୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ‌ହେବ କାର୍ଡ଼ିଆକ କେୟାର ହସପିଟାଲ, ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ  

Advertisment
୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ‌ହେବ କାର୍ଡ଼ିଆକ କେୟାର ହସପିଟାଲ,  ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ  

ଝାରସୁଗୁଡ଼ା : ଆସନ୍ତା ୨୦୨୨ ମସିହାରେ ଝାରସୁଗୁଡ଼ା ଠାରେ କାର୍ଡ଼ିଆକ କେୟାର ହସିପିଟାଲ କାର୍ଯ୍ୟକ୍ଷମ ହେବ। ଏ ନେଇ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଭୁବନେଶ୍ବର ଲୋକସେବା ଭବନ ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ନିର୍ମାଣାଧିନ ଏହି ହସପିଟାଲର ଅଗ୍ରଗତି ନେଇ ସମୀକ୍ଷା କରିଥିବା ବେଳେ ଏଠାରେ ଷ୍ଟାଫ୍‌ କ୍ବାର୍ଟର, ବିଜୁଳି ବ୍ୟବସ୍ଥା, ପିଇବା ପାଣି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ତୁରନ୍ତ ଉପଲବ୍ଧ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏମ୍‌ସିଏଲ୍‌ ସହାୟତାରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟବରାଦରେ ଏହି କାର୍ଡ଼ିଆକ କେୟାର ହସପିଟାଲ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟ ନିକଟରେ ନିର୍ମାଣ ହେଉଥିବା ବେଳେ ଏବେ ‌ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟରେ ସରକାରୀ ଭାବରେ କୌଣସି ସ୍ଥାନରେ ହୃଦରୋଗ ପାଇଁ ଚିକତ୍ସାଳୟ ନଥିବା ବେଳେ ଏହା ସବୁପ୍ରକାର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହିତ ଜନସେବାରେ ସମର୍ପିତ ହେବାକୁ ଯାଉଛି। ଏହି ଚିକିତ୍ସାଳୟ ପାଇଁ ଅବଶ୍ୟକ ଯନ୍ତ୍ରପାତି ଓ ବୈଷୟିକ ଜ୍ଞାନ କୌଶଳ ପାଇଁ ବିଭିନ୍ନ ବିଶେଷଜ୍ଞ ମାନଙ୍କୁ ମଧ୍ୟ ଦାୟିତ୍ବ ଅର୍ପଣ କରାଯାଇଥିବା ଜଣାଯାଇଛି। ସେହିପରି ଏମ୍‌ସିଏଲ୍‌ ସହାୟତାରେ ଝାରସୁଗୁଡ଼ା ଠାରେ ନିର୍ମାଣାଧିନ ବୃହତ ଷ୍ଟାଡିୟମର କାମ ଶୀଘ୍ର ସଂପୂର୍ଣ୍ଣ କରିବା ସହିତ ଏଠାରେ ତୁରନ୍ତ ସୁଇମିଂପୁଲ ନିର୍ମାଣ, ପଡ଼ିଆର ଉନ୍ନତିକରଣ କାର୍ଯ୍ୟ ସମାପ୍ତ କରିବାକୁ ମନ୍ତ୍ରୀ ଶିଳ୍ପ ବିଭାଗକୁ  ନିର୍ଦ୍ଦେଶ ଦେଇଥିଲେ। ଏହି ଷ୍ଟାଡିୟମରେ ରଣଜୀ ମ୍ୟାଚ୍‌ ଯେଭଳି ଅନୁଷ୍ଠିତ ହେବ ସେଥିପାଇ ତାକୁ ପ୍ରସ୍ତୁତ କରିବା ଓ ଏହାର ପରିଚାଳନା ଭାର ନେଇ ମଧ୍ୟ ଆଲୋଚନା କରାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।  ଏହି ବୈଠକରେ ରାଜ୍ୟ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା, ସ୍ବାସ୍ଥ୍ୟ ସଚିବ ଆର୍‌.କେ. ଶର୍ମା, ଏନ୍‌ଏଚ୍ଏମ୍‌ ଏମ୍‌ଡି ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମ ଏମ୍‌ଡି ଯାମିନୀ ଷଡ଼ଙ୍ଗୀ, ଏମ୍‌ସିଏଲ୍‌ ବୁର୍ଲାର ଅଧ୍ୟକ୍ଷ ତଥା ଏମ୍‌ଡି, ନିର୍ଦ୍ଦେଶକ( ପର୍ସନାଲ), ନିର୍ଦ୍ଦେଶକ( ଫାଇନାନ୍ସ) ଉପସ୍ଥିତ ଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଭିଡିଓ କନଫରେନ୍ସରେ ଯୋଗ‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe