ବାଲ୍ୟ ବିବାହ ମୁକ୍ତ କନ୍ଧମାଳ ପାଲଟିଛି ପ୍ରହସନ : ପୁଣି୧୪ ବର୍ଷର ନାବାଳିକା ଗର୍ଭବତୀ

ଅଭିଯୋଗ ପରେ ଅଭିଯୁକ୍ତକୁ ଉଠାଇଲା ପୁଲିସ

ବାଲ୍ୟ ବିବାହ ମୁକ୍ତ କନ୍ଧମାଳ ପାଲଟିଛି ପ୍ରହସନ : ପୁଣି୧୪ ବର୍ଷର ନାବାଳିକା ଗର୍ଭବତୀ

www.ashakhabar.com

ଫୁଲବାଣୀ:କନ୍ଧମାଳ ହେବ ବାଲ୍ୟ ବିବାହ ମୁକ୍ତ। ଏଭଳି ଭାଷଣ ବାଜି ଜିଲ୍ଲା ପ୍ରଶାସନ ଦେଉଥିବା  ବେଳେ ସଚେତନ କରୁଥିବା ବିଭିନ୍ନ ସଂଗଠନ ବି ବାହାସ୍ପୋଟ ମାରି ଚାଲିଛନ୍ତି। ହେଲେ ଏବେ ବି ଲୁଚାଛପାରେ ଚାଲିଛି ବାଲ୍ୟ ବିବାହ। ଜଣେ ଯୁବକ ୧୪ ବର୍ଷର ନାବାଳିକାକୁ ଲୁଚିଛପି ବିବାହ କରିବା ଏବଂ ନାବାଳିକା ଜଣକ ୩ ମାସର ଗର୍ଭବତୀ ହେବା ଘଟଣା ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ଏ ନେଇ ଘଟଣା ପଦାକୁ ଆସିବା ପରେ ପୁଲିସ ଓ ଚାଇଲଡ ଲାଇନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଶେଷରେ ପୀଡିତା ନାବାଳିକାର ବାପାଙ୍କୁ ଅଭିଯୋଗ କୁହାଯାଇଥିଲା।  ସେ ଗୋଛାପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ତା ଘରୁ ଉଠାଇ ପଚରାଉଚୁରା ଚଳାଇଛି। ଗୋଛାପଡା ଅଞ୍ଚଳର ୧୪ ବର୍ଷର ନାବାଳିକାକୁ ସଦର ଥାନା ସୁଡ୍ରୁକୁମ୍ପାର ଜଣେ ଯୁବକ ୪ ମାସ ପୂର୍ବେ ବିବାହ କରିଥିଲେ। ଏହା ଉଭୟ ପରିବାର ଜାଣତରେ ହୋଇଥିଲା।

ବହୁ ବିଳମ୍ବରେ ଘଟଣା ପଦାକୁ ଆସିଥିଲା। ବର୍ତ୍ତମାନ ନାବାଳିକା ଜଣକ ୩ ମାସର ଗର୍ଭବତୀ। ପୁଲିସ ଓ ଚାଇଲଡ ଲାଇନ ଟିମ୍ ସୁତ୍ରୁକୁମ୍ପାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଯୁବକ ଫେରାର ହୋଇ ଥିବା ବେଳେ ଗତକାଲି ରାତିରେ ସେ ଗାଁରେ ଥିବା ଖବର ପାଇ ପୁଲିସ ପହଞ୍ଚି ଉଠାଇ ଆଣିଛି। ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା ଚଳାଇଛି। ପୀଡିତା ନାବାଳିକାକୁ ବନବାସୀ ସୁଧାର ଗୃହରେ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ପୀଡିତାର ବାପା ବି କାର୍ଯ୍ୟାନୁଷ୍ଠାନ ଭୟରେ ଅଭିଯୋଗ କରିଛନ୍ତି। ହେଲେ ଏଠାରେ ପ୍ରଶ୍ନ ଉଠୁଛି ବାଲ୍ୟ ବିବାହ ବନ୍ଦ ନେଇ ଏତେ ସଚେତନତା କରାଯାଉଛି।

ଆଉ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ବାଲ୍ୟ ବିବାହ ମୁକ୍ତ କନ୍ଧମାଳ ହେବ ବୋଲି କହୁଥିବା ବେଳେ କିଭଳି ଜଣେ ୧୪ ବର୍ଷର ନାବାଳିକା ଜଣେ ଯୁବକକୁ ବିବାହ କଲା। କିଭଳି ଜାଣି ପାରିଲା ନାହିଁ ପ୍ରଶାସନ ଓ ଚାଇଲଡ ଲାଇନ ଟିମ୍। ଗର୍ଭବତୀ ଥିବା ନାବାଳିକାର ଭବିଷ୍ୟତ କଣ ହେବ।  ଏହା ଗୋଟିଏ ଘଟଣା ନୁହେଁ। ଅଧିକାଂଶ ଅଞ୍ଚଳରେ ଏବେ ବି ଲୁଚାଛପାରେ ବାଲ୍ୟ ବିବାହ ଚାଲିଥିବା ଆଲୋଚନା ହେଉଥିବା ବେଳେ କେବଳ ଭାଷଣ ବାଜିରେ ବାଲ୍ୟ ମୁକ୍ତ ହେବ କନ୍ଧମାଳ ବୋଲି ଡିଣ୍ଡମ ପିଟା ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe