ଏମକେସିଜି ଛାତ୍ରଙ୍କୁ ଭୀମସାର ଛାତ୍ରଙ୍କ ଆକ୍ରମଣ ଘଟଣା: ୫ ଜଣ ଆହତ ଛାତ୍ରଙ୍କ ବୟାନ ରେକର୍ଡ କଲା ପୁଲିସ୍‌

ଏମକେସିଜି ଛାତ୍ରଙ୍କୁ ଭୀମସାର ଛାତ୍ରଙ୍କ ଆକ୍ରମଣ ଘଟଣା: ୫ ଜଣ ଆହତ ଛାତ୍ରଙ୍କ ବୟାନ ରେକର୍ଡ କଲା ପୁଲିସ୍‌

ସମ୍ବଲପୁର: ଏମକେସିଜି ଡାକ୍ତରୀ ଛାତ୍ରଙ୍କୁ ଭୀମସାର ଛାତ୍ରଙ୍କ ଦ୍ବାରା ଆକ୍ରମଣ ଘଟଣାରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି। ଭୀମସାର ଡିନ୍ ପ୍ରିନ୍ସିପାଲଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଏନେଇ ଆଜି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ। ଭାଇରାଲ ଭିଡିଓ ଆଧାରରେ ଛାତ୍ରମାନଙ୍କୁ ଚିହ୍ନଟ କରାଯିବ। ବୁର୍ଲା ପୁଲିସ ଏହି ଘଟଣାରେ ପଚରାଉଚରା ଆରମ୍ଭ କରିଥିବା ଏସପି କହିଛନ୍ତି। ଛାତ୍ରଙ୍କୁ କିଏ ଓ କାହିକିଁ ଆକ୍ରମଣ କଲା ସେନେଇ ତଦନ୍ତ କରିବାକୁ ଡିନ୍ ପ୍ରିନ୍ସିପାଲ ଏତଲାରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁସାରେ ଆନ୍ତଃ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ‘ଇଉଫୋରିଆ’ କାର୍ଯ୍ୟକ୍ରମକୁ ଯାଇଥିଲେ ଏମକେସିଜି ଛାତ୍ର। ଭୀମସାର ଛାତ୍ରମାନେ କୌଣସି କଥାକୁ ନେଇ ଏମକେସିିଜି ଛାତ୍ରଙ୍କ ବସ ଭାଙ୍ଗିବା ସହ ପଥର ମାଡ଼ କରିଥିଲେ। ଏହାକୁ ନେଇ ୫ ଜଣ ଆହତ ଛାତ୍ରଙ୍କର ବୟାନ ରେକର୍ଡ କରିଛି ପୁଲିସ।

ଉଲ୍ଲେଖଯୋଗ୍ୟ, ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍‌କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣକରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଥିଲେ ବୁର୍ଲାସ୍ଥିତ ଭିମ୍‌ସାର୍‌ର ଡାକ୍ତରୀ ଛାତ୍ର। ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଯନ୍ତ୍ରର ପ୍ରୟୋଗ କରିଥିଲେ। ଏହି ଘଟଣାରେ ସର୍ବମୋଟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସମସ୍ତଙ୍କ ଅବସ୍ଥା ଭଲ ଅଛି।

ପ୍ରାପ୍ତ ସୂଚନା ଅନୁସାରେ, ବୁର୍ଲା ଭିମ୍‌ସାର, କଟକର ଏସ୍‌ସିବି ଏବଂ ବ୍ରହ୍ମପୁରର ଏମ୍‌କେସିଜିର ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବେ ଅନ୍ତଃ ମହାବିଦ୍ୟାଳୟ ପ୍ରତିଯୋଗିତା ‘ୟୁଫୋରିଆ’ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ୩ ବର୍ଷରେ ଥରେ ଏକ ମେଡିକାଲ କଲେଜକୁ ଆୟୋଜନ ଦାୟିତ୍ବ ମିଳିଥାଏ। ଚଳିତ ବର୍ଷ ‘ୟୁଫୋରିଆ’ ଆୟୋଜନ ଦାୟିତ୍ବ ବୁର୍ଲା ଭିମ୍‌ସାର୍‌କୁ ମିଳିଥିଲା। ଗତ କିଛି ମାସ ହେଲା ଏଥି ପାଇଁ ଭିମ୍‌ସାରରେ ପ୍ରସ୍ତୁତି ଚାଲିଥିଲା ବେଳେ ଆରମ୍ଭରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର କେତେକ ବରିଷ୍ଠଙ୍କ ବିରୋଧରେ କେତେକ କନିଷ୍ଠ ଛାତ୍ର ଅଭିଯୋଗ ମଧ୍ୟ ଆଣିଥିବା ବେଳେ ଆପୋସ ସମାଧାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe