The Hans India
ସୁନ୍ଦରଗଡ଼/ହେମଗିର: ଲେଫ୍ରିପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣି ତେଜରାମ ସାଙ୍କୁ ହେମଗିର ବ୍ଲକ୍ ତୁମୁଲିଆ ମାଣିକେଶ୍ବରୀ ମହାବିଦ୍ୟାଳୟ ଅଧ୍ୟାପକ ସରୋଜ ମିଶ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହେମଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧ୍ୟାପକ ଶ୍ରୀ ମିଶ୍ର ଓ ତାଙ୍କ ପୁଅ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ନେଇ ପୀଡ଼ିତ କିରାଣି ହେମଗିର ଥାନାରେ ଏତଲା ଦେଇଛନ୍ତି। ସିସିଟିଭି କ୍ୟାମେରାରେ ମାଡ଼ର ରେକର୍ଡ ଥିବା ସେ ପ୍ରକାଶ କରିଛନ୍ତି। ଏତଲାକୁ ନେଇ ପୁଲିସ ଅଧ୍ୟାପକ ଓ ତାଙ୍କ ପୁଅଙ୍କ ନାମରେ ଭାରତୀୟ ଦଣ୍ଡବିଧି ଧାରା ୩୪୧, ୩୨୩ ଓ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିରାଣି ତେଜରାମ ଦେଇଥିବା ଏତଲା ଅନୁସାରେ, ହେମଗିର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଶୋର ଅର୍କ ଲେଫ୍ରିପଡ଼ା ବ୍ଲକର ଅତିରିକ୍ତ ଦାୟିତ୍ବରେ ଅଛନ୍ତି।
ଲେଫ୍ରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗର କିରାଣି ଥିବା ତେଜରାମ କିଛି ଜରୁରୀ ଦସ୍ତାବିଜରେ ଅଧିକାରୀଙ୍କ ଦସ୍ତଖତ କରାଇବାକୁ ବୁଧବାର ଅପରାହ୍ନ ସାଢ଼େ ୫ଟାରେ ହେମଗିର ଯାଇଥିଲେ। ସେଠାରେ ଦସ୍ତଖତ କରାଇ ଫେରୁଥିବା ବେଳେ ଅଧ୍ୟାପକ ସରୋଜ ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ତାଙ୍କ ପୁଅ ମଧ୍ୟ ଆସି ବ୍ଲକ ପରିସରରେ ଗୋଡ଼ାଇ ପିଟିଥିଲେ। କିରାଣି ଉଲ୍ଲେଖ କରିଛନ୍ତି ଯେ, ସେ କାର୍ଯ୍ୟାଳୟରେ ବସିଥିବା ବେଳେ ସେଠାରେ ଉପସ୍ଥିତ ଜଣେ ଶିକ୍ଷୟିତ୍ରୀଙ୍କ ପରିଚୟ ଶିକ୍ଷା ବିଭାଗର ଡାଟା ଏଣ୍ଟ୍ରି ଅପରେଟର (ମଧ୍ୟାହ୍ନ ଭୋଜନ) ପ୍ରଦୀପ କୁମାରଙ୍କୁ ପଚାରିଥିଲେ। ତେବେ ମହିଳା ଜଣକ ଅଧ୍ୟାପକ ସରୋଜ ମିଶ୍ରଙ୍କ ପତ୍ନୀ ବୋଲି ପରେ ଜାଣିବାକୁ ପାଇଥିଲେ। କିନ୍ତୁ କେବଳ ପରିଚୟ ପଚାରିବା କାରଣକୁ ନେଇ ଏପରି ଆକ୍ରମଣ ତାଙ୍କୁ ବିସ୍ମିତ କରିଛି ବୋଲି ତେଜରାମ କହିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ଘଟଣାଟି ହେମଗିର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Follow Us