ଅନୁମତି ନଥିବାରୁ ନାଇଟ୍‌ ବସ୍‌ ଜବତ, ୫୭,୫୦୦ ଟଙ୍କା ଜରିମାନା

Advertisment
ଅନୁମତି ନଥିବାରୁ ନାଇଟ୍‌ ବସ୍‌ ଜବତ, ୫୭,୫୦୦ ଟଙ୍କା ଜରିମାନା

ରାଉରକେଲା: ବିନା ଅନୁମତି (ପରମିଟ୍‌)ରେ ରାଉରକେଲାରୁ ଭବାନୀପାଟଣା ଓ ଧର୍ମଗଡ ଚାଲୁଥିବା ଘରୋଇ ନାଇଟ୍‌ ସୁପର ବସ୍‌ ‘ ଶିବ ଗୌରୀ’କୁ ଜବତ କରିଛି ପରିବହନ ବିଭାଗ। ଆଜି ସଂଧ୍ୟାରେ ରାଉରକେଲା ପରିବହନ ବିଭାଗର ଜୁନିୟର ଏମ୍‌ଭିଆଇ ସାବିତ୍ରୀ ହେମ୍ବ୍ରମ୍‌ ଓ ତାଙ୍କ ଟିମ୍ ସେକ୍ଟର-୨ ବସ୍‌ଷ୍ଟାଣ୍ଡରେ ପହଞ୍ଚି ବସ୍‌ଟିକୁ ଯାଞ୍ଚ କରିଥିଲେ। କାଗଜପତ୍ର ଯାଞ୍ଚ ପାଇଁ କଣ୍ଡକ୍ଟରଙ୍କୁ ଗାଡ଼ିର କାଗଜପତ୍ର ମାଗିଥିଲେ। ଯାଞ୍ଚରୁ ଗାଡିର ପରମିଟ୍‌ ନଥିବା ଓ ଟ୍ୟାକ୍ସ ଜମା ହୋଇନଥିବା ଜଣାପଡ଼ିଥିଲା। ପରେ ଜୁନିୟର ଏମ୍‌ଭିଆଇ ବସ୍‌କୁ ଜବତ କରିବା ସହ ୫୭ ହଜାର ୫୦୦ ଟଙ୍କା ଜରିମାନା କରିଥିଲେ। ବସ୍‌ରେ ଯାତ୍ରୀମାନଙ୍କୁ କଣ୍ଡକ୍ଟର ଭଡା ଫେରାଇବା ସହ ଅନ୍ୟ ବସ୍‌ରେ ଯିବାକୁ ବ୍ୟବସ୍ଥା କରିଥିଲେ। ସେପଟେ ବସ୍‌ରୁ ଯାତ୍ରୀଙ୍କୁ ଓହ୍ଲାଇବାକୁ କହିବାରୁ ପାଟିତୁଣ୍ଡ ହୋଇଥିଲା। ଭବାନୀପାଟଣା ଓ ଅନ୍ୟାନ୍ୟ ଅଞ୍ଚଳରୁ ପରୀକ୍ଷା ଦେବାକୁ ରାଉରକେଲା ଆସିଥିବା ଛାତ୍ରମାନେ ବସ୍‌ର କଣ୍ଡକ୍ଟର ଓ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେକ୍ଟର-୩ ପୁଲିସ ପହଞ୍ଚି ଉତ୍ତେଜିତ ଛାତ୍ରୀ ଓ ଯାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। କେବଳ ‘ଶିବ ଗୌରୀ’ ବସ୍‌ ନୁହେଁ ସହରରୁ ରାଜ୍ୟ ଏବଂ ରାଜ୍ୟ ବାହାରୁକୁ ଦୈନିକ ଯାତାୟତ କରୁଥିବା ଏକ୍ସପ୍ରେସ୍‌ ଓ ସାଧାରଣ ବସ୍‌ଗୁଡ଼ିକ ମଧ୍ୟରୁ କିଛି ବସ୍‌ର ଅନୁମତି, ଇନ୍‌ସ୍ୟୁରାନ୍ସ ନଥିବା ଅଭିଯୋଗ ହେଉଛି। ଏସବୁ ବସ୍‌ଗୁଡ଼ିକୁ ଯାଞ୍ଚ କରି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଯାତ୍ରୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe