ଜୟପୁର: ବାଇପାସ ରୋଡ଼ ଅପରାଧ ଓ ଅପରାଧିଙ୍କ ଚରାଭୂଇଁ ପାଲଟିଛି

Advertisment

ଜବରଦଖଲକାରୀଙ୍କ କବଜାରେ ମୁଖ୍ୟକେନାଲ ପାର୍ଶ୍ବ ଜମି, ଗାର୍ଡ ୱାଲ୍ ନଥିବାରୁ ଦୁର୍ଘଟଣା ଜୋର

ଜବରଦଖଲକାରୀଙ୍କ କବଜାରେ ମୁଖ୍ୟକେନାଲ ପାର୍ଶ୍ବ ଜମି, ଗାର୍ଡ ୱାଲ୍ ନଥିବାରୁ ଦୁର୍ଘଟଣା ଜୋର

୬ ଥାକିଆ ରିଙ୍ଗ୍‌ରୋଡ୍‌କୁ ଅନୁ‌ମୋଦନ

Project Reporter

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ବ୍ୟବସାୟିକ ତଥା ବର୍ଦ୍ଧିତ ସହର ଜୟପୁର। ଗୋଟିଏ ପଟେ ଜନସଂଖ୍ୟା, ଘର, ବ୍ୟବସାୟୀକ ପ୍ରତିଷ୍ଠାନ ବୃଦ୍ଧି ପାଇବା ସାଙ୍ଗକୁ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଖାସ୍ କରି ଏମାନଙ୍କର ବେଶି ପ୍ରଭାବ ଗାନ୍ଧୀ ଛକରୁ ସମ୍ବାରତୋଟା, କେଲାନଗର, ପୁରୁଣାଗଡ ଛକ ଦେଇ ହଳଦୀୟ ବ୍ରିଜ ପାର୍ଶ୍ବରୁ ପାୱାରହାଉସ କୋଲନୀ ପର୍ୟ୍ୟନ୍ତ ଯାଇଥିବା ବାଇପାସ (ବିଜୟୱାଡା ରାଂଚି କରିଡ଼ର) ରାସ୍ତାରେ ବେଶି ଦେଖିବାକୁ ମିଳୁଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଏହି ବାଇପାସ ରାସ୍ତାରେ ଜବରଦଖଲରେ ଥିବା ଦୋକାନ ଗୁଡ଼ିକ ଅଧିକା ସୁହାଉଛି। କିଛି ଅସାମାଜିକ ତତ୍ବ ଏହି ସବୁ ଜମିକୁ ନିଜ ଦଖଲରେ ରଖି ବିକ୍ରିବଟା ବି କରୁଛନ୍ତି। କେନାଲ ପାର୍ଶ୍ବରେ ଶତାଧିକ ଗ୍ୟାରେଜ୍, ହୋଟେଲ, ପାନ ଦୋକାନ ଆଦି ଦେଖିବାକୁ ମିଳିଛି। ଏହା ସାଙ୍ଗକୁ ଏହି ଅଂଚଳରରେ ଦେଶୀ ଓ ବିଦେଶୀ ମଦ, ଛୋଟ ବଡ ହୋଟେଲରେ ମାଛ, ମାଂସ , କୁକୁଡ଼ା ମାଂସ ଆଦିର ତରକାରୀ ବି ବିକ୍ରୀ ହେବା ସାଙ୍ଗକୁ ଦେହଜୀବୀ ମାନେ ବି ଆଡ୍ଡା ଜମାଉଥିବା ଅଭିଯୋଗ ହୋଇଛି।

ଦିନ ହେଉକି ରାତି ଖାସ୍ କରି ଏହି ରାସ୍ତାରେ ହିଁ ସହରର ବେଶି ମାତ୍ରାରେ ଅପରାଧ ସଂଘାତିକ ହେବା, ଗଂଜେଇ ଚୋରା ଚାଲାଣକାରୀ, ମଦୁଆ, ନିଶାଡ଼ିଙ୍କ ଆଡ୍ଡା ଜମୁଛି। ବିଭିନ୍ନ ଅପରାଧିକ ତଥା ଅସାମାଜିକ କାର୍ୟ୍ୟକଳାପ ବି ଏହି ରାସ୍ତାରେ ଅଧିକା ଦେଖିବାକୁ ମିଳେ ବୋଲି କହିଛନ୍ତି ସାହି ବାସିନ୍ଦା। ଏହି ଅଂଚଳରୁ ଗାଡି ଚୋରୀ ହେବା, ବଟି ଆଦାୟ କରାଯିବା, ସଂଦେହାସ୍ପଦ ଏବଂ ନୂଆ ନୂଆ ରୁପରେଖର ଲୋକ ଏବଂ ଗାଡି ଯିବା ଆସିବା କରିବା ନିୟମିତ ପାଲଟିଛି ବୋଲି କହିଛନ୍ତି ସାହି ବାସିନ୍ଦା ପି.ସନ୍ୟାସୀ ରାଓ, ପ୍ରତାପ ରାଓ, କେ. ସୁବା ରାଓ, ଗୋପୀନାଥ ଗନ୍ତାୟତ, ସୌମ୍ୟଜିତ ସାହୁ, ବସନ୍ତ ରାଓ। ଗୋଟିଏ ପେଟ କେନାଲର ନିଜସ୍ବ ଜମିକୁ ଜବରଦଖଲ କରି ଦୋକାନ ବଜାର କରିବା ଫଳରେ ରାସ୍ତା ସଂକୁଚିତ ହେବା ସହ ରାସ୍ତାରେ ରାହଜାନୀ, ଛିନତାଇ, ବାଇକ ଲୁଟ ହେବା ନିୟମିତ ହେଉଛି ବୋଲି ଏହି ଅଂଚଳର କେ.ଶିବାନୀ, ପି.ସୁଜାତା, ମୋହନ ପଟ୍ଟନାୟକ, ପି.ଶିବା ରାଓ, ଅଶୋକ ପାଣିଗ୍ରାହୀ ପ୍ରମୁଖ ସାହି ବାସିନ୍ଦା କହିଛନ୍ତି। ଅପରାଧିକ ମାନେ ବି ନିଜ ମଧ୍ୟରେ ବହୁ ସମୟରେ ମାରପିଟ୍ ହୋଇ କେନାଲ ମଧ୍ୟକୁ ବି ଲୋକଙ୍କୁ ମାଡ଼ ମାରି ପିଙ୍ଗି ଦେଉଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା।

କେନାଲର ପାର୍ଶ୍ବରେ ବ୍ୟାରିକେଡ୍ କିମ୍ବା ଗାର୍ଡୱାଲ୍ କିଛି ନଥିବାରୁ ଛୋଟ ବଡ ଦୁର୍ଘଟଣା ହୋଇ ଗାଡ଼ି କେନାଲକୁ ଖସିବା, ନିୟମିତ ହୋଇଛି ବୋଲି ସାହି ବାସିନ୍ଦା ମାନେ କହିଛନ୍ତି। ନାଁକୁ ମାତ୍ର ପୁଲିସ ଗାଡି ଆସୁଛି। କେତେବେଳେ ଆସୁଛି ଓ କେତେବେଳେ ଯାଉଛି ଆମେ ବି ଜାଣି ପାରୁନୁ। ରଂଗ ଲାଇଟ ଲଗାଇ ପୁଲିସ ଗାଡି ଆସିବା ବେଳେ ଅଭିଯୁକ୍ତ ମାନେ ଲୁଛି ରହୁଛନ୍ତି। ପରବର୍ତ୍ତୀ ସମୟରେ ଅପରାଧ ସଂଘଠିତ କରି ପଳାଉଛନ୍ତି ବୋଲି କହିଛନ୍ତି ସାହି ବାସିନ୍ଦା। ଏପରି ସଂଦେହାସ୍ପଦ ଅପରାଧିଙ୍କୁ ଦେଖି ପୁଲିସକୁ ସୂଚନା ଦେଲେ ବି ପୁଲିସ ତୁରନ୍ତ ଆସୁନଥିବା ଏବଂ ଲୋକଙ୍କ ଉପରେ ଚିଡୁଥିବା ବି କିଛି ସାହି ବାସିନ୍ଦା କହିଛନ୍ତି।

ପୁଲିସ ଏହି ରାସ୍ତାରେ ହିଁ ଗଂଜେଇ ଚାଲାଣ ଗାଡ଼ି ଧରିବା ସହ ବିଭିନ୍ନ ଅପରାଧିକ ମାମଲାର ଅଭିଯୁକ୍ତମାନଙ୍କୁ ବି ଧରୁଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସର ପାଟ୍ରୋଲିଂ ଗାଡି ନିୟମିତ ଭାବେ ବୁଲୁଛି ଏବଂ ସେ ନିଜେ ବି ଏହି ରାସ୍ତାରେ ପାଟ୍ରୋଲିଂ କରି ବୁଲୁଛନ୍ତି ବୋଲି କହିଛନ୍ତି ଆଇଆଇସି ବାଲେଶ୍ବର ଗିଦ୍ଧୀ। ବାଇପାସ ରାସ୍ତା ଗାନ୍ଧୀ ଛକରୁ ପାୱରହାଉସ କୋଲନୀର ୭ମ ଗଳି ପର୍ୟ୍ୟନ୍ତ ବିଦ୍ୟୁତ ଆଲୁଅ ସଂଯୋଗ କରିବା ସହ ବ୍ୟାପକ ଭାବେ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବା ସହ ପୁଲିସ ଆଉଟପୋଷ୍ଟ ସ୍ଥାପନ କରିବାକୁ ସାହି ବାସିନ୍ଦା ଦାବି କରିଛନ୍ତି। ସେଭଳି ଏହି ରାସ୍ତାରୁ ଜବରଦଖଲ ନ ହଟିବା ଯାଏଁ ଏହି ସମସ୍ୟା ଲାଗି ରହିବ ବୋଲି କହିଛନ୍ତି ସାହି ବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe