ପାଉଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe