ମହୁଲପାଲି ଲ୍ୟାମ୍ପସ ନିର୍ବାଚନ ଅନିୟମିତତା: ଟାଙ୍ଗରପାଲି ବ୍ଲକ୍ ସିଇଓ ପ୍ରସନ୍ନ ପଟେଲ ନିଲମ୍ବିତ

Advertisment
ମହୁଲପାଲି ଲ୍ୟାମ୍ପସ ନିର୍ବାଚନ ଅନିୟମିତତା: ଟାଙ୍ଗରପାଲି ବ୍ଲକ୍ ସିଇଓ ପ୍ରସନ୍ନ ପଟେଲ ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମହୁଲପାଲି ଲ୍ୟାମ୍ପସରେ ଚାଲିଥିବା ସମବାୟ ନିର୍ବାଚନରେ ଅନିୟମିତତା ଅଭିଯୋଗରେ ୧୬ ତାରିଖରେ ବିଦାୟୀ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ବାଚନ ଅଧିକାରୀ ତଥା ଟାଙ୍ଗରପାଲି ବ୍ଲକ୍ ମେଘଡେଗା ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକେଶ୍ବର ଚୌଧୁରୀଙ୍କୁ ନିଲମ୍ବିତ କରିଥିଲେ। ଆଜି ଟାଙ୍ଗରପାଲି ବ୍ଲକ୍ ମୁଖ୍ୟ ନିର୍ବାହୀ ଅଧିକାରୀ (ଡେପ୍ଲୟଡ୍) ତଥା ସମ୍ବଲପୁର ଏସଏଆରସିଏସ ପ୍ରସନ୍ନ ପଟେଲଙ୍କୁ ଓଡ଼ିଶା ସମବାୟ ସମିତି ନିବନ୍ଧକ ନିଲମ୍ବିତ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କୁ ସମ୍ବଲପୁର ସମବାୟ ସମିତି ଉପନିବନ୍ଧକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନରୁ ବହୁ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ମଧ୍ୟରେ ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଚାପିଦେବାରେ ସକ୍ଷମ ହୋଇଥିବା ଶ୍ରୀ ପଟେଲ ଶେଷକୁ ନିର୍ବାଚନ ମାମଲାରେ ନିଲମ୍ବିତ ହେବା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ, ମହୁଲପାଲି ଲ୍ୟାମ୍ପ ନିର୍ବାଚନରେ ସମବାୟ ସମିତି ସଦସ୍ୟତା ଚୟନରେ ଅନିୟମିତତା ଅଭିଯୋଗ ହୋଇଥିଲା। ନିର୍ବାଚନ ଅଧିକାରୀଙ୍କ ଠାରେ ଦାଖଲ ନାମାଙ୍କନପତ୍ରରେ ହୋଇଥିଲା ଜାଲିଆତି। ସମର୍ଥକ ଓ ପ୍ରସ୍ତାବକଙ୍କ ଜାଲ୍ ଦସ୍ତଖତରେ ପଡ଼ିଥିଲା ଆବେଦନ। ମେ’ ୨୭ ତାରିଖରେ ସମବାୟ ସମିତିର ସଦସ୍ୟତା ପାଇଁ ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ଅନେକ ସଦସ୍ୟ ଆଶାୟୀ ନିଜ ସମର୍ଥକ ଓ ପ୍ରସ୍ତାବକଙ୍କ ଦସ୍ତଖତରେ ଆବେଦନ କରିଥିଲେ। ମହୁଲପାଲି ଲ୍ୟାମ୍ପସରେ ୧୪ ଜଣ ସଦସ୍ୟଙ୍କ ପାଇଁ ଆବେଦନପତ୍ର ଦାଖଲ ହୋଇଥିଲା। କିନ୍ତୁ ଅଧିକାଂଶ ଆବେଦନପତ୍ରରେ ପ୍ରସ୍ତାବକ ଓ ସମର୍ଥକଙ୍କ ଜାଲ ଦସ୍ତଖତ ଥିବା ଜଣାପଡ଼ିବା ପରେ ସୋମବାର ନିର୍ବାଚନ ଅଧିକାରୀଙ୍କ ଆଗରେ ଅଭିଯୋଗ ହୋଇଥିଲା। ରଘୁନନ୍ଦନ ସା ନାମକ ଜଣେ ବ୍ୟକ୍ତି ଲ୍ୟାମ୍ପସର ସଦସ୍ୟତା ପାଇଁ ଆବେଦନ କରି ନଥିଲେ। କିନ୍ତୁ କେହି ଜଣେ ତାଙ୍କ ଜାଲ୍ ଦସ୍ତଖତରେ ଆବେଦନ କରି ଦେଇଥିବା ଅଭିଯୋଗ ହୋଇଥିଲା।

ସେହିପରି ପ୍ରସ୍ତାବକ ଓ ସମର୍ଥକ ଭାବେ ରବିରତ୍ନ ପଟେଲଙ୍କ ଜାଲ୍ ଦସ୍ତଖତରେ ଜଣେ ବ୍ୟକ୍ତି ସଦସ୍ୟତା ପାଇଁ ଆବେଦନ କରିଥିବା ଅଭିଯୋଗ ହୋଇଥିଲା। ଏହିପରି ଅନେକ ବ୍ୟକ୍ତିଙ୍କ ଅଜଣାତରେ ସେମାନଙ୍କ ଜାଲ୍ ଦସ୍ତଖତରେ ପ୍ରସ୍ତାବକ, ସମର୍ଥକ ସଜାଇ ଆବେଦନପତ୍ର ଦାଖଲ ହୋଇଥିବା ଜଣାପଡ଼ିଥିଲା। ସଦସ୍ୟତା ପାଇଁ କୃଷ୍ଣ ପଣ୍ଡା, ଦୁର୍ଗେଶ ପଟେଲ, ଅଶୋକ ପ୍ରଧାନ ଦାଖଲ କରିଥିବା ନାମାଙ୍କନପତ୍ରକୁ ବିନା କାରଣରେ ଖାରଜ କରି ଦିଆଯାଇଥିଲା। ଏସମ୍ପର୍କରେ ରାଜ୍ୟ ସମବାୟ ନିର୍ବାଚନ କମିସନରଙ୍କୁ ଅଭିଯୋଗ କରିଥିଲେ। ଏହା ପରେ କମିସନଙ୍କ ନିର୍ଦ୍ଦେଶରେ ତଦନ୍ତ କରାଯାଇଥିଲା। ତଦନ୍ତରେ ନିର୍ବାଚନରେ ଅନିମୟିତତା ହୋଇଥିବା ଜଣାପଡ଼ିବା ପରେ ନିବନ୍ଧକ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe