ମାଲକାନଗିରିରେ କେନାଲ ଭୁଶୁଡ଼ିବା ଘଟଣା: ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ

ପୁରୁଣା କେନାଲ କହି ମୁଣ୍ଡରୁ ଦୋଷ ଛଡାଉଛନ୍ତି ବିଭାଗୀୟ ଅଧିକାରୀ

ମାଲକାନଗିରିରେ କେନାଲ ଭୁଶୁଡ଼ିବା ଘଟଣା: ବିଭାଗୀୟ ଅଧିକାରୀଙ୍କ ଅବହେଳା ଅଭିଯୋଗ

ମାଲକାନଗିରି: ପୋଟେରୁ ଜଳସେଚନ ବିଭାଗର ତମସା ମୁଖ୍ୟ କେନାଲ ଏମପିଭି-୨ ଗ୍ରାମ ଠାରେ ଭାଙ୍ଗି ଘାଇ ସୃଷ୍ଟି ହେବା ଘଟଣାର ସତ୍ୟତା ପଦାକୁ ଆସିଛି। ଜଳସେଚନ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ଏଭଳି ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତିନି ଦିନ ତଳେ ଏମପିଭି-୨ ନିକଟରେ କେନାଲ ହିଡରେ ପାଣି ଲିକେଜ ହେଉଥିବା ନେଇ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ତତ୍ପରତା ଦେଖାଇନଥିବାରୁ ଗତକାଲି ଘାଇ ସୃଷ୍ଟି ହୋଇ ଭସାଇ ନେଇଥିଲା ଲକ୍ଷ ଲକ୍ଷ ଟଂକାର ଧନ ସଂପତ୍ତି। ଘଟଣା ଘଟିବାର ୧୮ ଘଣ୍ଟା ପରେ ବିଭାଗୀୟ ଅଧିକାରୀ ପହଞ୍ଚି ସଫେଇ ଦେଇଛନ୍ତି ଯେ କେନାଲଟି ଅତି ପୁରୁଣା ଥିବାରୁ ଏଭଳି ଘଟଣା ଘଟିଲା।

ପ୍ରକାଶ ଥାଉକି ଗତକାଲି ଅପରାହ୍ନ ଚାରିଟା ବେଳକୁ ହଠାତ୍ ଏମପିଭି-୨ ନିକଟସ୍ଥ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ଯାହାଫଳରେ ଲକ୍ଷାଧିକ ଟଂକାର ଫସଲ ନଷ୍ଟ ହେବା ସହ ୬ଟି ଘର ଭାଙ୍ଗିଯାଇଥିଲା। ଲୋକେ ବେଘର ହୋଇଥିଲେ। ଏବେ ଶହ ଶହ ଏକର ଜମିରେ ପାଣି ପଶିଯାଇଛି। ଆଉ ନିକଟରେ ଥିବା ଘରଗୁଡିକରେ ପାଣି ଧସେଇ ପଶିଥିଲା। ଲୋକେ ନିଜର ଆସବାବପତ୍ରଗୁଡିକ କାଢିବା ପୂର୍ବରୁ ପାଣି ଘରେ ପଶି ସମସ୍ତ ଜିନିଷପତ୍ରକୁ ନଷ୍ଟ କରିଦେଇଛି। ଘରର ସମସ୍ତେ ଭୟରେ ଘର ଛାଡି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିଲେ ମଧ୍ୟ ଘରର କୌଣସି ଜିନିଷକୁ ରକ୍ଷା କରିପାରିନଥିଲେ। ଯାହା ଖାଦ୍ୟ ସାମଗ୍ରୀ ଗଚ୍ଛିତ କରି ଲୋକେ ରଖିଥିଲେ ସେସବୁ ନଷ୍ଟ ହୋଇଯାଇଥିବା ଆଜି ଦେଖିବାକୁ ମିଳିଥିଲା। ଆଉ ଏହି ଘାଇ ବୟାନ କରୁଛି ଯେ ଗତକାଲି ରାତିରେ ଲୋକେ କିପରି ରାତି କଟାଇଥିବେ। ବହୁ ଲୋକେ ରାତିରେ ପିଲାଛୁଆଙ୍କୁ ନେଇ ସ୍କୁଲ ଘର ସମେତ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ।

publive-image

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବ ଏବଂ ଅବହେଳା ଯୋଗୁଁ ହିଁ ଏଭଳି ଘଟିଥିବା ଆଜି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ବିଭାଗୀୟ ଅଧିକାରୀ ଏ ସଂପର୍କରେ ଜାଣିବା ପରେ ଗ୍ରାମବାସୀଙ୍କୁ କିଛି ହେବ ନାହିଁ କହି କଥାକୁ ଟାଳି ଦେଇଥିଲେ। କିନ୍ତୁ ଗତକାଲି ଅଚାନକ କେନାଲ ହୁଡା ଭାଙ୍ଗିବା ପରେ ସମସ୍ତଙ୍କ ନିଦ ହଜିଯାଇଥିଲା। ଏମପିଭି ଗ୍ରାମର ନିର୍ମଲ ମଣ୍ଡଳ, ମୀନା ରାୟ, ଦିଲୀପ ମଣ୍ଡଳ, ସୁରେଶ ବିଶ୍ବାସ, ବଳରାମ ମଣ୍ଡଳ ଏବଂ ବ୍ରଜେନ ଜୋରଦାରଙ୍କର ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ଆଜି ପୋଟେରୁ ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ ପ୍ରଧାନଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ବାଲି ବାସ୍ତା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା।

publive-image

ତେବେ ଗତକାଲି ଘଟଣା ଘଟିବା ପରେ କାହିଁକି ଆସିନଥିଲେ ବୋଲି ପଚରାଯିବାରୁ ସେ ଆସିଥିବା କହି କଥାକୁ ଟାଳି ଦେଇଥିଲେ। ସହକାରୀ ଯନ୍ତ୍ରୀ ସଫେଇ ଦେଇଥିଲେ ଯେ ଏହି କେନାଲ ୩୫ ବର୍ଷ ପୁରୁଣା କେନାଲ। ତେଣୁ ଏଥିରେ ଘାଇ ସୃଷ୍ଟି ହୋଇଛି। ତେବେ ତୁରନ୍ତ ଏହି କେନାଲର ମରାମତି କରାଯାଇ ସ୍ବାଭାବିକ କରାଯିବ ବୋଲି କହିଥିଲେ।

ସବୁ ଜାଣି କାହିଁକି ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କଲେ ସେନେଇ ତଦନ୍ତ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଘଟଣା ଘଟିବାର ଦୀର୍ଘ ୧୮ ଘଣ୍ଟା ପରେ ବିଭାଗୀୟ ଅଧିକାରୀମାନେ ଆସି ତଦାରଖ କରିବା କେତେ ଯୁକ୍ତିଯୁକ୍ତ ବୋଲି କୁହାଯାଇଛି। ପୋଟେରୁ କେନାଲ ମରାମତି ନେଇ ପ୍ରତିବର୍ଷ ଲକ୍ଷାଧିକ ଟଂକା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନଭାବ ଯୋଗୁଁ  ଏଭଳି ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ବରଂ ଏହା ପୂର୍ବରୁ ବହୁଥର ଏଭଳି ଘଟଣା ଘଟିସାରିଛି। ତେବେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe