ନୂଆ ସେତୁ ଉଦ୍‌ଘାଟନ ପରେ ପୁରୁଣାର ଫଳକ ଭାଙ୍ଗିଲା, ପୁଣି ଫଳକ ଲଗାଯିବ: ଯନ୍ତ୍ରୀ

Advertisment

ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ପ୍ରତି ଅସମ୍ମାନ, କଂଗ୍ରେସର ବିରୋଧ

ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ପ୍ରତି ଅସମ୍ମାନ, କଂଗ୍ରେସର ବିରୋଧ

ନୂଆ ସେତୁ ଉଦ୍‌ଘାଟନ ପରେ ପୁରୁଣାର ଫଳକ ଭାଙ୍ଗିଲା, ପୁଣି ଫଳକ ଲଗାଯିବ: ଯନ୍ତ୍ରୀ

Sambad

ମାଛଗାଁ: ବାଲିକୁଦା ବଜାର ନିକଟ ମାଛଗାଁ କେନାଲ ଉପରେ ନିର୍ମିତ ଏକ ନୂତନ ସେତୁର ଉଦ୍‌ଘାଟନ ପରେ ପରେ ସେହି ସେତୁ ପାର୍ଶ୍ବରେ ଥିବା ପୂର୍ବତନ ମନ୍ତ୍ରୀ ବାସୁଦେବ ମହାପାତ୍ରଙ୍କ ଅମଳର ପୁରୁଣା ସେତୁର ଉଦ୍‌ଘାଟନୀ ଫଳକକୁ ଠିକା ସଂସ୍ଥା ଦ୍ବାରା ଭାଙ୍ଗି ଦିଆଯାଇଛି। ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବିଶେଷକରି କଂଗ୍ରେସ୍‌ ଦଳ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଶୁଣାଇ କହିଛି ପୂର୍ବତନ ମନ୍ତ୍ରୀଙ୍କ ପ୍ରତି ଏହା ଘୋର ଅସମ୍ମାନ। ତାଙ୍କୁ ସମ୍ମାନ ଜଣାଇ ସେହି ସ୍ଥାନରେ ପୁରୁଣା ଫଳକ ରଖାନଗଲେ କଂଗ୍ରେସ୍‌ କଡ଼ାଜବାବ ରଖିବ ବୋଲି କହିଛି। ବାଲିକୁଦା ସରପଞ୍ଚ ରାଜକିଶୋର ସାହୁ, ସମାଜସେବୀ ବିଭୂତି ଭୂଷଣ ସ୍ୱାଇଁ, ବ୍ଲକ କଂଗ୍ରେସ ସଭାପତି ବିକ୍ରମ ପରିଡା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହନୀ ରାଉତ, ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ପୂର୍ବତନ ସମିତି ସଭ୍ୟ ଶୁଭେନ୍ଦୁ ଭୋଳଙ୍କ ସମେତ ଅନେକ କଂଗ୍ରେସ ନେତା ଓ ବୁଦ୍ଧିଜୀବୀ ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ସ୍ବର୍ଗତ ବାସୁଦେବ ମହାପାତ୍ର ଜଣେ ଦରଦୀ ରାଜନେତା ଓ ବାଲିକୁଦାର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ଯଥେଷ୍ଟ ଥିଲା। ଏହି ରାଜନେତାଙ୍କ ଫଳକ ଭାଙ୍ଗି ଜଳ ସମ୍ପଦ ବିଭାଗ ଏକ ମହାନ ଆତ୍ମାକୁ ଅପମାନିତ କରିଛି। ଦଳ ବଳ ନିର୍ବିଶେଷରେ ଏହି ଦରଦୀ ନେତାଙ୍କୁ ବାଲିକୁଦାବାସୀ ଭଲ ପାଆନ୍ତି। ଏହି ସେତୁର ଉଦ୍‌ଘାଟନୀ ଫଳକ ଭାଙ୍ଗିଦିଆଯିବା ହିନମନ୍ୟତା ଛଡ଼ା କିଛି ନୁହଁ। ତେଣୁ ତୁରନ୍ତ ସେହି ସ୍ଥାନରେ ପୁରୁଣା ଫଳକ ପ୍ରତିଷ୍ଠା କରାଯିବାକୁ ଏହି କଂଗ୍ରେସ୍‌ ନେତାମାନେ ଦାବି କରିଛନ୍ତି।

ବାଲିକୁଦା ମେଡିକାଲ, ବାଲିକୁଦା ଥାନା, ଜଳସମ୍ପଦ କାର୍ଯ୍ୟାଳୟ, ବାଲିକୁଦା ଆଇବି, ସମେତ ଅନେକ ପଞ୍ଚାୟତକୁ ଗମନାଗମନ ସୁବିଧା ଲକ୍ଷ୍ୟ ରଖି ବାସୁବାବୁଙ୍କ ଉଦ୍ୟମରେ ସେତେବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ସେତୁର ନିର୍ମାଣ କରାଯାଇଥିଲା। ତେବେ ସେଠାରେ ଥିବା ଉଦ୍‌ଘାଟନୀ ଫଳକକୁ ଫଳକକୁ ଠିକାସଂସ୍ଥା ଓପାଡ଼ି ଫିଙ୍ଗି ଦେଇଛି। ଗତ ୨ ଦିନ ତଳେ ଜଗତସିଂହପୁର ସାଂସଦ ଓ ସ୍ଥାନୀୟ ବିଧାୟକ ଓ ଜଳସମ୍ପଦ ବିଭାଗ ଦ୍ୱାରା ଶୁଭ ଉଦ୍‌ଘାଟନ କରାଯାଇଥିଲା। ପୁରୁଣା ପୋଲର ଭିଡ ଯୋଗୁଁ ଜନସାଧାରଣ ହେଉ ଥିବାରୁ ବାଲିକୁଦା ଏରସମା ବିଧାୟକ ରଘୁନନ୍ଦନ ଦାସ ଜଳସମ୍ପଦ ବିଭାଗ ଦ୍ୱାରା ସେହି ପୋଲ ନିକଟରେ ଅନ୍ୟ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇ କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ପୂର୍ବତନ ବାଲିକୁଦା ବିଧାୟକ ସ୍ବର୍ଗତ ବାସୁଦେବ ମହାପାତ୍ରଙ୍କ ପୁତ୍ର ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ବାଲିକୁଦା ନିର୍ମାଣରେ ସ୍ୱର୍ଗତ ବାସୁଦେବଙ୍କ ଅବଦାନ ବାଲିକୁଦାବାସୀ ଜାଣନ୍ତି। ଆଜି ଯେଉଁଭଳି ଢଙ୍ଗରେ ଜଳ ସମ୍ପଦ ବିଭାଗ ଦ୍ୱାରା ଏହି କିମ୍ବଦନ୍ତି ପୁରଷଙ୍କ ଫଳକ ଭଙ୍ଗା ଭଳି ଏକ ଘୃଣ୍ୟ କାର୍ଯ୍ୟକୁ ମୁଁ ତୀବ୍ର ନିନ୍ଦା କରୁଛି। ଏହି ଉଦ୍‌ଘାଟନୀ ନୁହଁ ଏବେ ଅଞ୍ଚଳବାସୀଙ୍କ ପାଇଁ ସ୍ମୃତିଫଳକ ହୋଇଛି। ସ୍ୱର୍ଗତ ପିତାଙ୍କୁ ଅପମାନ କେବଳ କରାଯାଇ ନାହିଁ ବରଂ ଅତୀତରେ ବାଲିକୁଦାର ଉନ୍ନତି ପାଇଁ କାର୍ଯ୍ୟ କରିଥିବା ସମସ୍ତ ଗୁରୁଜନଙ୍କ ପ୍ରତି ଏହା ଅପମାନ। ଯଦି କୌଣସି ରାଜନୈତିକ ଦଳ ଏହାକୁ ମନ୍ଦ ଉଦେଶ୍ୟ ରଖି କରିଥାଏ ତେବେ ସେପରି ହୀନ ରାଜନୀତିରୁ ଦୂରେଇ ରହିବାକୁ ମୁଁ ସେମାନଙ୍କୁ ପରାମର୍ଶ ଦେବି। ଏନେଇ ଜଳ ସମ୍ପଦ ବିଭାଗ ଏସଡ଼ିଓ ଶ୍ରୀ ଜେନା କହିଛନ୍ତି ଭୁଲକ୍ରମେ ନିର୍ମାଣ ସମୟରେ ତାହା ଭାଙ୍ଗି ଯାଇଛି। ବିଭାଗ ପକ୍ଷରୁ ତାହା ଯଥାସ୍ଥାନରେ ଅବସ୍ଥାପିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe