କାମ ଦେଲାନି ତହସିଲଦାରଙ୍କ ତାଗିଦ, ନଦୀପଠା ପୋତି ତିଆରି ଚାଲିଛି କୋଠା

Advertisment
କାମ ଦେଲାନି ତହସିଲଦାରଙ୍କ ତାଗିଦ, ନଦୀପଠା ପୋତି ତିଆରି ଚାଲିଛି କୋଠା

Sambad

ମହାକାଳପଡା: ମହାକାଳପଡା ଅଂଚଳରେ ଜବରଦଖଲ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। କେଉଁଠି ଗୋଚର ତ କେଉଁଠି ଅନାବାଦି, ପୁଣି କେଉଁଠି ନଦୀ ଓ କେନାଲ କଡ଼ରେ ମାଟି ପକାଇ ନିର୍ମିତ ହେଉଛି ବେଆଇନ କୋଠା। ପ୍ରଶାସନର ପଦକ୍ଷେପ ଏ ଦିଗରେ କୈାଣସି ରୋକ୍‌ ଲଗାଇ ପାରୁନାହିଁ। ଏଭଳି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପେଟଛେଲା ପଞ୍ଚାୟତରେ। ଗଳିଆ ଯୋରି ନଦୀ ପଠାରେ ବେଆଇନ କୋଠା ନିର୍ମାଣ ଚାଲିଛି। ନିର୍ମାଣକାରୀଙ୍କ ବିରୋଧରେ ଦୁଇ ମାସ ତ‌ଳେ ଖୋଦ୍‌ ତହସିଲଦାର ଥାନା‌ରେ ଏତଲା ଦେଇଥିଲେ। ଇଟା ବି ଜବତ କରାଯାଇଥିଲା। ହେଲେ, ଏହି ବ୍ୟକ୍ତି ଜଣଙ୍କ ସେଠାରେ ବେଆଇନ କୋଠା ନିର୍ମାଣ ଚାଲୁ ରହିଥିବା ବେଳେ ଛାତ ବି ପକାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଏହି ପଞ୍ଚାୟତରେ ପ୍ରବାହିତ ଗଳିଆ ଯୋରି ନଦୀ ସ୍ଥାନୀୟ ଅଂଚଳର କୃଷି କାର୍ଯ୍ୟ ନିମନ୍ତେ ବିଶେଷ ସହାୟକ ହୋଇଥାଏ। ଏହି ନଦୀ ପଠା ଏବେ ଜବରଦଖଲକାରୀଙ୍କ କବଜାକୁ ଚାଲିଗଲାଣି। ଏହି ଯୋରି ନଦୀ ଉପରେ ଏକ ଛୋଟ ସେତୁ ରହିଛି। ଫଳରେ ରାମନଗର ବଜାରକୁ ରାସ୍ତା ସଂଯୋଗ ମଧ୍ୟ ହୋଇଛି।

ସେତୁ ନିକଟରେ ପେଟଛେଲା ଅଂଚଳର ଜନୈକ ପ୍ରଭାବଶାଳୀ ବ୍ୟକ୍ତି ଦୁଇ ମାସ ପୂର୍ବରୁ ନଦୀ ପଠା ପୋତି ଜବରଦଖଲ ପୂର୍ବକ ବେଆଇନ କୋଠା ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ରଂଜନ ପଣ୍ତା ଘଟଣାସ୍ଥଳରେ ପହଞ୍ଚି ଗୃହ ନିର୍ମାଣ ନିମନ୍ତେ ଥିବା ଇଟା ଜବତ କରିବା ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ସଂପୃକ୍ତ ବ୍ୟକ୍ତି ଜଣକ ସେହି ସ୍ଥାନରେ ଗୃହ ନିର୍ମାଣ କରି ଛାତ ପକାଇବାରେ ସକ୍ଷମ ହୋଇଛନ୍ତି। ଏ ସମ୍ପର୍କରେ ତହସିଲଦାର ଶ୍ରୀ ପଣ୍ତାଙ୍କୁ ପଚାରିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସ୍ଥାନୀୟ ଜମ୍ବୁ ଥାନାରେ ଏତଲା କରାଯିବା ସହିତ ତାଙ୍କର ଇଟାକୁ ମଧ୍ୟ ଜବତ କରାଯାଇଥିଲା। ତେବେ ସେ ଏହାକୁ ଯଦି ଅମାନ୍ୟ କରି ବେଆଇନ ନିର୍ମାଣ କାର୍ଯ୍ୟ କରିଥିବେ ତେବେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe