Sambad
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ଆଜି ଚଢ଼ଉ କରାଯାଇ ଗୁରୁଜଙ୍ଗ ଗିନି କାରଖାନା ନିକଟରୁ ୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ବିଶେଷ ସୂତ୍ରରୁ ସୂଚନା ପାଇଁ ଏସ୍ଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୁରୁଜଙ୍ଗ ଗିନି କାରଖାନା ନିକଟରେ ଚଢ଼ଉ କରିଥିଲେ। ଏହି ସମୟରେ ଦୁଇଜଣ ଯୁବକ ପୁଲିସକୁ ଦେଖି ସେଠାରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କୁ କାବୁ କରିଥିଲା ପୁଲିସ। ସେମାନଙ୍କ ନିକଟରୁ ୧୮.୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କା ହେବ।
ଏହି ମାମଲାରେ ମଲ୍ଲିପୁର-ନିଆଳର ଡମ୍ବରୁ ପାଗଡ଼ା (୩୧), ଗୁରୁଜଙ୍ଗ ନନ୍ଦସାହିର ନରେନ୍ଦ୍ର ପ୍ରଧାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବେଆଇନ ନିଶା କାରବାର ମାମଲାରେ ୭୬/୨୦୨୩ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ପାଇଁ ଏସ୍ଆଇ ସୁନୀତା ବେହେରାଙ୍କୁ ଦାୟିତ୍ୱ ଦିଆଯାଇଥିବା ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ ସୂଚନା ଦେଇଛନ୍ତି।
Follow Us