ଶ୍ରମିକଙ୍କୁ ନେଇ ହ୍ରାଇଦାବାଦ୍‌ ଯାଉଥିବା ବସ୍‌ କଳାହାଣ୍ଡିରେ ଓଲଟିଲା, ୨୦ରୁ ଉର୍ଦ୍ଧ୍ୱ ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି

Advertisment
ଶ୍ରମିକଙ୍କୁ ନେଇ ହ୍ରାଇଦାବାଦ୍‌ ଯାଉଥିବା ବସ୍‌ କଳାହାଣ୍ଡିରେ ଓଲଟିଲା, ୨୦ରୁ ଉର୍ଦ୍ଧ୍ୱ ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି

କୋକସରା: ଶ୍ରମିକମାନଙ୍କୁ ନେଇ ହାଇଦ୍ରାବାଦ୍‌ ଅଭିମୁଖେ ଯାଉଥିବା ବସ୍‌ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ବଡ଼ କେନ୍ଦୁଗୁଡା ବିଜୁ ଏକ୍ସପ୍ରେସ  ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ବସ୍‌ରେ ଥିବା ୨୦ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଂଚି ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି।

ଛତିଶଗଡ଼ ରାଜ୍ୟ ଦେଭୋଗରୁ ହାଇଦ୍ରାବାଦକୁ ଯାଉଥିବା ଗୁପ୍ତା ନାମକ ଏକ ଘରୋଇ ବସ (ସିଜି ୧୭ ଏଫ୍‌ ୮୭୧୯) ରବିବାର ସନ୍ଧ୍ୟାରେ କୋକସରା ବ୍ଲକ୍‌ ବଡ଼କେନ୍ଦୁଗୁଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ‌ହୋଇଛି। ଏଥିରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରତର ଥିବା ସୂଚନା ମିଳିଛି। ଖବର ପାଇ ଆମପାଣି ଥାନା ପୁଲିସ ଓ ଆମ୍ବୁଲାନ୍ସ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିଲେ।

publive-image

ଆହତଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୁପାଗୁଡ଼ା ଗାଁର ଗୁମାନ ଗୌଡ଼ (୨୬), ବନିତା ଗୌଡ଼(୬), ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ମହଗାଁର ବିଳାସିନୀ ନାଗ(୨୦), କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଉଦେଶୃଙ୍ଗର ରାଜେଶ ସୁନାନୀ, ଧର୍ମଗଡ଼ ବ୍ଲକ ମୁଖୀଗୁଡ଼ାର ଉଭୟ ହରିଜନ(୪୫), ଭିଭି ହରିଜନ (୪୬), ଫୁଲକୁମାରୀ ବାଗ (୩୬), ପ୍ରିୟା ବାଗ (୧୧), ଧର୍ମେନ୍ଦ୍ର ଦୁର୍ଗା (୩୦), ସମଲେଇ ଦୁର୍ଗା (୨୫), ରାଏମତୀ ଦୁର୍ଗା (୪୦), ଲୋଚନୀ ତାଣ୍ଡି (୫୦), ଗଜାନନ ବାଗ (୩୬), କ୍ଷୀରବତୀ କଟା (୮), ମନ୍ଦାର କଟା (୩୫), ବୈଷ୍ଣବ କଟା(୩୭), କୁମାରୀ ହରିଜନ (୧୭), ପ୍ରିୟଙ୍କା ହରିଜନ (୧୮), ଲାଖିଧର ହରିଜନ (୨୩), ଲୟବାନୁ ହରିଜନ (୧୭) ପ୍ରମୁଖ ରହିଛନ୍ତି। ସମସ୍ତ ଆହତଙ୍କୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଏହି ବସ୍‌ରେ କଳାହାଣ୍ଡି ଓ ଛତିଶଗଡ଼ରୁ ହାଇଦ୍ରାବାଦକୁ ପ୍ରତିଦିନ ଦାଦନ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଆଜିର ଦୁର୍ଘଟଣା ପରେ କୋକସରା ତହସିଲଦାର ମନୋଜ ପାଢ଼ୀ, ଧର୍ମଗଡ ଏସ୍‌ଡପିଓ ନାରାୟଣ ନାୟକ, ଧର୍ମଗଡ଼ ଉପଜିଲ୍ଲାପାଳ ଦିବାକର ଟି.ଏସ୍‌. ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ୧୫ ଜଣ ବସ୍ ଯାତ୍ରୀଙ୍କୁ କେନ୍ଦୁଗୁଡ଼ା ସ୍କୁଲରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe