ବଣ୍ଡାଘାଟିରେ ପହଞ୍ଚିଲା ବୁଲେଟ ଆମ୍ବୁଲାନସ୍

ବଣ୍ଡାଘାଟିରେ ପହଞ୍ଚିଲା ବୁଲେଟ ଆମ୍ବୁଲାନସ୍

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳ ହେଉଛି ଖଇରପୁଟ ବ୍ଲକର ବଣ୍ଡାଘାଟି ଅଂଚଳ। ଦୀର୍ଘ ଦିନ ଧରି ଏହି ଅଂଚଳରେ ଆମ୍ବୁଲାନସ୍ ଯୋଗାଇ ଦେବା ନେଇ ଦାବି ହୋଇଆସୁଥିବା ବେଳେ ପ୍ରଶାସନ ତରଫରୁ ଏକ ବୁଲେଟ ଆମ୍ବୁଲାନସ୍ ପ୍ରଦାନ କରାଯାଇଛି।

ବଣ୍ଡାଘାଟିରେ ରହିଥିବା ଦୁଇଟି ପଞ୍ଚାୟତର ୩୨ଟି ଗ୍ରାମ ମଧ୍ୟରେ କିଛି ଗ୍ରାମକୁ ଛାଡି ଦେଲେ ଅନ୍ୟ ଗ୍ରାମକୁ ଯିବାକୁ ଆଜି ବି ପକ୍କା ରାସ୍ତାଟିଏ ନାହିଁ।ପୁଣି ଏହି ଅଂଚଳ ଘାଟିରେ ପରିପୂର୍ଣ୍ଣ।୧୦୮ ଆମ୍ବୁଲାନସ୍ ହେଉ ବା ୧୦୨ ଆମ୍ବୁଲାନସ୍ ଏଠାରେ ଚଳପ୍ରଚଳ କରିବା ଏକ ପ୍ରକାର ଅସମ୍ଭବ। ତେଣୁ ଘାଟି ରାସ୍ତା ଉଠିବା ଏବଂ କଚ୍ଚା ରାସ୍ତାରେ ଗାଁ ଗାଁ ବୁଲିବା ପାଇଁ ବୁଲେଟ ଆମ୍ବୁଲାନସ୍ ହିଁ ଏକ ମାତ୍ର ଜରିଆ।

ବଣ୍ଡାଘାଟିରେ ରହିଥିବା ଗ୍ରାମଗୁଡିକରେ ଲୋକେ ବିଭିନ୍ନ ଅଜଣା ରୋଗର ଶିକାର ହୋଇ ମୃତ୍ୟୁବରଣ କରୁଥିଲେ ମଧ୍ୟ ଏହାର କୌଣସି ଖବର ପ୍ରଶାସନ ନିକଟରେ ନାହିଁ।ନିଜର ପାରଂପାରିକ ପଦ୍ଧତିରେ ଏମାନେ ନିଜେ ଚେରମୂଳୀ ଔଷଧ ଖାଇ ରୋଗ ଭଲ କରିବାକୁ ଚେଷ୍ଟା କରିଥାନ୍ତି।ତେବେ ଏବେ କରୋନା ଭଳି ମହାମାରୀ ରୋଗ ସମସ୍ତଙ୍କୁ ଘାଇଲା କରିଥିବା ବେଳେ ଚେରମୂଳୀ ଔଷଧ ଏଥିପାଇଁ କୌଣସି କାମ କରିବ ନାହିଁ ବୋଲି କୁହାଯାଇଛି। ତେଣୁ ଏହି ଆଦିମ ଜନଜାତିଙ୍କୁ ବିଭିନ୍ନ ରୋଗ ସଂପର୍କରେ ସଚେତନ କରାିବା ସହ ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ କି କି ପଦକ୍ଷେପ ଗ୍ରହଣ କରିବେ ସେନେଇ ବୁଝାଇବା ଅତି ଜରୁରୀ ହୋଇପଡିଛି। ବଣ୍ଡାଘାଟିରେ ପ୍ରଶାସନ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ,ବଣ୍ଡା ଉନ୍ନୟନ ସମିତି ସହ କିଛି ସଂଘ ମଧ୍ୟ କାମ କରୁଛି।

ତେବେ ଏସବୁ କେବଳ କାଗଜ ପତ୍ରରେ ସୀମିତ ହୋଇ ରହିଯାଉଛି।ବଣ୍ଡାଘାଟିରେ ଗୁରୁତରରୁ ଅତି ଗୁରୁତର ରୋଗୀଙ୍କୁ ଡାକ୍ତର ନେବା ପାଇଁ କୌଣସି ମାଧ୍ୟମ ନଥିବା ବେଳେ ଆମ୍ବୁଲାନସ୍ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା।ଏହି ବୁଲେଟ ଆମ୍ବୁଲାନସ୍ ରୋଗୀଙ୍କ ସହ ପ୍ରସୂତୀ ଓ ଗର୍ଭବତୀ ମହିଳାଙ୍କୁ ସୁବିଧାରେ ମେଡିକାଲ ପହଞ୍ଚାଇ ପାରିବ ବୋଲି କୁହାଯାଇଛି।ଲୋକଙ୍କୁ ସଚେତନ କରାଯାଇ ଏହି ବୁଲେଟ ଆମ୍ବୁଲାନସର ପ୍ରକୃତ ବ୍ୟବହାର ହେଲେ ଲୋକେ ଉପକୃତ ହୋଇପାରନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe