ଜୟପୁରରୁ ଗଡିଲା ଘରୋଇ ବସ୍

Advertisment
ଜୟପୁରରୁ ଗଡିଲା ଘରୋଇ ବସ୍

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଠାରୁ ଆଜି ବିଭିନ୍ନ ଜିଲ୍ଲାକୁ ବସ୍ ଚଳାଚଳ ଆରମ୍ଭ କରିଛି। ଲକ୍‌ଡାଉନ୍‌ କୋହଳ ପରେ ଯାତାୟତ ଦିନକୁ ଦିନ ସ୍ବାଭାବିକ ହେବା ନେଇ ଆଶା ରହିଛି। ଜିଲ୍ଲାର ବିଭିନ୍ନ ବ୍ଲକକୁ ବସ୍ ଚଳାଚଳ କରିଥିବା ବେଳେ ଗଞ୍ଜାମ ଓ ସମ୍ବଲପୁରକୁ ମଧ୍ୟ ବସ୍ ସେବା ଆରମ୍ଭ ହୋଇଛି। ଜୟପୁର ବସ୍‌ଷ୍ଟାଣ୍ଡରୁ ଆଜି ମାଲକାନଗିରି, ନବରଙ୍ଗପୁର ଜିଲ୍ଲାକୁ ବସ ଚଳାଚଳ କରିଛି। ଆସନ୍ତା ସୋମବାର ଠାରୁ ଗ୍ରୀନ ଜୋନ୍‌ରେ ଥିବା ଜିଲ୍ଲାଗୁଡିକୁ ଅଧିକ ମାତ୍ରାରେ ବସ୍ ଚଳାଚଳ କରିବା ନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘ ସଭାପତି ମହେଶ୍ବର ବିଶୋୟୀ କହିଛନ୍ତି।

କରୋନା କଟକଣା ଯୋଗୁଁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ‌ହୋଇ ପଡିଥିଲା। ବହୁ ଦିନ ଧରି ବସ୍ ମାଲିକମାନ‌େ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଥିବା ବେଳେ କର୍ମଚାରୀମାନେ ଦୁର୍ଦ୍ଦିନରେ ପଡିଥିଲେ। ଅନ୍ୟ କୌଣସି କାମଧନ୍ଦା ନପାଇ ପରିବାର ଚଳାଇବା ମଧ୍ୟ ସେମାନଙ୍କ ପ୍ରତି କଷ୍ଟକର ହୋଇପଡିଥିଲା। ଏଭଳି ସ୍ଥିତିରେ ଜୁଲାଇ ପହିଲାରୁ ଗ୍ରୀନ ଜୋନରେ କୋଭିଡ୍ ନିୟମ ମାନି ବସ୍ ଚଳାଚଳ ପାଇଁ ଅନୁମତି ମିଳିଥିଲା।

ଏହାର ସୁଯୋଗ ନେଇ ଆଜିଠାରୁ କେତେକ ବସ୍ ମାଲିକ ବସ୍ ସେବା ଆରମ୍ଭ କରିଛନ୍ତି। ଜୟପୁରରୁ ବ୍ରହ୍ମପୁରକୁ ଆଜି ଖମ୍ବେଶ୍ବରୀ, ବରାଳଦେବୀ, ବର୍ଷା ଓ ଆରବିକୋଚ୍ ବସ୍ ଛାଡିଥିବା‌ ବେଳେ ସମ୍ବଲପୁରକୁ ଗୌରଭ ଓ ଡେଜି ବସ୍ ଚଳାଚଳ କରିଛି। ବହୁ ଦିନରୁ ବସ୍ ସେବା ବନ୍ଦ ରହିଥିବା ‌ବେଳେ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିଲେ। ଆଜି ଲୋକାଲ୍ କେତେକ ବସ୍‌ରେ ଯାତ୍ରୀ ହୋଇନଥିବା ବେଳେ ଦୂରସ୍ଥାନକୁ ଯାଉଥିବା ବସ୍‌ଗୁଡିକରେ ସିଟ୍ ଅନୁଯାୟୀ ଯାତ୍ରୀ ହୋଇଥିଲେ। ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ବସଗୁଡିକୁ ସାନିଟାଇଜ୍ ମଧ୍ୟ କରାଯାଉଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe