ହରିଚନ୍ଦନପୁର: ଦୁଇଘଣ୍ଟା ଧରି ପ୍ରବଳ ବର୍ଷା ଯୋଗୁଁ ନରଣପୁର-ଡୁବୁରି ରାସ୍ତାର ହରିଚନ୍ଦନପୁର ବ୍ଲକ୍ ଶଗଡ଼ପଟା ପଞ୍ଚାୟତ ଖଡ଼ିବାହାଳି ନିକଟ ରେଲୱେ ଗଳିପୋଲର ବାଇପାସ୍ ରାସ୍ତା ଧୋଇଯାଇଛି। ଫଳରେ ଛୋଟଛୋଟ ଗାଡ଼ି ଗୁଡ଼ିକ ରେଲୱେ ଗଳିପୋଲର ପୂର୍ବ ରାସ୍ତାରେ ଯାତାୟାତ କରୁଥିବାବେଳେ ଟ୍ରକ୍, ଟ୍ରେଲର ପରି ବଡ଼ ଗାଡ଼ି ଚଳାଚଳ ବନ୍ଦ ରହିଛି।
ସୂଚନାଯୋଗ୍ୟ, ଦୈତାରୀ-ବାଂଶପାଣି ରେଳପଥର ଶଗଡ଼ପଟା ଷ୍ଟେସନରୁ ଟାଙ୍ଗିରିଆପାଳ ଷ୍ଟେସନ ମଧ୍ୟରେ ରେଳଲାଇନର ଦୋହରୀକରଣ କାମ ଚାଲିଛି। ଖଡ଼ିବାହାଳି ଗ୍ରାମ କଙ୍କଡ଼ା ନାଳ କଡ଼ରେ ନରଣପୁର-ଡୁବୁରି ରାସ୍ତା ଯାଇଥିବାବେଳେ ଉପରେ ରେଲୱେ ବ୍ରିଜ ନିର୍ମାଣ ହୋଇଛି। ଫଳରେ କଙ୍କଡ଼ା ନାଳ କଡ଼ ଦେଇ ଯାଇଥିବା ରାସ୍ତା ଉପରେ ଲୁହା ଆଙ୍ଗେଲ ରଖାଯାଇ ଦ୍ୱିତୀୟ ବ୍ରିଜ ନିର୍ମାଣ କରାଯାଉଛି। ଯାତାୟାତ ପାଇଁ ସେଠାରେ ଏକ ବାଇପାସ୍ ରାସ୍ତା ନିର୍ମାଣ କରାଯାଇଥିଲା।
କଙ୍କଡ଼ା ନାଳରେ ବର୍ଷାପାଣି ପ୍ରବାହିତ ହେବାପାଇଁ ହ୍ୟୁମ୍ପାଇପ ପକାଯାଇ ପୋଲ କରାଯାଇଛି। ରାତିରେ ଦୁଇଘଣ୍ଟା ଧରି ପ୍ରବଳ ବର୍ଷା ହେବାରୁ କଙ୍କଡ଼ା ନାଳରେ ପାଣି ଆସିଥିଲା। ହ୍ୟୁମ୍ପାଇପ୍ରେ ପାଣି ନିଷ୍କାସନ ହୋଇ ନ ପାରିବାରୁ ବାଇପାସ୍ ରାସ୍ତାକୁ ଧୋଇ ନେଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି। ରେଳବାଇ ଠିକାଦାର ପୂର୍ବ ରାସ୍ତା ଉପରୁ ଲୁହା ଆଙ୍ଗେଲ ଖୋଲୁଛି। ସନ୍ଧ୍ୟା ସୁଦ୍ଧା ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ କରିବ ବୋଲି ଜଣାପଡ଼ିଛି।
Follow Us