ସମାଜରେ ଶିଶୁଙ୍କ ସୁରକ୍ଷାରେ ଗଣମାଧ୍ୟମ ଏକ ଜାଗ୍ରତ ପ୍ରହରୀ

Advertisment
ସମାଜରେ ଶିଶୁଙ୍କ ସୁରକ୍ଷାରେ ଗଣମାଧ୍ୟମ ଏକ ଜାଗ୍ରତ ପ୍ରହରୀ

Sambad

ଖୋର୍ଦ୍ଧା: ସମାଜରେ ଶିଶୁ ନିର୍ଯାତନା, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଭିକ୍ଷାବୃତ୍ତି ଆଦି ଘୃଣ୍ୟ କାର୍ଯ୍ୟର ପ୍ରତିରୋଧ ପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସମାଜରେ ଶିଶୁଙ୍କ ସୁରକ୍ଷା ନିମନ୍ତେ ଗଣମାଧ୍ୟମ ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକରନ୍ତି। ସେମାନେ ନିଜର ଏହି ଗୁରୁ ଦାୟିତ୍ୱକୁ ସଠିକ ନିର୍ବାହ କଲେ ଶିଶୁଙ୍କ ଉପରେ ହେଉଥିବା ଅନେକ ନିର୍ଯାତନାର ପରିମାଣ ହ୍ରାସ ପାଇପାରିବ ବୋଲି ଆଜି ଖୋର୍ଦ୍ଧା ଠାରେ ଅନୁଷ୍ଠିତ ଶିଶୁ ଯୌନ ନିର୍ଯାତନା ଓ ଉତ୍ପୀଡ଼ନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ରରେ ବକ୍ତାମାନେ ମତ ଦେଇଛନ୍ତି। ସ୍ଥାନୀୟ ଉଦ୍ୟାନ ବିଦ୍ୟାଳୟର ସଭାଗୃହରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିକକ୍, ଏନ୍ଏସିଜି ଇଭାକ୍ ଇଣ୍ଡିଆ, ୱାଲ୍ଡ ଭିଜନ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଗ୍ରାମାଂଚଳ ଓ ଖୋର୍ଦ୍ଧା ସହରର ୩୫ରୁ ଉର୍ଦ୍ଧ୍ବ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ପିକକର ରାଜ୍ୟ ସଂଯୋଜକ ଚନ୍ଦନ କୁମାର ନାୟକ ସ୍ୱାଗତ ଭାଷଣ ଓ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ସମାଜରେ ବଢ଼ୁଥିବା ଶିଶୁ ଯୌନ ନିର୍ଯାତନା ରୋକିବା ଦିଗରେ ଗଣମାଧ୍ୟମର ଭୂମିକା କଣ ରହିବା ଉଚିତ, ଏ ସମ୍ପର୍କିତ ଖବରକୁ କିଭଳି ପ୍ରକାଶ କରିବା ଉଚିତ ସେନେଇ ଆଲୋଚନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ଅପରାଧିକ ମାମଲାରେ ଅଭିଯୁକ୍ତ ଶିଶୁଙ୍କ ସୁଧାର ଆଦି ସମ୍ପର୍କରେ ରାଜ୍ୟ ଓ ଦେଶରେ ଥିବା ବିଭିନ୍ନ ଆଇନ ଓ ବ୍ୟବସ୍ଥା ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ରାଜ୍ୟ ଶିଶୁ ଅଧିକାରୀ ସୁରକ୍ଷା ଆୟୋଗର ପୂର୍ବତନ ସଦସ୍ୟ ହରିହର ନାୟକ ଶିଶୁଙ୍କ ଉପରେ ବଢ଼ୁଥିବା ନିର୍ଯାତନାକୁ ନେଇ ଏନ୍ସିଆର୍ବିର ତଥ୍ୟ, ଯୌନ ଉତ୍ପୀଡ଼ନରେ କିଭଳି ଉଭୟ ଶିଶୁକନ୍ୟ ଓ ଶିଶୁପତ୍ର ସମ ଭାଗରେ ଶିକାର ହୋଇଥାନ୍ତି, କେଉଁ ପରିସ୍ଥିତିରେ ଓ କେଉଁ ପରିବେଶରେ ଏହି ନିର୍ଯାତନାର ଶିକାର ହୁଅନ୍ତି, ସେମାନଙ୍କୁ ଠାବ କରିବା, ସେମାନଙ୍କୁ ସୁରକ୍ଷା ଦେବା ନେଇ ପୋକୋସ ଓ ବାଳ ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ପିକକର ଜିଲ୍ଲା ସମ୍ପାଦକ ବିନୋଦ କୁମାର ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe