ବିଂଝାରପୁର: ବିଂଝାରପୁର ବ୍ଲକ୍ କଏଣା-ରଘୁନାଥପୁର ପଞ୍ଚାୟତରେ ଆବାସ ଚୋରି ଘଟଣାରେ ୫ ଜଣ ହିତାଧିକାରୀଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି। ପ୍ରକାଶ ଯେ, କଏଣା-ରଘୁନାଥପୁର ପଞ୍ଚାୟତରେ ଆବାସ ଦୁର୍ନୀତି ସମ୍ପର୍କରେ ସମ୍ବାଦରେ ବାରମ୍ବାର ଖବର ପ୍ରକାଶ ପାଇଥିଲା। ପରେ ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଥିଲା। ଜିଲ୍ଲା ପ୍ରଶାସନର ନିର୍ଦେଶରେ ପ୍ରଥମ ପର୍ଯ୍ୟାୟରେ ବିଡିଓ ମିନତି ଜଗଦେବ ତଦନ୍ତ କରି ଗୀତା ପାଣ୍ଡଭ ନାମକ ଜଣେ ୬୫ ବର୍ଷୀୟା ଭିକାରୁଣୀ ବୃଦ୍ଧାଙ୍କ ନାଁରେ ଆବାସ ଅର୍ଥ ହଡ଼ପ କରିଥିବା ବ୍ୟକ୍ତିଙ୍କ ଠାରୁ ଦେଢ଼ଲକ୍ଷ ଟଙ୍କା ଆଦାୟ କରିବା ସହ ଅନ୍ୟ ୮ ଜଣଙ୍କୁ ଟଙ୍କା ଫେରାଇବାକୁ ଚିଠି କରିଥିଲେ।
ସେଥିମଧ୍ୟରୁ ୩ଜଣ ଅଯୋଗ୍ୟ ହିତାଧିକାରୀ କିଛିକିଛି ଅର୍ଥ ଫେରସ୍ତ କରିଥିବା ବେଳେ ଅନ୍ୟ ୫ ଜଣ ଅର୍ଥ ଫେରାଇ ନଥିଲେ। ଅର୍ଥ ଫେରାଇନଥିବା ହିତାଧିକାରୀ ଭାରତୀ ବେହେରା, ଭରତ ଚନ୍ଦ୍ର ଯେନା, ସାବିତ୍ରୀ ବେହେରା, ସୌମ୍ୟଶ୍ରୀ ଧଳ, ବିଷ୍ଣୁ ବେହେରାଙ୍କ ସମେତ ୫ ଜଣ ହିତାଧିକାରୀଙ୍କ ନାମରେ ବିଡିଓ ଶ୍ରୀମତୀ ଜଗଦେବ ଗତମାସ ୨୧ ତାରିଖରେ ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ। ବିଡିଓଙ୍କ ଅଭିଯୋଗକୁ ଆଧାର କରି ଆଇଆଇସି ରଞ୍ଜିତ ମହାନ୍ତି ଉପରୋକ୍ତ ହିତାଧିକାରୀଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ଏସମ୍ପର୍କରେ ଆଇଆଇସି ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ବିଡିଓଙ୍କ ଅଭିଯୋଗ କ୍ରମେ ୫ଟି ମାମଲା ରୁଜୁ ହୋଇଥିବା କହିଛନ୍ତି।
Follow Us