Griffith Law Firm
ବନ୍ତଳା/ଭୁବନ:ଅନୁଗୁଳ ବ୍ଲକ ବନ୍ତଳା ଥାନା ସାରଙ୍ଗପୁର ଗ୍ରାମ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଓ ଝିଅ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ନିମେଇପୁର ଗ୍ରାମର ସ୍ବର୍ଗତ ବୁଦ୍ଧିମାନ ସାହୁଙ୍କ ତିନି ପୁଅଙ୍କ ମଧ୍ୟରୁ ବଡପୁଅ ଲକ୍ଷ୍ମଣ ସାହୁ (୫୫) ସମ୍ବଲପୁର ପୂର୍ତ୍ତ ବିଭାଗରେ କିରାଣି ଭାବରେ ଚାକିରି କରନ୍ତି। ତେବେ ତାଙ୍କ ବାପାଙ୍କର ବାର୍ଷିକ କ୍ରିୟା କାର୍ଯ୍ୟ ପାଇଁ ଗାଁକୁ ଆସିଥିଲେ। ଉକ୍ତ କାର୍ଯ୍ୟ ସାରି ଅଫିସ କାମରେ ଆଜି ତାଙ୍କ ସ୍ତ୍ରୀ ଝରଣା ସାହୁ (୪୫)ଓ ଝିଅ ପାୟଲ ସାହୁ (୧୭)ଙ୍କୁ ନେଇ ନିଜ ଓଲଟୋ କାର(ଓଡ଼ି-୧୯-ଆର-୯୪୬୫)ଯୋଗେ ସମ୍ବଲପୁରକୁ ଯାଉଥିଲେ।
ଗାଡ଼ିକୁ ନିଜେ ଲକ୍ଷ୍ମଣ ଚଳାଉଥିବା ବେଳେ ଗାଡିଟି ବନ୍ତଳା ଥାନା ସାରଙ୍ଗପୁର ଗ୍ରାମ ନିକଟରେ ହୋଇଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ କଟ ମାରିଥିଲା। ଫଳରେ ଭାରସ୍ୟାମ ହରାଇ କାରଟି ରାସ୍ତା ପାର୍ଶ୍ଵରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଓ ପରେପରେ ଏକ ଗଛ ସହ ଜୋରରେ ପିଟି ହୋଇଯାଇଥିଲା।
ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ କାରର ସାମ୍ନା ପାର୍ଶ୍ଵଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା। ଫଳରେ ଗାଡି ଚଲାଉଥିବା ଲକ୍ଷ୍ମଣ ସେଥିରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ବେଳେ ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ। ବନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବନ୍ତଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ପରେ ସେମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Follow Us