ଖୋର୍ଦ୍ଧା ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡଃ ମହେନ୍ଦ୍ରଭାଇ

Advertisment

ଓଡ଼ିଆ ଶ୍ରମିକଙ୍କ ହିତ ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଲାଗୁ କରନ୍ତୁ

ଓଡ଼ିଆ ଶ୍ରମିକଙ୍କ ହିତ ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ସ୍ୱାସ୍ଥ୍ୟ କାର୍ଡ ଲାଗୁ କରନ୍ତୁ

ଖୋର୍ଦ୍ଧା ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡଃ ମହେନ୍ଦ୍ରଭାଇ

Sambad

ଖୋର୍ଦ୍ଧା: ଆଜି କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଡଃ. ମୁଞ୍ଜପରା ମହେନ୍ଦ୍ରଭାଇ ଖୋର୍ଦ୍ଧା ଜିଲ୍ଲା ସଦରମହକୁମା ଗସ୍ତ କରିଛନ୍ତି। ସ୍ଥାନୀୟ ପୂର୍ତ ବିଭାଗ ଡାକବଙ୍ଗଳାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ବିଭିନ୍ନ ଜନହିତକର ଯୋଜନାର ସଫଳତା ବଖାଣିଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଜ ବକ୍ତବ୍ୟରେ ଦେଶର ସ୍ୱାସ୍ଥ୍ୟ ସେବାର ବିକାଶ ସମ୍ପର୍କରେ ଆଲୋଚନା କରି କହିଲେ ଯେ ଆୟୁଷ୍ମାନ ଭାରତ ଯୋଜନାରେ ୨୩.୩୪ କୋଟି ସ୍ୱାସ୍ଥ୍ୟ କାର୍ଡରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପ୍ରଦାନ କରାଯାଇଛି।

ଓଡ଼ିଶା ସରକାର ମଧ୍ୟ ସ୍ୱାସ୍ଥ୍ୟକାର୍ଡ ପ୍ରଣୟନ କରିଛନ୍ତି, କିନ୍ତୁ ଏହି କାର୍ଡ କେବଳ ରାଜ୍ୟ ମଧ୍ୟରେ ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇଥାଏ। ଯେଉଁ ଓଡ଼ିଆ ଭାଇଭଉଣୀ ମାନେ ଅନ୍ୟ ରାଜ୍ୟକୁ କର୍ମସଂସ୍ଥାନ ପାଇଁ ଯାଇଛନ୍ତି ସେଠାରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟକାର୍ଡ କାମ ଦିଏ ନାହିଁ। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାର ସ୍ୱାସ୍ଥ୍ୟ କାର୍ଡ ସଞ୍ଜୀବନୀ ଭଳି କାମ ଦେଇଥାଏ। ଏଣୁ ଓଡ଼ିଶାରେ ମଧ୍ୟ ଏହି ଯୋଜନା ଚଳାଇବା ଆବଶ୍ୟକ। ଏହାଦ୍ୱାରା ଦେଶର କୌଣସି ସ୍ଥାନରେ ମଧ୍ୟ ଜଣେ ମାଗଣା ସ୍ୱାସ୍ଥ୍ୟସେବା ପାଇ ପାରିବ।

ଆୟୁଷ ୱେଲ୍ନେସ୍ କେନ୍ଦ୍ରରେ ରୋଗ ପ୍ରତିରୋଧ ପାଇଁ କାର୍ଯ୍ୟ କରୁଛି, ସେହିଭଳି ୯୩୦୦ ଜନଔଷଧୀ କେନ୍ଦ୍ର ସ୍ଥାପନ ହୋଇଛି, ଗ୍ରାମାଞ୍ଚଳରେ ଥିବା କୃଷି ସହକାରୀ ମଣ୍ଡଳୀ ଜରିଆରେ ଏହି ଜନଔଷଧୀ କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯାଇଛି। ଅନ୍ୟାନ୍ୟ ଜନହିତକର ଯୋଜନା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଲେ ଯେ, ୨୦୧୪ରେ କୃଷି ବଜେଟ୍ ଯାହା ଥିଲା ଗତ ୯ ବର୍ଷରେ ଏହାର ପରିମାଣ ୫.୬ ବୃଦ୍ଧି କରାଯାଇଛି। କୃଷି ସିଚାଇ ଯୋଜନା ୯୩.୬୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ତିନି ଦିନ ପୂର୍ବେ ଧାନ, ଗହମ ଆଦି ଖାଦ୍ୟଶସ୍ୟ ଓ ଅର୍ଥକାରୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ ୬ ହଜାର ଟଙ୍କା ପ୍ରତିବର୍ଷ କୃଷକଙ୍କୁ ପ୍ରଦାନ କରାଯାଉଛି। ସାର ଉପରେ ରିହାତି ପ୍ରାୟ ୫୦୦ ପ୍ରତିଶତ ଦିଆଯାଉଛି। ୨୩ କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, କିଷାନ କ୍ରେଡିଟ୍ କାର୍ଡ, ପିଏମ୍ ଫସଲ ବୀମା ଯୋଜନା ସଫଳ ଭାବେ ଲାଗୁ କରାଯାଇଛି।

publive-image Sambad

ସେହିଭଳି ନିଜ ବିଭାଗର ମହିଳା ଓ ଶିଶୁ ବିକାଶ ଏବଂ ଆୟୁଷ ମନ୍ତ୍ରଣାଳୟ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ମହେନ୍ଦ୍ରଭାଇ କହିଥିଲେ ଯେ ୧୧.୫ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ମହିଳା ଓ ଶିଶୁଙ୍କ ସମ୍ମାନକୁ ଦୃଷ୍ଟିରେ ରଖାଯାଇ କରାଯାଇଛି। ପିଏମ୍ଏୱାଇ ଗ୍ରାମୀଣରେ ୬୮ ପ୍ରତିଶତ ହିତାଧିକରୀ ମହିଳାମାନେ ଅଟନ୍ତି, ତିନି ତଲାକକୁ ଅସିଦ୍ଧ କରାଯିବା ଦ୍ୱାରା ଅନେକ ମହିଳାଙ୍କ ସମସ୍ୟାର ସମାଧାନ ହୋଇପାରିଛି, ଉଜ୍ଜ୍ୱଳା ଯୋଜନାରେ ଏଲ୍ପିଜି ସିଲିଣ୍ଡର ୯ କୋଟିରୁ ହିତାଧିକାରୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ସର୍ବାଧିକ ଅଟେ, କର୍ମଜୀବୀ ମହିଳାଙ୍କ ପ୍ରସୂତୀକାଳୀନ ଛୁଟି ୨୬ ସପ୍ତାହକୁ ବୃଦ୍ଧି କରାଯାଇଛି, ଜନଧନ ସଞ୍ଚୟ ଖାତାରେ ୨୩ ପ୍ରତିଶତ ମହିଳା ହିତାଧିକାରୀ ଅଛନ୍ତି, ମୁଦ୍ରା ଯୋଜନାରେ ଦିଆଯାଉଥିବା ଋଣ ସହାୟତାରେ ମହିଳା ଉଦ୍ୟୋଗୀଙ୍କୁ ପ୍ରାଥମିକତା ଦିଆଯାଉଛି ବର୍ତମାନ ମୋଟ ଋଣଗ୍ରହୀତାଙ୍କ ମଧ୍ୟରେ ୨୭ ପ୍ରତିଶତ ମହିଳା ଉଦ୍ୟୋଗୀ ରହିଛନ୍ତି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଆର୍ଥିକ ସହାୟତା ଓ ଦ୍ୱିତୀୟ କନ୍ୟାସନ୍ତାନ ନିମନ୍ତେ ଆର୍ଥିକ ସହାୟତାକୁ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ଜନଔଷଧୀ ଯୋଜନାରେ ୧ ଟଙ୍କାରେ ସାନିଟାରୀ ପ୍ୟାଡ୍ ପ୍ରଦାନ, ସ୍କୁଲରେ ବାଳିକାଙ୍କ ପାଇଁ ୯.୫୨ ଲକ୍ଷ ଶୌଚାଳୟ, ସେନାବାହିନୀରେ ମହିଳାଙ୍କ ପାଇଁ ସ୍ଥାୟୀ କମିସନ ଗଠନ କରାଯାଇଛି ବୋଲି କହିଥିଲେ। ଶେଷରେ ଦେଶରେ ବିଭିନ୍ନ ଧାର୍ମିକ କ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନାରେ କହିଲେ ଯେ ରାମମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ନିର୍ଦ୍ଧାରିତ ସମୟରେ ଏହା ଶେଷ ହେବ, ମନ୍ଦିର ପ୍ରତିଷ୍ଠାପରେ ସମସ୍ତେ ନିଜ ପରିବାର ସହ ପ୍ରଭୂରାମଙ୍କ ଦର୍ଶନ କରିବାକୁ ଆସନ୍ତୁ ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ରଶ୍ମିରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁଚରଣ ଖଣ୍ଡାୟତରାୟଙ୍କ ସମେତ ବିଜେପିର ସ୍ଥାନୀୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe