ବର୍ଷାରେ ଧୋଇଗଲା ବ୍ରିଜ୍, ଯୋଗାଯୋଗ ବିଚ୍ଛିନ୍ନ

Advertisment
ବର୍ଷାରେ ଧୋଇଗଲା ବ୍ରିଜ୍, ଯୋଗାଯୋଗ ବିଚ୍ଛିନ୍ନ

ବୈପାରିଗୁଡା: ବର୍ଷାରେ ବ୍ରିଜ୍ ଧୋଇ ହୋଇଗଲା। ଯାହାଫଳରେ ଗମନାଗମନରେ ବାଧା ସୃଷ୍ଟି ହେବାସହ ଲୋକଙ୍କ ଜୀବନ ଜୀବିକାରେ ମଧ୍ୟ ସମସ୍ୟା ଦେଖାଦେଇଛି। ବ୍ରିଜ୍ ପୁନଃ ନିର୍ମାଣ ପାଇଁ ଦାବୀ କରିବା ସତ୍ତ୍ୱେ କାର୍ଯକାରୀ ହୋଉନାହିଁ। ଏହା ହେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର ବଣ୍ଡକାଗୁଡା ଗ୍ରାମବାସୀଙ୍କ ଦୁଃଖ।

ଆଭ୍ୟନ୍ତରୀଣ ଅଞ୍ଚଳର ଗ୍ରାମ ଗୁଡିକର ମଧ୍ୟରେ ଯୋଗାଯୋଗର ସୁବ୍ୟବସ୍ଥା ପାଇଁ ରାସ୍ତା ନିର୍ମାଣ ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କୁହାଯାଉଥିବା ବେଳେ ତିନି କିଲୋମିଟର ରାସ୍ତାର ଯୋଗାଯୋଗ ବ୍ୟବସ୍ଥା କିପରି ବିଛିନ୍ନ ହୋଇପଡ଼ିଛି ତାହା ଜନପ୍ରତିନିଧି କିମ୍ବା ପ୍ରଶାସନର ନଜରକୁ କିପରି ଆସିପାରୁ ନାହିଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ପେନ୍ଦାପଡା ପଞ୍ଚାୟତର ପୁଟିଆଗୁଡା ଠାରୁ ବଣ୍ଡକାଗୁଡା ମଧ୍ୟ ଭାଗରେ ରହିଥିବା ଏକ ପାହାଡି ନାଳ ଉପରେ ଯେଉଁ ବ୍ରିଜ୍ ତିଆରି କରାଯାଇଥିଲା, ଲଗାଣ ବର୍ଷାରେ ତାହା ଧୋଇ ହୋଇଯିବା ଫଳରେ ବଣ୍ଡକାଗୁଡା ଗ୍ରାମବାସୀମାନେ ଏକ ପ୍ରକାର ବିଚ୍ଛିନ୍ନାଞ୍ଚଳର ଦୁର୍ଦ୍ଦଶା ଭୋଗ କରୁଛନ୍ତି। ଏହି ରାସ୍ତାରେ ହିଁ ସେମାନଙ୍କ ଜୀବନ ଜୀବିକାର ଏକମାତ୍ର ମାଧ୍ୟମ ରହିଥିଲା। ଏହି ରାସ୍ତା ଦେଇ ଗ୍ରାମବାସୀମାନେ ବିଭିନ୍ନ କାର୍ଯ ଉପଲକ୍ଷେ ପଞ୍ଚାୟତ ସଦରମହକୁମାକୁ ଯାଉଥିଲେ।

ବିଶେଷ କରି ପ୍ରତି ମାସରେ ମିଳୁଥିବା ରାସନ୍ ଏବଂ ଭତ୍ତା ପାଇଁ ପେନ୍ଦାପଡାକୁ ଯିବା ପାଇଁ ଯେଉଁ ରାସ୍ତା ଉପରେ ସେମାନେ ନିର୍ଭର କରୁଥିଲେ, ତାହା ବନ୍ଦ ହୋଇଯିବା ଫଳରେ ଗ୍ରାମବାସୀଙ୍କ ସମସ୍ୟା ବଢ଼ିଯାଇଛି। ଏହି ରାସ୍ତା ଦେଇ ଅଟୋ ଚଳାଚଳ କରୁଥିବାରୁ ପ୍ରାୟତଃ ସମସ୍ତେ ସୁବିଧାରେ ଯାତାୟାତ କରୁଥିଲେ। ବର୍ତମାନ ଯାନବାହାନ ତ ଦୂରର କଥା, ପାଦରେ ଚାଲି ଚାଲି ଯିବା ପାଇଁ ଭଙ୍ଗା ବ୍ରିଜ୍ ବାଧକ ସାଜିଛି।

ସେହିଭଳି ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଥିଲେ। ବାଲିଗାଁ ଠାରେ ରହିଥିବା ବ୍ୟାଙ୍କ୍ କୁ ମଧ୍ୟ ଯିବା ପାଇଁ ବିକଳ୍ପ ରାସ୍ତା ନାହିଁ। ଜରୁରୀକାଳୀନ ସେବା ପାଇଁ ଆମ୍ବୁଲାନ୍ସ ଗାଆଁ ପର୍ଯ୍ୟନ୍ତ ଯାଇପାରୁନାହିଁ। ଏଣୁ ଏହି ବ୍ରିଜର ପୁନଃ ନିର୍ମାଣ ସହ ବଣ୍ଡକାଗୁଡା ଠାରୁ ପୁଟିଆଗୁଡା ଯାଏ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଇଁ ଦାବୀ କରିଛନ୍ତି। ଦାବୀ ପୂରଣ ନହେଲେ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe