ପାରାଦୀପ ପୌର ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

ବାଦ୍‌ ପଡ଼ିଲେ ପୁରୁଖା, ନବାଗତଙ୍କୁ ସୁଯୋଗ ଜଗନ୍ନାଥ, ଅଜୟ, ଚିତ୍ତରଂଜନ, ସସ୍ମିତା ଓ ଚପଳାଙ୍କ ଟିକଟ କଟିଲା

ପଦ୍ମପୁର ଉପନିର୍ବାଚନ, ପ୍ରାର୍ଥୀଙ୍କୁ ମିଳିଲା ଦଳୀୟ ଚିହ୍ନ          

Sambad

ଜଗତସିଂହପୁର: ପୌର ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ହାତଗଣତି କେତେ ଜଣଙ୍କୁ ବାଦ୍ ଦେଲେ ପ୍ରାୟ ସବୁ ୱାର୍ଡରେ ଦଳ ଏଥର ନୂଆ ପ୍ରାର୍ଥୀ ଦେଇଛି। ଫଳରେ ବହୁ ଭେଟେରାନଙ୍କର ଟିକଟ କଟିଛି। ଆଉ କିଛି ସଂରକ୍ଷଣ ପାଇଁ ବାଦ୍ ପଡ଼ିଥିଲେ ମଧ୍ୟ ସେଠାରେ ନିଜ ନିଜ ପତ୍ନୀଙ୍କୁ ପ୍ରାର୍ଥୀ କରାଇବାରେ ସକ୍ଷମ ହୋଇଛନ୍ତି। ପ୍ରକାଶ ପାଇଥିବା ଏହି ପ୍ରାର୍ଥୀ ତାଲିକାକୁ ନେଇ ଦଳରୁ ବାଦ୍ ପଡ଼ିଥିବା ନେତାମାନଙ୍କ ମଧ୍ୟରେ ଅସନ୍ତୋଷର କୁହୁଳୁଥିବା ବେଳେ ସେମାନଙ୍କର ଗତିବିଧି ଉପରେ ନଜର ରହିଛି। କେବଳ ସେତିକି ନୁହେଁ ଟିକଟ ଆଶାରେ ଥିବା କିଛି ଦଳ ଛାଡ଼ି ବିରୋଧୀମାନଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଥିବା ଶୁଣିବାକୁ ମିଳିଛି। ଗତଥର ଟିକଟ ପାଇ ବିଜୟୀ ହୋଇଥିବା କିଛି ନେତାଙ୍କୁ ଚଳିତ ଥର ଟିକଟ ଦିଆ ନଯିବା ଚର୍ଚ୍ଚାର ବିଷୟ ହୋଇଛି। ବାଦ୍‌ ପଡ଼ିଥିବା ତାଲିକାରେ ଅଛନ୍ତି ଚିତ୍ତ ରଂଜନ ରାଉତରାୟ। ଚିତ୍ତ ରଂଜନ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପୁତୁରା। ସେ ଗତ ଥର ୱାର୍ଡ-୧୬ରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

ଏଥର ଏହି ୱାର୍ଡରେ ଦଳ ଏକ ନୂଆ ମୁହଁ ପୂର୍ବତନ ପାରିଷଦ ପୁରୁଖା ବିଜେଡି ନେତା ମାଗୁ ଚରଣ ନାୟକଙ୍କ ପୁଅ ମନୋଜ ନାୟକଙ୍କୁ ପ୍ରାର୍ଥୀ କରିଛି। କେଉଁ କାରଣରୁ ଚିତ୍ତ ରଂଜନଙ୍କୁ ବାଦ୍ ଦେଇ ମନୋଜଙ୍କୁ ସୁଯୋଗ ଦିଆଯାଇଛି,ତାହା ଜଣାପଡ଼ୁ ନାହିଁ। ଆଉ ଜଣେ ହେଲେ ଦୁଇ ଦୁଇ ଥର ୱାର୍ଡ-୨ର ପାରିଷଦ ଥିବା ଅଜୟ ନାୟକ।ଏଥର ଏହି ୱାର୍ଡଟି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଅଜୟ ୱାର୍ଡ-୫ରୁ ଆବେଦନ କରିଥିଲେ। ମାତ୍ର ଦଳ ଏଥର ତାଙ୍କୁ ଆଦୌ ପ୍ରାର୍ଥୀ ହେବାକୁ ସୁଯୋଗ ନ ଦେଇ ସେଠାରେ ଭାରତୀ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି। ଫଳରେ ଅଜୟଙ୍କୁ ନିରାଶ ହେବାକୁ ପଡ଼ିଛି। ପାରାଦୀପ ନଗର ବିଜେଡି ମହିଳା ମୋର୍ଚ୍ଚାର ମଙ୍ଗ ସମ୍ଭ‌ାଳୁଥିବା ଚପଳା ସ୍ବାଇଁଙ୍କୁ ଏଥର ନିର୍ବାଚନ ଲଢ଼ିବ‌ାକୁ ସୁଯୋଗ ମିଳି ନାହିଁ। ଗତଥର ଚପଳା ୱାର୍ଡ-୧୩ରେ ପାରିଷଦ ହୋଇଥିବା ବେଳେ ଏଥର ଏହା ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଏଣୁ ଚପଳା ୱାର୍ଡ-୨ରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିଲେ। ମାତ୍ର ସେଠାରେ ତାଙ୍କୁ ବିରୋଧ ବଢ଼ିବାରୁ ଦଳ ତାଙ୍କୁ ସେଠାରେ ପ୍ରାର୍ଥୀ କରି ନାହିଁ। ଏହାସହ ଆଉ କୌଣସି ୱାର୍ଡରୁ ମଧ୍ୟ ତାଙ୍କୁ ପ୍ରାର୍ଥୀ କରି ଦଳ ରିସ୍କ୍ ନେବାକୁ ଚାହିଁ ନାହିଁ। ସେହିପରି ଷଣ୍ଢକୁଦ ବସ୍ତିରୁ ୱାର୍ଡ-୧୮ର ପୂର୍ବତନ ପାରିଷଦ କେ.ଜଗନ୍ନାଥ ରାଓ ଓ ୱାର୍ଡ-୧୯ର ସସ୍ମିତା ପରିଡ଼ାଙ୍କୁ ମଧ୍ୟ ଦଳ ଟିକଟ ଦେଇନାହିଁ। ଗତକାଲି ସସ୍ମିତାଙ୍କୁ ଏଥର ଟିକଟ ମିଳୁନଥିବା ଜାଣି ତାଙ୍କ ସମ୍ପର୍କୀୟମାନେ ଷଣ୍ଢକୁଦ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏକାଠି ହୋଇଥିଲେ। ଏଥିରେ ଉକ୍ତ ୱାର୍ଡର ଏକାଧିକ ମୁରବି ଓ ଯୁବକମାନେ ଉପସ୍ଥିତ ଥିଲେ। ଆବଶ୍ୟକ ପଡ଼ିଲେ ଏହି ୱାର୍ଡରୁ ସ୍ବାଧୀନ ପ୍ରାର୍ଥୀ ଦିଆଯିବ ବୋଲି ସେମାନେ ଯୋଜନା କରିଥିବା ଜଣାପଡ଼ିଛି। ଏଣୁ ସସ୍ମିତାଙ୍କ ପରି ଟିକଟ କଟିଥିବା ଅନ୍ୟ ଆଶାୟୀମାନେ କି ପଦକ୍ଷେପ ନେଉଛନ୍ତି, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe