ପିଲା ଚୋରିକୁ ନେଇ ହଇଚଇ, ଦୁଇ ଶିଶୁ ଉଦ୍ଧାର

Advertisment

ଗାଁରେ ଉତ୍ତେଜନା, ଅଭିଯୁକ୍ତ ଅଟକ

ଗାଁରେ ଉତ୍ତେଜନା, ଅଭିଯୁକ୍ତ ଅଟକ

ପିଲା ଚୋରିକୁ ନେଇ ହଇଚଇ, ଦୁଇ ଶିଶୁ ଉଦ୍ଧାର

ଯାଜପୁରସଦର /ବୈତରଣୀରୋଡ/କୋରେଇ/ ପାଣିକୋଇଲି: କୋରେଇ ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଆଜି ଜଣେ ଶିଶୁକନ୍ୟାକୁ ଅପହରଣ ଉଦ୍ୟମ କରାଯାଇଥିଲା। ହେଲେ ଅପହର୍ତ୍ତାକୁ ଗାଁଲୋକେ କାବୁ କରିବା ସହ ପୁଲିସ ଜିମା ଦେଇଛନ୍ତି। ଏନେଇ ଗାଁରେ ଉତ୍ତେଜନା ଲାଗିରହିଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ଯାଜପୁର ଏସ୍‌ପି ଘଟଣାସ୍ଥଳକୁ ଆସିବା ଦାବିରେ ବିଳମ୍ବିତ ରାତି‌ ପର୍ଯ୍ୟନ୍ତ ଲୋକମାନେ ପୁଲିସ ଗାଡ଼ିକୁ ଅଟକ ରଖିଥିଲେ। ଅନ୍ୟପକ୍ଷରେ କୋରେଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଘଟଣା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ପଦ୍ମନାଭ ସେଠୀଙ୍କ ୭ ବର୍ଷର ଝିଅ ଅପରାହ୍ଣ ୫ ଟା ବେଳେ ଗାଁ ଦାଣ୍ତରେ ଖେଳୁଥିଲା। ସେହି ଗ୍ରାମର ଚାନ୍ଦୁଲୁ ନାଏକ (୪୧) ଝିଅଟିକୁ ବରା ଖାଇବାକୁ ଦେବବୋଲି ଲୋଭ ଦେଖାଇ ନେଇ ପଳାଇଯାଇଥିବା।

ସନ୍ଧ୍ୟାପରେ ଝିଅଟି ଘରକୁ ନଆସିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତାକୁ ଜଣେ ବରାଦେବା କଥା କହି ଡାକିନେଇଥିବା ଝିଅଟି ସାଙ୍ଗରେ ଖେଳୁଥିବା ଅନ୍ୟପିଲାମାନେ କହିଥିଲା। ଏହା ଶୁଣିବା ପରେ ଗାଁ ଲୋକେ ଖୋଜାଖୋଜି କରିଥିଲେ। ଏହି ସମୟରେ ମୁକୁନ୍ଦପୁର ଠାରୁ ପ୍ରାୟ ୨ କିଲୋମିଟର ଦୂର ବୈତରଣୀ ନଦୀକୂଳ ବାଲିଆପାଳ ଗାଁ ନିକଟ ଏକ ବାଉଁଶବୁଦା ପାଖରେ ଝିଅଟିକୁ ଧରି ଅଭିଯୁକ୍ତ ଲୁଚି ବସିଥିଲା। ଗାଁ ଲୋକେ ସେଠାରୁ ଚାନ୍ଦୁଲୁକୁ ଧରିବା ସହ ଝିଅଟିକୁ ଉଦ୍ଧାର କରି ଗାଁକୁ ଆଣିଥିଲେ। ପରେ କୋରେଇ ପୁଲିସ୍‌କୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ ରଂଜିତ କୁମାର ମହାନ୍ତି ସଦଳବଳ ଘଟଣା ସ୍ଥଳରେ ପହଞ୍ଚିଥିଲେ।

ଅଭିଯୁକ୍ତ ଚାନ୍ଦୁଲୁକୁ ଲୋକମାନେ ପୁଲିସ୍‌ ଜିମା ଦେଇଥିଲେ। ହେଲେ ପୁଲିସ ଅଭିଯୁକ୍ତକୁ ଛାଡ଼ି ଦେଉଥିଲା ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଚାନ୍ଦୁଲୁ ନାଁରେ ଥାନାରେ ପୂର୍ବରୁ ବହୁ ଚୋରି ଅଭିଯୋଗ ଥିଲେ ମଧ୍ୟ ପୁଲିସ୍‌ ତାକୁ ଧରିନେଇ ଛାଡ଼ି ଦେଉଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଯାଜପୁର ଏସ୍‌ପି ଘଟଣା ସ୍ଥଳକୁ ନଆସିବା ଯାଏ ପୁଲିସ୍‌ ଗାଡ଼ିକୁ ଗାଁ ଲୋକେ ଛାଡ଼ିବେ ନାହିଁ ବୋଲି ଅଡ଼ି ବସିଥିଲେ। ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଳମ୍ବିତ ରାତି ଯାଏ ଘଟଣାସ୍ଥଳରେ ପୁଲିସକୁ ଲୋକମାନେ ଘେରାଉ କରିଥିଲେ।

publive-image

ସେହିପରି ଜଣେ ନାବାଳକକୁ ଆଜି ଅପହରଣ କରି ନେଇ ଯାଉଥିବା ବେଳେ ପାଣିକୋଇଲି ଥାନା ଅନ୍ତର୍ଗତ ରୁଢ଼ିଆ ପୋଲ ନିକଟରୁ ଉଦ୍ଧାର କରାଯାଇଛି। ଏହି ନାବାଳକ ଜଣକ ବିଂଝାରପୁର ଥାନା ଅନ୍ତର୍ଗତ ବାଳମୁକୁଳି ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅପହର୍ତ୍ତା ଫେରାର ହୋଇଯାଇଛି। ଘଟଣା ଅନୁଯାୟୀ, ଆଜି ଅପରାହ୍‌ଣରେ ପାଣିକୋଇଲି ଥାନା ଅନ୍ତର୍ଗତ ରୁଢ଼ିଆ ବ୍ରିଜ ନିକଟରେ ଜଣେ ଯୁବକ ବାଇକ୍‌ରେ ଜଣେ ନାବାଳକକୁ ବସାଇ ନେଇଯାଉଥିଲା। ପିଲାଟି ଜୋରରେ ଚିତ୍କାର କରିବାକୁ ସ୍ଥାପନୀୟ ଅଞ୍ଚଳର କିଛି ଲୋକ ବାଇକ୍‌କୁ ପିଛା କରି ତାକୁ ଧରିବାରେ ସଫଳ ହୋଇଥିଲେ। ହେଲେ ପିଲାଚୋର ଜଣକ ଖସି ପଳାଇଥିଲା।

ପିଲାଟିକୁ ଉଦ୍ଧାର କରି ପାଣିକୋଇଲି ଥାନାକୁ ଅଣାଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ ତପନ ପଣ୍ଡା ଖବର ପାଇଁ ଜିଲ୍ଲା ଚାଇଲ୍‌ଡ ଲାଇନକୁ ସୂଚନା ଦେଇଥିଲେ। ଚାଇଲ୍‌ଡ ଲାଇନର ସଦସ୍ୟମାନେ ପାଣିକୋଇଲି ଥାନାରେ ପହଞ୍ଚି ପିଲାଟିକୁ ନିଜ ହେପାଜତକୁ ନେଇଥିଲେ। ଆସନ୍ତାକାଲି ଏହି ପିଲାକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ। ତେବେ ପିଲାଟିର ଘର ବିଂଝାରପୁର ଥାନା ବାଳମୁକୁଳି ଅଞ୍ଚଳରେ ହୋଇଥିବା ଖବର ମିଳିଛି। ଯୋଗାଯୋଗ କରାଯାଇ ଆସନ୍ତାକାଲି ପିଲାଟିକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ପିଲାଟିକୁ ଅପହର୍ତ୍ତା କିପରି ଓ କେଉଁଠୁ ଆଣିଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe