ଜୟପୁର: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାରେ ବଡ଼ ଏକାଦଶୀ ସହ ହରିଶୟନ ନିତୀ ଯୋଗ ଏକା ସହ ପଡ଼ିଛି। ତେବେ ଏବର୍ଷ କରୋନା ଯୋଗୁଁ ଏଥିରେ ବି ବ୍ୟତିକ୍ରମ ଦେଖାଦେଇଛି। ପ୍ରତିବର୍ଷ ରଥ ବାଙ୍କମଠ ଗୁଣ୍ଡିଚା ମନ୍ଦିରରୁ ଟଣାଯାଇ ଅଧାରାସ୍ତାରେ ଚୈତନ୍ୟ ମନ୍ଦିର ନିକଟରେ ମାଉସୀ ମାଙ୍କ ନିକଟରେ ରଖାଯାଉଥିଲା। ମାଉସୀଙ୍କ ପୋଡପିଠା ଭୋଗ ଲାଗି କରାଯାଉଥିଲା। ଦିନକ ପରେ ପୁଣି ଟଣା ଯାଉଥିଲା।
ବଡ଼ ଏକାଦଶୀ ଦିନ ହିଁ କଡ଼ା ପୁଲିସ ସୁରକ୍ଷାବଳୟ ମଧ୍ୟରେ ସୁନାବେଶ କରାଯାଉଥିଲା। ତେବେ ଏବର୍ଷ ଏହା ହୋଇ ପାରିନି। ଆଜି ଅପରାହ୍ନରେ ପ୍ରବଳ ବର୍ଷା ଲାଗି ରହିଥିଲା। ବର୍ଷାରେ ବି ସେବାୟତ, ପୂଜକ, ଦେବତ୍ତର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ଭାଗ ନେଇଥିଲେ। ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନାରାୟଣ ମନ୍ଦିର ଆଡ଼ପ ମଣ୍ଡପରୁ ଗୋଟି ପହଣ୍ଡି କରି ଗରୁଡ଼ଙ୍କ ରୁମରେ ଆଣି ରଖିଥିଲେ। ଆସନ୍ତାକାଲି ସକାଳୁ ୪ମୂର୍ତ୍ତୀଙ୍କୁ ଗୋଟି ପହଣ୍ଡି କରି ମନ୍ଦିରକୁ ବିଜେ କରାଯିବ। ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହଙ୍କୁ ରଥାରୁଢ଼ କରାଯାଇଥିଲା। ରଥକୁ ମନ୍ଦିର ପରିସରରେ ଅଳ୍ପ ଦୂର ଟଣା ଯାଇଥିଲା। ପ୍ରତୀକାତ୍ମକ ଛୋଟ ରଥ ନିକଟରେ ଚଳନ୍ତି ବିଗ୍ରହଙ୍କ ନିକଟରେ ମାଉସୀମାଙ୍କ ପୋଡପିଠା ଭୋଗ ଲାଗି କରାଯାଇଥିଲା। ସେଭଳି ଗରୁଡ଼ ରୁମରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ରାତିରେ ଲକ୍ଷ୍ମୀନାରାୟଣ ଭେଟ୍ କରାଯାଇଥିଲା।
ଏବଂ ହରିଶୟନ ନିତୀ ବି ହୋଇଥିଲା। ଆସନ୍ତାକାଲି ପ୍ରତୀକାତ୍ମକ ରଥ ସହ ଚତୁର୍ଦ୍ଧାମୂର୍ତ୍ତିୀଙ୍କୁ ମନ୍ଦିରକୁ ନିଳାଦ୍ରିବିଜେ କରିବେ ବୋଲି କହିଛନ୍ତି ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ଆଜି ଏହି ଅବସରରେ ଚିତ୍ରକର ମନୋହର ମହାପାତ୍ରଙ୍କୁ ଦେବୋତ୍ତର କମିଟି ପକ୍ଷରୁ ଉପଢ଼ୈକନ ଦେଇ ଅତିରିକ୍ତ ତହସିଲଦାର ମାନସ କୁମାର ଘଡ଼େଇ ସମ୍ବର୍ଦ୍ଧିତ କରିଥିଲେ। ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପିତବାସ ବିଶ୍ବାଳ, ପୂଜକ ଡମ୍ବୁରୁ ପୁଜାରୀ, ମାଲୁ, ଦେବୋତ୍ତର କମିଟିର ସଭ୍ୟ ନାନାଜୀ ଆଚାରୀ ଆଦି ଉପସ୍ଥିତ ଥିଲେ।
Follow Us