ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ଶବ ସତ୍କାର କଲେନି ବନ୍ଧୁବାନ୍ଧବ, ସହଯୋଗର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ଶବ ସତ୍କାର କଲେନି ବନ୍ଧୁବାନ୍ଧବ, ସହଯୋଗର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ହରଭଙ୍ଗା :  ବହୁବର୍ଷ ତଳେ ପ୍ରେମ ବିବାହ କରି ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ କିମ୍ବା ଗାଁ ଲୋକେ କେହି ଆଗକୁ ନଆସିବାରୁ ଦୀର୍ଘ ୨୪ ଘଣ୍ଟା ଧରି ପଡ଼ିରହିଲା ମୃତଦେହ ।  ନିଃସହାୟ ପତ୍ନୀ କପାଳକୁ ଆଦରି ସ୍ୱାମୀଙ୍କ ମୃତଦେହକୁ ଏକାକୀ ଜଗି ରହିଥିବା ଭଳି ଏକ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଭଲିଆଗୋରା ଗ୍ରାମରେ ।

ପ୍ରାପ୍ତ ସୂଚନା ଅନୁସାରେ ମଧ୍ୟପ୍ରଦେଶ ରାଜ୍ୟର ଗୋବର୍ଦ୍ଧନ ପ୍ରଜାପତି ନାମକ ଜଣେ ଯୁବକ ଏବଂ ଭଲିଆଗୋରା ଗ୍ରାମର ସୁକାନ୍ତି ରଣା ନାମୀ ଜଣେ ଯୁବତୀ ପରସ୍ପରକୁ ଭଲପାଇ ୧୦ବର୍ଷ ତଳେ ପ୍ରେମ ବିଭାହ କରିଥିଲେ । ସେମାନେ ଉଭୟ ଭିନ୍ନ ଜାତିର ହୋଇଥିବାରୁ ଜାତି ସମାଜରୁ ବାସନ୍ଦ ହୋଇ ମୂଲ ମଜୁରୀ କରି ଯାହା ଦି ପଇସା ରୋଜଗାର କରୁଥିଲେ ହସ ଖୁସିରେ ଏକାଠି ଜୀବନ ଅତିବାହିତ କରିଆସୁଥିଲେ। ଶନିବାର ଗୋବର୍ଦ୍ଧନଙ୍କର ଦେହ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଚିକିତ୍ସା ପାଇଁ ପତ୍ନୀ ବୌଦ୍ଧ ଡାକ୍ତରଖାନାକୁ ନେଉଥିଲେ । ତେବେ ଦୁର୍ଭାଗ୍ୟକୁ ବାଟରେ ତାଙ୍କର ମୃତ୍ୟୁ ଘଟିବାରୁ ସୁକାନ୍ତି ସ୍ୱାମୀଙ୍କର ମୃତଦେହକୁ ଘରକୁ ଫେରାଇ ଆଣି ତାଙ୍କର ଅନ୍ତିମ ସଂସ୍କାର ପାଇଁ ସମସ୍ତଙ୍କୁ ନେହୁରା ହୋଇଥିଲେ । ମାତ୍ର ଜାତି ସମାଜର କଠୋର ନୀତି ନିୟମ ଆଗରେ ତାଙ୍କର ହୃଦୟ ବିଦାରକ ଦୁଃଖ କାଟୁ କରିନଥିଲା । ତାଙ୍କର ଏହି ବିଷମ ପରିସ୍ଥିତିରେ ପରିବାର, ଜ୍ଞାତି କୁଟୁମ୍ଭ ପ୍ରିୟଜନ କିମ୍ବା ଗାଁ ଲୋକ କେହିବି ତାଙ୍କର ପାଖ ମାଡିନଥିଲେ । ଫଳରେ ଅସହାୟ ହୋଇ ସୁକାନ୍ତି ଅନ୍ତିମ ସଂସ୍କାର କରିବାକୁ ଅସମର୍ଥ ହୋଇ ଶନିବାର ରାତିସାରା ଓ ରବିବାର ଦିନ ତମାମ ପାଇଁ ସ୍ୱାମୀଙ୍କ ମୃତଦେହକୁ ଏକାକି ଜଗିରହିଥିଲେ। ଏ ଖବର ଜାଣିବା ପରେ ଛତ୍ରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଶୀଲ ପ୍ରଧାନ ସ୍ଥାନୀୟ ହରଭଙ୍ଗା ପୋଲିସର ଦ୍ରୁଷ୍ଟି ଆକର୍ଷଣ କରିବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବୌଦ୍ଧ ନେଇ ବ୍ୟବଚ୍ଛେଦ କରାଇଥିଲା । ଏହି ସମ୍ବେଦନଶୀଳ ଘଟଣା ଜାଣିବା ପରେ ବୌଦ୍ଧ ବୁଟୁପାଲି ସତ୍ୟସାଇ ସେବା ନାମକ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ ମାନେ ସହାୟତାର ହାତ ବଢ଼ାଇବାକୁ ଆଗେଇ ଆସି ମୃତଦେହକୁ ବୌଦ୍ଧ ରାଜଘାଟକୁ ନେଇ ଦାହ ସଂସ୍କାର କରାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe