ପୌର ପରିଷଦକୁ ଭୂତାଉଛି କ୍ୟାମେରା ଲଗାଇଥିବା ସଂସ୍ଥା!

Advertisment

୧୨ ଲକ୍ଷ ଟଙ୍କାର ୩୦ ସିସି କ୍ୟାମେରା ଅଚଳ

୧୨ ଲକ୍ଷ ଟଙ୍କାର ୩୦ ସିସି କ୍ୟାମେରା ଅଚଳ

ପୌର ପରିଷଦକୁ ଭୂତାଉଛି କ୍ୟାମେରା ଲଗାଇଥିବା ସଂସ୍ଥା!

Sambad

ଜଗତସିଂହପୁର ଟାଉନ୍: ମାସାଧିକ କାଳ ଧରି ଜଗତସିଂହପୁର ସହରରେ ଲାଗିଥିବା ୩୨ ସିସିଟିଭି କ୍ୟାମେରାରୁ ପ୍ରାୟ ୩୦ଟି ଅଚଳ ହୋଇ ପଡ଼ିଲାଣି। ଗତ ତିନି ମାସ ଧରି ଗୋଟିଏ ପରେ ଗୋଟିଏ କ୍ୟାମେରା ଅଚଳ ନେଇ ଜଗତସିଂହପୁର ଥାନାଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ତିନି ଥର ପୌର ପରିଷଦକୁ ଚିଠି ଲେଖିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। କ୍ୟାମେରାର ଦୁଇ ବର୍ଷ ଵାରେଣ୍ଟି ଅଛି। କିନ୍ତୁ କ୍ୟାମେରା ଲଗାଇଥିବା ସଂସ୍ଥା ଭୁବନେଶ୍ବରସ୍ଥିତ ଉତ୍କଳ ଲକ୍ଷ୍ମୀ ଇଞ୍ଜିନିୟରିଂ ଏବେ ପୌର ପରିଷଦକୁ ଭୂତଇବାରେ ଲାଗିଛି। ମରାମତି କିମ୍ବା ନୂଆ କ୍ୟାମେରା ଲଗାଇବାକୁ ରାଜି ହେଉନାହିଁ। ସମ୍ପୃକ୍ତ ସଂସ୍ଥାକୁ ଚିଠି ଲେଖି ଵାରେଣ୍ଟି ଅବଧି ଥିବାରୁ କ୍ୟାମେରା ମରାମତି କିମ୍ବା ବଦଳାଇବାକୁ ପୌର କର୍ତୃପକ୍ଷ ଜଣାଇଛନ୍ତି। କିନ୍ତୁ ଉତ୍କଳ ଲକ୍ଷ୍ମୀ ଇଞ୍ଜିନିୟରିଂ କୁଆଡ଼େ ରାଜି ହେଉ ନାହିଁ। ଫଳରେ ୧୨ ଲକ୍ଷ ଟଙ୍କା ପାଣିରେ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଉକ୍ତ ସଂସ୍ଥା ନିୟମ ପାଳନ ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏପରିକି ସଂସ୍ଥାର ବ୍ୟାଙ୍କ୍‌ ଗ୍ୟାରେଣ୍ଟିକୁ ମଧ୍ୟ ରଦ୍ଦ କରିଦିଆଯିବ ବୋଲି ପୌରକର୍ତୃପକ୍ଷ ତାଗିଦ୍‌ କରିଛନ୍ତି। ସୂଚନା ଅନୁସାରେ, ଜଗତସିଂହପୁର ସହରର ପ୍ରମୁଖ ଛକରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପୌର ପରିଷଦ ପାଣ୍ଠିରୁ ୧୧ ଲକ୍ଷ ୮୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିପାଇଁ ଟେଣ୍ଡରରେ ଭାଗ ନେଇଥିବା ତିନି ସଂସ୍ଥାରୁ ଭୁବନେଶ୍ବରର ଉତ୍କଳ ଲକ୍ଷ୍ମୀ ଇଞ୍ଜନିୟିରିଂ ଟେଣ୍ଡର ପାଇଥିଲା। ୨୦୨୧ ଜାନୁଆରୀ ୨୦ ତାରିଖରେ ଏହାର ଶୁଭାରମ୍ଭ କରାଯାଇଥିଲା। ଜଗତସିଂହପୁର ଟାଉନ୍ ଥାନାରେ ଏହାର କଣ୍ଟ୍ରୋଲ ରୁମ୍ ରଖା ଯାଇଥିଲା। ଦୁର୍ଘଟଣା ହେଉ କି ଆନ୍ଦୋଳନ କିମ୍ବା ଆଇନଶୃଙ୍ଖଳା ରକ୍ଷାରେ ପୁଲିସକୁ ସିସିଟିଭି କ୍ୟାମେରା ବେଶ୍ ସହାୟକ ହୋଇଥିଲା। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପାରୁଥିଲା। ଏପରିକି ରାତି ଚୋରି, ଦୁର୍ଘଟଣା ଓ ବାଇକ୍ ଚୋରି କ୍ଷେତ୍ରରେ ପୁଲିସ୍‌କୁ ବିଶେଷ ସହଯୋଗ ମିଳିଥିଲା। ପ୍ରାୟ ୧୫ ମାସ ସବୁ କିଛି ଠିକଠାକ୍ ଚାଲିବା ପରେ ମେ ମାସରୁ କ୍ୟାମେରା ଅଚଳ ହେବା ଆରମ୍ଭ ହେଲା। ଏପରିକି କେତେକ ଅପରାଧ ଓ ଦୁର୍ଘଟଣା ମାମଲାରେ ପୁଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବାକୁ ଚାହିଁଥିଲେ ବି ଲାଭ ମିଳି ନ ଥିଲା। ଏଣେ ୱାରେଣ୍ଟି ଥିବା ସତ୍ତ୍ବେ ନୂଆ କ୍ୟାମେରା ଲଗାଇବାକୁ ଉକ୍ତ ସଂସ୍ଥା ଅଧିକ ଟଙ୍କା ଦାବି କରିଥିବା ପୌର ପରିଷଦ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ହାତଗଣତି ତିନି ଚାରିଟି କ୍ୟାମେରା ପରିଚାଳିତ ହେଉଥିବା ମନିଟରକୁ ଧରି ବସିଛି ପୁଲିସ। ଏଠାରେ ପ୍ରଶ୍ନ ଉଠୁଛି ଵାରେଣ୍ଟି ଅବଧି ଥିବା ବେଳେ କାହିଁକି କ୍ୟାମେରା ଖଞ୍ଜିଥିବା ଉତ୍କଳ ଇଞ୍ଜିନିୟରିଂ ପୌର ପରିଷଦକୁ ଭୂତାଉଛି କିପରି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe