ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ମା’

Advertisment
ଲଳିତଗିରି ଶିଶୁପୁତ୍ରର ସନ୍ଦେହଜନକ ମୃତ୍ୟୁ ଘଟଣା, ୨୩ଦିନ ପରେ ବି ଆସିଲାନି ବ୍ୟବଚ୍ଛେଦ ରିପୋର୍ଟ

ମାହାଙ୍ଗା: ରଜ ମଉଜରେ ସମସ୍ତେ ମସଗୁଲ ଥିଲା ବେଳେ ଜଣେ ଶିଶୁପୁତ୍ରର ଅସ୍ବାଭାବିକ ମୃତ୍ୟୁ ଘଟଣା ମାହାଙ୍ଗା ଲଳିତଗିରି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଗୁରୁବାର ଶେଷ ରଜଦିନ ଶିଶୁଟିର ତୃତୀୟ ଜନ୍ମଦିନ ପାଳନ କରାଯାଇଥା’ନ୍ତା। ଏହାର ଗୋଟିଏ ଦିନ ପୂର୍ବରୁ ଶିଶୁର ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ସେହିପରି ବଡ଼ବାପା ଓ ବଡ଼ମା’ଙ୍କ ନିକଟରେ ଖଟ ମଝିରେ ଶୋଇଥିବା ଶିଶୁଟି ତଳେ ପଡ଼ି ପ୍ରାଣ ହରାଇବା ଘଟଣାକୁ ତା’ ମା’ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୁଅକୁ ହତ୍ୟା କରାଯାଇଛି ବୋଲି ସେ ଅଭିଯାଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

ସୂଚନା ମୁତାବକ, କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ପଞ୍ଚାୟତ (ତାଳଗିରି) ଗ୍ରାମର ଦିଲ୍ଲୀପ ସ୍ବାଇଁ ରାଜ୍ୟ ବାହାରେ କାମ କରୁଥିଲା ତାଙ୍କ ପତ୍ନୀ ନିବେଦିତା ଓ ୩ ବର୍ଷର ପୁଅ ଭବାନୀଶଙ୍କର ଗ୍ରାମରେ ରହୁଥିଲେ। ସପ୍ତାହେ ତଳେ ନିବେଦିତା ପୁଅ ଭବାନୀ ସହ ଛତିଆ ଅଞ୍ଚଳରେ ଥିବା ନିଜ ବାପଘରକୁ ଯାଇଥିଲେ। ପ୍ରଥମ ରଜ ଦିନ ଶାଶୂଘର ଲୋକ ଭବାନୀଙ୍କୁ ଘରକୁ ଆଣିବା ପାଇଁ ଦିଲୀପଙ୍କ ଭଣଜା ମନୋଜ ସ୍ବାଇଁଙ୍କୁ ଛତିଆ ପଠାଇଥିଲେ। ସେହି ରାତିରେ ଭବାନୀ ନିଜ ବଡ଼ବାପା ଅକ୍ଷୟ କୁମାର ସ୍ବାଇଁ ଓ ବଡ଼ମା’ ବାସନ୍ତୀ ରାଉତଙ୍କ ସହ ଖଟ ମଝିରେ ଶୋଇଥିଲେ। ବୁଧବାର ସକାଳେ ଭବାନୀ ଖଟ ତଳେ ପଡ଼ିଥିବା ବଡ଼ବାପା ଓ ମା’ ଦେଖି ପରିବାର ଲୋକଙ୍କୁ ଡାକିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନଡ଼ିଆସାହସପୁର ଓ ପରେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଶିଶୁର ମା’ ନିବେଦିତା ମାହାଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ଅପମୃତ୍ୟୁ ମାମଲା (କେସ୍‌ ନଂ-୧୨/୨୨) ରୁଜୁ କରାଯାଇଛି। ଏଥିସହ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

ଅନ୍ୟପଟେ, ପୁଅର ଏଭଳି ମୃତ୍ୟୁକୁ ମା’ ନିବେଦିତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସେ ଦାବି କରିବା ସହ ପୁଅକୁ ହତ୍ୟା କରାଯାଇଛି ବୋଲି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ କିଛିବର୍ଷ ହେଲା ମୃତ ଶିଶୁର ପରିବାର ସହ ତା’ ବଡ଼ବାପା ଓ ବଡ଼ମା’ଙ୍କ ଭଲ ସମ୍ପର୍କ ନ ଥିବା କୁହାଯାଉଛି। ସେହିପରି ଖଟ ମଝିରେ ଶୋଇଥିବା ଭବାନୀ ତଳେ ପଡ଼ିବା ସମୟରେ ବଡ଼ବାପା ଓ ମା’ ଜାଣି ନ ପାରିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ଏହାଛଡ଼ା ସକାଳୁ ଉଠିବା ବେଳକୁ ଭବାନୀ ତଳେ ପଡ଼ି ପ୍ରାଣ ହରାଇ ସାରିଥିବା ବଡ଼ମା’ ବାସନ୍ତୀ କହୁଥିଲା ବେଳେ ସେତେବେଳେ ଶିଶୁଟି ଜୀବିତ ଥିଲା ବୋଲି ଜେଜେ ବାପା ଗଣମାଧ୍ୟମକୁ କହିଛନ୍ତି। ଦୁଇଜଣଙ୍କ କଥାରେ ତାଳମେଳ ନ ରହିବା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। ମୃତ ଶିଶୁର ମା’ ଗଣମାଧ୍ୟମ ସମ୍ମୁଖରେ ହତ୍ୟା ଅଭିଯୋଗ କରୁଥିଲା ବେଳେ ଥାନାରେ ଏ ନେଇ ଏତଲା ନ ଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ପରିବାର ଲୋକମାନେ ବ୍ୟବେଚ୍ଛଦ ପାଇଁ ଶିଶୁର ମୃତଦେହ ଆମ୍ବୁଲାନ୍ସ ବଦଳରେ ଅଟୋ ଡାଲାରେ ପକାଇ ନେଉଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଯିବାରୁ ଡ୍ରାଇଭର୍‌ ନିକଟରେ ଶବ ରଖି ନିଆଯାଇଥିବା ଜଣାପଡ଼ିଛି। ଏ ସଂପର୍କରେ ଘଟଣାର ତଦନ୍ତ କରୁଥିବା ମାହାଙ୍ଗା ଥାନାର ପୁଲିସ ଅଧିକାରୀ ପ୍ରୀତିରଂଜନ ରାୟଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe