ବଂଶଧାରା ଉପରେ ସୁଉଚ୍ଚ ସେତୁକୁ ପ୍ରଶାସନିକ ଅନୁମୋଦନ, ଦୂର ହେଲା ୪ ଦଶନ୍ଧିର ଦୁଃଖ

Advertisment
ବଂଶଧାରା ଉପରେ ସୁଉଚ୍ଚ ସେତୁକୁ ପ୍ରଶାସନିକ ଅନୁମୋଦନ, ଦୂର ହେଲା ୪ ଦଶନ୍ଧିର ଦୁଃଖ

Sambad

ରାୟଗଡ଼ା: ପଦ୍ମପୁର ଓ ଗୁଡ଼ାରି ବ୍ଲକ ବାସୀଙ୍କ ୪ ଦଶନ୍ଧିର ଦାବି ଉପରେ ଆଜି ମୋହର ଲଗାଇଛନ୍ତି ରାଜ୍ୟ ସରକାର। ବଂଶଧାରା ନଦୀର ନାଇରା ନିକଟରେ ସୁଉଚ୍ଚ ସେତୁ ନିର୍ମାଣକୁ ପ୍ରଶାସନିକ ଅନୁମୋଦନ ସହ ୨୭ କୋଟି ୯୬ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଏହି ସେତୁ ଦ୍ବାରା ଗୁଡ଼ାରିକୁ ୪ କିମି ଦୂରତା କମିବ ଏବଂ ବ୍ଲକ୍ ସଦର ମହକୁମା ସହ ଯୋଡ଼ି ହେବ ପଦ୍ମପୁରର ୧୦ ଗ୍ରାମ। ୩୨୬ ନଂ ଜାତୀୟ ରାଜପଥର ଗୁମୁଡ଼ାରୁ ଗୁଡ଼ାରି ବ୍ଲକ୍ ସଦର ମହକୁମାକୁ ସଂଯୋଗ ପାଇଁ ବଂଶଧାରା ଉପରେ ସେତୁ ନିର୍ମାଣ ହୋଇ ନଥିବାରୁ କାଠ ପୋଲ ମାଧ୍ୟମରେ ଲୋକେ ଯାତାୟତ କରୁଥିଲେ। ୧୯୮୫ ମସିହାରେ ନିର୍ମାଣ ହୋଇଥିବା କାଠ ପୋଲ ପ୍ରତିବର୍ଷ ବନ୍ୟାରେ ଭାସିଯାଉଥିବା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ।

ବର୍ଷା ପରେ ପୁଣି କାଠ ପୋଲ ହିଁ ଗୁଡ଼ାରିବାସୀଙ୍କ ଏକ ମାତ୍ର ସାହା ଭରସା ପାଲଟିଥିଲା। ୧୯୯୫ ମସିହାରେ ବାଇନାଗୁଡ଼ା ଦେଇ ସରକାର ଗୁଡ଼ାରିକୁ ରାସ୍ତା ନିର୍ମାଣ କରିବା ପରେ କାଠପୋଲର ଦୁଃଖ ଦୂର ହୋଇଥିଲା। କିନ୍ତୁ ଗୁମୁଡ଼ାରୁ ଡେରିଗାଁ, ନାଇରା, ବାଇନାଗୁଡ଼ା ଦେଇ ଗୁଡ଼ାରି ପହଞ୍ଚିବାକୁ ଲୋକଙ୍କୁ ୨୦ କିମି ଦୂରତା ଅତିକ୍ରମ କରିବାକୁ ପଡ଼ୁଥିଲା। ଅନ୍ୟପକ୍ଷରେ ନଦୀ ଅପରପାର୍ଶ୍ବରେ ଥିବା ପଦ୍ମପୁର ବ୍ଲକର ୧୦ ଗ୍ରାମବାସୀ ବର୍ଷା ଦିନରେ ବ୍ଲକ୍ ସଦର ମହକୁମାରୁ ବିଚ୍ଛିନ୍ନ ହୋଇ ରହୁଥିବା ‌ବେଳେ ଜରୁରୀ କାମରେ ଏମ୍. କେରାଇ ଦେଇ ବହୁ ଦୂରତା ଅତିକ୍ରମ କରି ପଦ୍ମପୁରରେ ପହଞ୍ଚୁଥିଲେ। ଲୋକଙ୍କ ଦାବିନୁଯାୟୀ ବଂଶଧାରା ନଦୀର ନାଇରାରୁ ଲୋକନାଥପୁରକୁ ସଂଯୋଗ ପାଇଁ ସେତୁ ନିର୍ମାଣ କରାଗଲେ ପଦ୍ମପୁର-ଗୁଡ଼ାରି ବ୍ଲକବାସୀ ଉପକୃତ ହେବା ନେଇ ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲା ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଜନ-୨।

publive-image Sambad

୨୦୧୭ ମସିହାରେ ସୁଉଚ୍ଚ ସେତୁ ନିର୍ମାଣ ପାଇଁ ଡ୍ରଇଂ, ଡିଜାଇନିଂ ପୂର୍ତ୍ତ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା। ଦୀର୍ଘ ୪ ବର୍ଷ ପରେ ଏହି ପ୍ରସ୍ତାବ ଉପରେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବା ପରେ ସେତୁ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା। ୫୦୦ ମିଟର ଲମ୍ବ ସେତୁ ନିର୍ମାଣରେ ୨୯ କୋଟି ଖର୍ଚ୍ଚ ହେବା ନେଇ ପ୍ରାଥମିକ ପର୍ଯ୍ୟାୟରେ ବ୍ୟୟ ଅଟ୍ଟକଳ କରାଯାଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଗତକାଲି (ବୁଧବାର) ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ନାବାର୍ଡ ଅନୁଦାନରେ ସେତୁ ନିର୍ମାଣ କରିବାକୁ ବ୍ରହ୍ମପୁରର ଠିକାଦାର ଅରୁଣ ଶତପଥୀ ନାମକ ଟେଣ୍ଡର ହାତେଇଛନ୍ତି। ସେତୁ ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିବା ପରେ ପଦ୍ମପୁର ଓ ଗୁଡ଼ାରି ବ୍ଲକ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ନାଇରା-ଲୋକନାଥପୁର ସେତୁ ନିର୍ମାଣ ‌ଶେଷ ହେଲେ ଗୁଡ଼ାରିକୁ ୪ କିମି ଦୂରତା କମିବ। ଏଥିସହ ବର୍ଷା ଦିନରେ ଏମ୍. କେରାଇ ଦେଇ ପଦ୍ମପୁର ବ୍ଲକକୁ ବୁଲିବୁଲି ଯାଉଥିବା ଲୋକ ସିଧାସଳଖ ବ୍ଲକ୍ ସଦର ମହକୁମା ସହ ଯୋଡ଼ି ହୋଇ ପାରିବେ ବୋଲି ରାସ୍ତା ଓ କୋଠା ବାଡ଼ି ନିର୍ମାଣ ବିଭାଜନ-୨ ନିର୍ବାହୀ ଯନ୍ତ୍ରୀ ଇଂ. ସିମାଦ୍ରୀ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବଂଶଧାରା ନଦୀ ଉପରେ ଗୁଣପୁର, ଗୁମୁଡ଼ା ଓ ଗୁଡ଼ାରିରେ ସୁଉଚ୍ଚ ସେତୁ ନିର୍ମାଣ ହୋଇଛି। ନାଇରା-ଲୋକନାଥପୁର ସେତୁ ବଂଶଧାରା ନଦୀ ଉପରେ ଚର୍ତୁଥ ସେତୁ। ଯାହା ରାୟଗଡ଼ା ଜିଲ୍ଲାର ବିକାଶରେ ସହାୟକ ହେବ ବୋଲି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ତଥା ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ସୁଧୀର ଦାଶ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe