ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ, ଆଖି ବୁଜି ବଜାଉଛନ୍ତି କି-ବୋର୍ଡ

Advertisment
ସଙ୍ଗୀତ ଜଗତର ବିସ୍ମୟ ବାଳକ ଅର୍ପିତ, ଆଖି ବୁଜି ବଜାଉଛନ୍ତି କି-ବୋର୍ଡ

Sambad

ରାୟଗଡ଼ା: ରାୟଗଡ଼ାର ବିସ୍ମୟ ବାଳକ ଅର୍ପିତ ମହାପାତ୍ର ଆଖି ବୁଜି କି-ବୋର୍ଡ (ହାରମୋନିୟମ୍) ବଜାଇ ଜାତୀୟ ସ୍ତରରେ କୃତିତ୍ତ୍ବ ହାସଲ କରିଛନ୍ତି। ୫୦ ମିନିଟ୍ ୩୭ ସେକେଣ୍ଡରେ ଅର୍ପିତ ୩୫ଟି ଗୀତର ମ୍ୟୁଜିକ୍ ଦେଇ କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇ ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଅର୍ପିତଙ୍କ ଏହି କୃତିତ୍ତ୍ବକୁ ନେଇ ସଙ୍ଗୀତ ଜଗତରେ ଚର୍ଚ୍ଚା ଜୋର୍ ଧରିଥିବା ବ‌େଳେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ରାୟଗଡ଼ା ବ୍ଲକ୍ ଜେକେପୁରସ୍ଥିତ ଲକ୍ଷ୍ମୀପତ୍ ସିଙ୍ଘାଣିଆ ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି ଅର୍ପିତ।

୨୦୧୬ ମସିହାରୁ ଜେକେପୁର ନୃତ୍ୟ ସଦନରେ କି-ବୋର୍ଡ ବଜାଇବା ନେଇ ଶିକ୍ଷା ଗ୍ରହଣ କରି ଆସୁଛନ୍ତି ଅର୍ପିତ। ୨୦୨୦ ମସିହାରେ କରୋନା କାରୁଣ୍ୟ ବଢ଼ିବା ପରେ ସରକାର ସ୍କୁଲ୍ ବନ୍ଦ କରି ଦେଇଥିଲେ। ଫଳରେ ଘରେ ଅନଲାଇନ୍ ଶିକ୍ଷା ଗ୍ରହଣ କରିବା ସହ ବାକି ସମୟରେ ହାରମୋନିୟମ୍ ବଜାଇବାକୁ ଅଧିକ ଗୁରୁତ୍ବ ଦେଇଥିଲେ। ଏଥି ପାଇଁ ସେ ଅଭିବକ୍ତ କୋରାପୁଟ ଜିଲ୍ଲାର ଆଗଧାଡ଼ିର ହାରମୋନିୟମ୍ ମାଷ୍ଟର୍ ହରିଶ୍ ପଟ୍ଟନାୟକଙ୍କ ସହାୟତା ନେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପରେ ଅନଲାଇନରେ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନ ବଳାଇଥିଲେ। ତେବେ ବହୁ ପ୍ରତିଯୋଗୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବାରୁ କିଛି ନିଆରା କରିବାର ମନୋବୃତ୍ତି ନେଇ ଆଖିରେ ପଟି ବାନ୍ଧି ହାରମୋନିୟମ୍ ବଜାଇବା ଅଭ୍ୟାସ କରିଥିଲେ ଅର୍ପିତ। ଅଭ୍ୟାସ ପରେ ୫୦ ମିନିଟ୍ ୩୭ ସେକେଣ୍ଡ ମଧ୍ୟରେ ୩୫ଟି ବଲିଉଡ୍, ଓଡ଼ିଆ ଆଧୁନିକ, ଭଜନ ଓ ଆଧ୍ୟାତ୍ମିକ ସଙ୍ଗୀତର ମ୍ୟୁଜିକ୍ ଦେବାରେ ସକ୍ଷମ ହୋଇଥିଲେ। ଅଗଷ୍ଟ ୨୧ ତାରିଖରେ ଏ ନେଇ ହୋଇଥିବା ପ୍ରତିଯୋଗିତାରେ ଅର୍ପିତ ଅଂଶଗ୍ରହଣ କରି କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ। କର୍ଣ୍ଣାଟକର ପ୍ରତିଯୋଗୀ ଆଖିରେ ପଟି ବାନ୍ଧି ସର୍ବାଧିକ ୪୪ ମିନିଟ୍ ୨୫ ସେକେଣ୍ଡ ହାରମୋନି୍ୟମ୍ ବଜାଇ ଥିବା ବେଳେ ଅର୍ପିତ ୫୦ ମିନିଟ୍ ୩୭ ସେକେଣ୍ଡ ପର୍ଯ୍ୟନ୍ତ ନନ୍‌ଷ୍ଟପ୍ ବଜାଇଥିଲେ।

ଫଳରେ ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତି ଅର୍ପିତ। ଗତକାଲି ପାଇଥିବା ୩ଟି ରେକର୍ଡର ପ୍ରମାଣପତ୍ର, ମେଡ଼ାଲ୍, ସାର୍ଟିଫିକେଟ୍ ପାଇବା ପରେ ଖୁସିରେ ଆତ୍ମହରା ହୋଇ ପଡିଛନ୍ତି ଅର୍ପିତ। ଆଗାମୀ ଦିନରେ ସଙ୍ଗୀତ ଜଗ‌ତରେ ଅଧିକ କିଛି ନିଆରା ରେକର୍ଡ କରିବାର ଆଶା ରଖିଥିବା ଅର୍ପିତ ପ୍ରକାଶ କରିଛନ୍ତି। ଅର୍ପିତଙ୍କ ଏହି କୃତିତ୍ତ୍ବକୁ ଏହା ମଧ୍ୟରେ ୟୁଟ୍ୟୁବ୍ ମାଧ୍ୟମରେ ୮୩ ହଜାର ଦର୍ଶକ ଦେଖିବା ସହ ଅର୍ପିତଙ୍କ ଚ୍ୟାନେଲର ନିୟମିତ ଗ୍ରାହକ ସଂଖ୍ୟା ୨୧୭ରୁ ଉର୍ଦ୍ଧ୍ବ ଟପିଲାଣି। ଅର୍ପିତଙ୍କ ଏହି କୃତିତ୍ତ୍ବ ରାୟଗଡ଼ା ଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ବ ଆଣିଥିବାରୁ ବିଭିନ୍ନ ମହଲରୁ ଏବେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଅର୍ପିତଙ୍କ ବାପା ନରେନ୍ଦ୍ର କୁମାର ମହାପାତ୍ର ଜେକେ କାଗଜ କଳରେ କାର୍ଯ୍ୟରତ ଥିବା ବେଳେ ମାଆ ଦେବଯାନୀ ପ୍ରଧାନ ଗୃହିଣୀ ଭାବେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe